/odisha-reporter/media/post_attachments/uploads/2021/09/Virat-1.jpg)
Virat
ମୁମ୍ବାଇ: କିଛିଦିନ ଧରି ଚାଲିଥିବା ଆଲୋଚନା ଶେଷରେ ସତ ହୋଇଛି। ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ବିରାଟ କୋହଲି ଏହି ଫର୍ମାଟ୍ରେ ଆଉ ଭାରତର ନେତୃତ୍ୱ ନେବେନି। ସେ କେବଳ ଦିନିକିଆ ଓ ଟେଷ୍ଟ ଟିମ୍ର ନେତୃତ୍ୱ ନେବେ। କାର୍ଯ୍ୟ ଭାରକୁ କାରଣ ଦର୍ଶାଇ ବିରାଟ ଅଧିନାୟକତ୍ୱ ପଦ ଛାଡ଼ିଥିବା କହିଛନ୍ତି। ହେଲେ ପଦ ଛାଡ଼ିବା ପଛରେ ୩ ପ୍ରମୁଖ କାରଣ ରହିଥାଇ ପାରେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।
୧- ରୋହିତ ଶର୍ମାଙ୍କ କ୍ରମାଗତ ଭଲ ପ୍ରଦର୍ଶନ
ବିଗତ କିଛି ବର୍ଷ ମଧ୍ୟରେ ରୋହିତ ଶର୍ମା ଟି-୨୦ ଫର୍ମାଟରେ ନିଜକୁ ଅଧିନାୟକ ଭାବେ ଗଢ଼ି ତୋଳିବାରେ ବେଶ ସକ୍ଷମ ହୋଇଛନ୍ତି। ଏହି ବର୍ଷ ଗୁଡିକରେ ରୋହିତ କେବଳ ନିଜ ବ୍ୟାଟରେ ଜଲୱା ଦେଖାନାହାନ୍ତି ବରଂ ସେ ଜଣେ ଦକ୍ଷ ଟି-୨୦ କ୍ୟାପ୍ଟେନ ବୋଲି ବାରମ୍ବାର ପ୍ରମାଣିତ କରି ଆସିଛନ୍ତି।
ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ରେ କ୍ରମାଗତ ଦୁଇଥର ଚାମ୍ପିୟନ ହୋଇଛି। ଏହା ସହିତ ସେ ମୁମ୍ବାଇକୁ ୫ଥର ଚାମ୍ପିୟନ ମଧ୍ୟ କରାଇଛନ୍ତି। ରୋହିତଙ୍କ ଏହି ସଫଳତା ବିରାଟଙ୍କ ଉପରେ ଚାପ ପକାଇଥିଲା। ଏଥିସହ ସେ ଅନେକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇ ଜିତାଇଛନ୍ତି। ଏହି କାରଣରୁ ତାଙ୍କୁ ଟି-୨୦ ଅଧିନାୟକ ପଦ ଦେବାକୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା।
୨- ବିରାଟ ଏଯାଏ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହାନ୍ତି
ବିରାଟ ପ୍ରାୟ ୬ ବର୍ଷ ହେଲାଣି ଟିମ୍ ଇଣ୍ଡିଆର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟିକତ୍ୱରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଜିତିଛି। କିନ୍ତୁ ଭାରତ ତାଙ୍କ ଅଧିନାୟକତ୍ୱରେ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ୨୦୧୭ ଚାମ୍ପିୟନଶିପ ଟ୍ରଫିରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ଭେଟିଥିଲା। ହେଲେ ଏଥିରେ ଦଳ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିଲା। ୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଭାରତ ଅଭିଯାନ ଶେଷ କରିଥିଲା।
