Advertisment

ମହିଳା ପ୍ରିମିୟର ଲିଗ୍‌ : ୮୯ ଖେଳାଳିଙ୍କୁ ୫୯.୫୦ କୋଟିରେ କିଣିଲେ ୫ ଦଳ

ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୩.୪ କୋଟି ଟଙ୍କାରେ କିଣିଛି।

WPL

WPL

Advertisment

ମହିଳା ପ୍ରିମିୟର ଲିଗ(WPL) ୨୦୨୩ର ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ଆଜି ଅକ୍ସନ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୩.୪ କୋଟି ଟଙ୍କାରେ କିଣିଛି।

Advertisment

WPLର ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ସେମାନେ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ଜ ଓ ଗୁଜରାଟ ଜିଆଣ୍ଟସ। ମହିଳା ଆଇପିଏଲ ଭାବେ ପରିଚୟ ହାସଲ କରିଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୩ରୁ ୨୬ ତାରିଖ ଯାଏ ମୁମ୍ବାଇରେ ଖେଳାଯିବ।

ମନ୍ଧାନାଙ୍କ ସମେତ ଭାରତର ୧୦ ଜଣ ଖେଳାଳି ୧ କୋଟିରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି। ସେହିପରି ଅଣ୍ଡର ୧୯ ଖେଳାଳିଙ୍କୁ ନେବା ପାଇଁ ମଧ୍ୟ ସବୁ ଫ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇଛନ୍ତି। ମନ୍ଧାନା ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିବା ବେଳେ ତାଙ୍କ ପଛକୁ ସବୁଠାରୁ ଅଧିକ ଦାମରେ କିଣା ହୋଇଥିବା ଭାରତୀୟଙ୍କ ମଧ୍ୟରେ ଦୀପ୍ତି ଶର୍ମା ରହିଛନ୍ତି। ତାଙ୍କୁ ୟୁପି ୨.୬୦ କୋଟି ଟଙ୍କାରେ କିଣିଛି। ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଜେମିମା ରୋଡ୍ରିଗ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨.୨୦ ଟଙ୍କାରେ ନିଜ ସହ ସାମିଲ କରିଛନ୍ତି।

Advertisment

ଅଣ୍ଡର ୧୯ ଟିମର ଅଧିନାୟକ ଶେଫାଳୀ ବର୍ମାଙ୍କୁ ୨ କୋଟି ଦେଇ ଦିଲ୍ଲୀ କ୍ୟାପିଟାଲ୍ସ, ଭାରତୀୟ ଟିମର ୱିକେଟ କିପର ବ୍ୟାଟର ରିଚା ଘୋଷଙ୍କୁ ଆରସିବି ୧.୯୦ କୋଟି, ଅଲରାଉଣ୍ଡର ପୂଜା ବସ୍ତ୍ରକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୯୦ କୋଟି, ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ୧.୮୦ କୋଟି, ରେଣୁକା ସିଂହଙ୍କୁ ଆରସିବି ୧.୫ କୋଟି, ୟାସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟି ଓ ୟୁପି ଦେବିକା ବୈଦ୍ୟଙ୍କୁ ୧.୪ କୋଟି ଟଙ୍କାରେ କିଣିଛି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଶଲେ ଗାର୍ଡେନର ସବୁଠାର ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ଗୁଜରାଟ ୩.୨୦ କୋଟି ଟଙ୍କା ଦେଇ କିଣିଛି। ଇଂଲଣ୍ଡର ସୁପରଷ୍ଟାର ନାଟ ସ୍କିଭର ବ୍ରଣ୍ଟ ୩.୨୦ କୋଟି ଟଙ୍କାରେ ମୁମ୍ବାଇକୁ ଯାଇଛନ୍ତି। ଅଷ୍ଟ୍ରେଲିଆର ବେଥ ମନୀଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ, ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନଙ୍କୁ ୟୁପି ୧.୮୦ କୋଟି ଓ ଅଷ୍ଟ୍ରେଲିଆର ଏଲିସ ପେରୀଙ୍କୁ ଆରସିବି ୧.୭୦ କୋଟି ଟଙ୍କାରେ କିଣିଛି।

ଭାରତର ଏସ୍‌ ୟାଶାଶ୍ରୀ ୧୦ ଲକ୍ଷ ଓ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପର ଷ୍ଟାର ବ୍ୟାଟର ଶ୍ୱେତା ସେରାୱତଙ୍କୁ ମଧ୍ୟ ୪୦ ଲକ୍ଷ ଟଙ୍କାରେ ୟୁପି କିଣିଛି। ଅଣ୍ଡର ୧୯ ବିଶ୍ୱକପର ଅନ୍ୟତମ ସଫଳର ସ୍ପିନ ବୋଲର ତଥା ୧୬ ବର୍ଷୀୟ ପାରଶଭୀ ଚୋପ୍ରା ୧୦ ଲକ୍ଷ ଟଙ୍କାରେ ୟୁପିକୁ ଯାଇଛନ୍ତି। ୧୮ ବର୍ଷୀୟ ତିତାସ ସାଧୁଙ୍କୁ ୨୫ ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି।

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ମାରିଜାନେ କାପ୍ପା ୧.୫ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଯାଇଛନ୍ତି। ଭାରତର ଅଫସ୍ପିନର ସ୍ନେହ ରାଣାଙ୍କୁ ଗୁଜରାଟ ୭୦ ଲକ୍ଷ ଟଙ୍କାରେ କିଣିଛି। ଦ୍ରୁତ ବୋଲର ଶିକ୍ଷା ପାଣ୍ଡେଙ୍କୁ ୬୦ ଲକ୍ଷ ଓ ବାମହାତୀ ଅଲରାଉଣ୍ଡର ରାଧା ଯାଦବଙ୍କୁ ୪୦ ଲକ୍ଷ ଟଙ୍କାରେ ଦିଲ୍ଲୀ ନିଜ ସହ ସାମିଲ କରିଛି। 

ମୋଟ ଉପରେ ୫ ଦଳକୁ ସର୍ବାଧିକ ୬୦ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ଥିଲା। ସେମାନେ ୮୯ ଜଣ ଖେଳାଳିଙ୍କୁ ୫୯.୫୦ କୋଟିରେ କିଣିଛନ୍ତି। ଆରସିବି ଓ ଦିଲ୍ଲୀ ୧୮ ଜଣ ଲେଖାଏ ଖେଳାଳି କିଣିଥିବା ବେଳେ ମୁମ୍ବାଇ ଓ ଗୁଜରାଟ ୧୭ ଜଣ ଲେଖାଏ ଖେଳାଳିଙ୍କୁ କିଣିଛନ୍ତି। ସେହିପରି ୟୁପି ତା’ ସ୍କ୍ୱାଡରେ ୧୬ ଜଣ ଖେଳାଳିଙ୍କୁ ସାମିଲ କରିଛି।

Women Cricketers WPL Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe