Net-bowler
ଦୁବାଇ: ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପରେ ସହାୟତା କରିବା ପାଇଁ ଦଳ ସହ ଥିବା ୪ ଜଣ ଖେଳାଳି ଭାରତ ଫେରି ଆସିଛନ୍ତି। ଭାରତରେ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି ୪ ଖେଳାଳି ନିଜ ନିଜ ରାଜ୍ୟ ପକ୍ଷରୁ ଖେଳିବେ। ଏଥିପାଇଁ ସେମାନଙ୍କୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଫେରାଇ ଅଣାଯାଇଛି।
ଭାରତ ଫେରିଥିବା ୪ ଖେଳାଳି ହେଲେ କରନ ଶର୍ମା, କ୍ରିଷ୍ଣାପ୍ପା ଗୌତମ, ଭେଙ୍କଟେଶ ଆୟର ଓ ଶହବାଜ ଅହମଦ। ଏମାନେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ସହ ନେଟ ବୋଲର ଭାବେ ଯୋଗଦେଇଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପୂର୍ବରୁ ହିଁ ସେମାନେ ସ୍ୱଦେଶ ଫେରିଛନ୍ତି। ତେବେ ଟିମ ଇଣ୍ଡିଆ ସହ ନେଟ ବୋଲର ଭାବେ ଏବେ ବି ଅଭେଶ ଖାନ, ହର୍ଷଲ ପଟେଲ, ଉମରନ ମାଲିକ ଓ ଲୁକମାନ ମେରିୱାଲା ରହିଛନ୍ତି। ଏମାନେ ସମସ୍ତେ ଦ୍ରୁତ ବୋଲର। ଭାରତ ଫେରିଥିବା ୪ ଖେଳାଳି ଟିମ ସହ ସ୍ପିନ ବୋଲର ଭାବେ ଯୋଗଦେଇଥିଲେ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଟିମକୁ ଅଧିକ ନେଟ ସେକସନ ମିଳିବନି। ତେଣୁ ସ୍ପିନ ବୋଲରଙ୍କ ଆବଶ୍ୟକ ନାହିଁ। ତେଣୁ ଜାତୀୟ ଚୟନ କମିଟି ଟିମ ସହ ଥିବା ୪ ସ୍ପିନରଙ୍କୁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଭାଗ ନେବାକୁ କହିଛି। ଏହାଦ୍ୱାରା ସେମାନେ ଲାଭବାନ ହେବେ। ସେମାନଙ୍କୁ ମ୍ୟାଚ୍ର ଅଭ୍ୟାସ ଦରକାର। ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ୟୁଏଇରୁ ଆସିଥିବା ୪ ଖେଳାଳି ନିଜ ନିଜ ରାଜ୍ୟ ପାଇଁ ଖେଳିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ସୂଚନାଯୋଗ୍ୟ, ଭାରତ ଆସନ୍ତାକାଲି ଠାରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ମୁଖ୍ୟ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ଏଥିରେ ଦଳ ବିଜୟୀ ହୋଇଛି।
ଆସନ୍ତାକାଲି ଦଳର ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଅଭ୍ୟାସ ମ୍ୟାଚରେ ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଟିମ ମ୍ୟାନେଜମେଣ୍ଟ ପାଇଁ ଟପ୍ ୧୧ ଚୟନ କରିବା ମୁଣ୍ଡବିନ୍ଧାର କାରଣ ପାଲଟିଛି।
ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଖେଳାଳିଙ୍କ ସହ ବେଶ ଝାଳ ବୁହାଇଛନ୍ତି। ସେ ନିଜେ ବ୍ୟାଟରଙ୍କୁ ଥ୍ରୋ ଡାଉନର ଅଭ୍ୟାସ କରାଇଛନ୍ତି। ଏହାର ଫଟୋ ମଧ୍ୟ ବିସିସିଆଇ ଟ୍ୱିଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/Net-bowler.jpg)