ଏଥିସହ ପ୍ରଥମଥର ଭାରତ ବିରାଟଙ୍କ ଅଧିନାୟକତ୍ୱରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଖେଳିଥିଲେ ହେଁ ପରାସ୍ତ ହୋଇଥିଲା। ବାରମ୍ବାର ଆଇସିସି ଇଭେଣ୍ଟରେ ବିରାଟ ଫେଲ ମାରିବାରୁ ତାଙ୍କ ଉପରେ ଅତିରକ୍ତ ଚାପ ସୃଷ୍ଟି ହୋଇଥିଲା। କିନ୍ତୁ କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଟ୍ରପି ଜିତିବାର ସୁଯୋଗ ବିରାଟଙ୍କ ପାଖରେ ରହିଛି।
୩- ବ୍ୟାଟିଂ ଉପରେ ପ୍ରଭାବ
ଦୁଇ ବର୍ଷ ହେଲାଣି ବିରାଟ ତାଙ୍କ ଦକ୍ଷତା ଅନୁସାରେ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ୨୦୧୯ ପରାଠାରୁ ବିରାଟଙ୍କ ବ୍ୟାଟରୁ ଟେଷ୍ଟରେ କୌଣସି ଶତକ ଦେଖିବାକୁ ମିଳିନି। ଆଇସିସିର ନକଆଉଟ ଇଭେଣ୍ଟରେ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ଏହାର ଉଦାହାରଣ ୨୦୧୭ ଆଇସିସି ଚାମ୍ପିୟନଶିପ ଟ୍ରଫି ଓ ୨୦୧୯ ବିଶ୍ୱକପ ସେମି ଫାଇନାଲରେ ଦେଖିବାକୁ ମିଳିଛି।
ସେମି ଫାଇନାଲରେ ବିରାଟ ମାତ୍ର ୬ଟି ବଲରେ ୧ ରନ୍ କରି ଟ୍ରେଣ୍ଟ ବୋଲ୍ଟ ବଲରେ ଆଉଟ ହୋଇଥିଲେ।
ତୃତୀୟ ଥର ପାଇଁ ବିରାଟ ବିଶ୍ୱକପ ସେମି ଫାଇନାଲରେ ଫେଲ ମାରିଥିଲେ। ୨୦୧୧ରେ ପାକିସ୍ତାନ ବିପକ୍ଷ ସେମି ଫାଇନାଲରେ ସେ ୧୧ ରନ କରିଥିବା ବେଳେ ୨୦୧୫ରେ କେବଳ ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ୨୦୧୧ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲରେ ବିରାଟ ୩୩ ବଲ ଖେଳି ୨୪ ରନ୍ କରିପାରିଥିଲେ। ତଥାପି ୨୦୧୧ରେ ଭାରତ ଫାଇନାଲରେ ପ୍ରବେଶ କରି ବିଶ୍ୱ ବିଜେତା ହୋଇଥିଲା। ଫାଇନାଲରେ ବିରାଟ କେବଳ ୩୫ ରନ୍ କରିଥିଲେ।
୨୦୧୫ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ମଧ୍ୟ ବିରାଟଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ସେ ୮ଟି ବଲର ସମ୍ମୁଖୀନ ହୋଇ ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏଯାଏ ବିରାଟ ବିଶ୍ୱକପର ୬ଟି ନକଆଉଟ ମ୍ୟାଚ୍ ଖେଳି ୭୬ ରନ୍ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୧୨.୧୬ ଥିବାବେଳେ ଷ୍ଟ୍ରାଇକ ରେଟ ମାତ୍ର ୫୬.୧୫ ରହିଛି।
ଖାଲି ବିଶ୍ୱକପ ନୁହେଁ, ୨୦୧୭ ଆଇସିସି ଚାମ୍ପିୟନଶିପ ଟ୍ରଫି ଫାଇନାଲରେ ବିରାଟ ସମସ୍ତଙ୍କୁ ନିରାଶ କରିଥିଲେ। ସେ ପାକିସ୍ତାନ ବିପକ୍ଷ ଫାଇନାଲରେ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଏହିସବୁକୁ ଦେଖି ସମସ୍ତେ ବିରାଟ କ୍ୟାପ୍ଟେନଶିପ ଯୋଗୁ ଅଧିକ ଚାପ ଅନୁଭବ କରୁଥିବା କହୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
