Advertisment

ଏସିଆ କପରେ ୫୦, ବିଶ୍ୱକପରେ ଶ୍ରୀଲଙ୍କା ୫୫ ରନରେ ଅଲଆଉଟ

ବିଶ୍ୱକପ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ ମାତ୍ର ୫୦ ରନରେ ଶ୍ରୀଲଙ୍କାକୁ ଅଲଆଉଟ କରି ଚାମ୍ପିୟନ ହୋଇଥିଲା।

author-image
Hemant Lenka
Team India

Team India

ଚଳିତ ବର୍ଷ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ଉପରେ ଭାରତ ତା’ର ଦବଦବା ଦେଖାଇ ଚାଲିଛି। ଭାରତରେ ଚାଲିଥିବା ବିଶ୍ୱକପରେ ଟିମ ଇଣ୍ଡିଆ ମାତ୍ର ୫୫ ରନରେ ଶ୍ରୀଲଙ୍କାକୁ ଅଲଆଉଟ କରିଛି। ଏଥିସହ ବିଶ୍ୱକପରେ ଦ୍ୱିତୀୟ ସର୍ବବୃହତ୍ତ ୩୦୨ ରନର ବିଜୟ ହାସଲ କରିଛି।

Advertisment

ବିଶ୍ୱକପ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ ମାତ୍ର ୫୦ ରନରେ ଶ୍ରୀଲଙ୍କାକୁ ଅଲଆଉଟ କରି ଚାମ୍ପିୟନ ହୋଇଥିଲା।

ଆଜି ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏସିଆ କପ ଫାଇନାଲର ସ୍ମୃତିକୁ ତାଜା କରିଛି। ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପ୍‌କୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଛିନଛତ୍ର କରି ଦେଇଥିଲେ। ସେପ୍ଟେମ୍ବର ୧୭ରେ ଖେଳା ଯାଇଥିବା ଫାଇନାଲରେ ସିରାଜ ୭ ଓଭର୍‌ରେ ୨୧ ରନ ଦେଇ ୬ଟି ୱିକେଟ ନେଇଥିଲେ।

Advertisment

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭରରେ ୩ ରନ ଦେଇ ୩ ୱିକେଟ ନେଇଥିଲେ। ଯଶପ୍ରୀତ ବୁମ୍ରା ଗୁରୁତ୍ୱପୂର୍ଣ୍ଣ କୁଶଲ ପେରେରାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଘାତକ ବୋଲିଂ ଯୋଗୁ ୧୫.୨ ଓଭର୍‌ରେ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ଏହି ଟାର୍ଗେଟକୁ ବିନା କୌଣସି ୱିକେଟ ହରାଇ ୪୩.୫ ଓଭର୍‌ ପୂର୍ବରୁ ହାସଲ କରି ଏସିଆ କପ ଦଖଲ କରିଥିଲା।

ଆଜି ବିଶ୍ୱକପରେ ମୁମ୍ବାଇର ୱାଙ୍ଖେଡେରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଭାରତ ପ୍ରଥମ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଭାରତୀୟ ଦ୍ରୁତ ବୋଲରଙ୍କ ସାମ୍ନା ନ କରିପାରି ୫୫ ରନରେ ଅଲଆଉଟ ହୋଇଯାଇଛି।

ଶ୍ରୀଲଙ୍କା ତା’ ଇନିଂସର ପ୍ରଥମ ବଲରେ ପଥୁମ ନିଶଙ୍କାଙ୍କୁ ହରାଇଥିଲା। ବୁମ୍ରା ତାଙ୍କୁ ଆଉଟ କରିଥିଲେ। ଏହାପରେ ଆସିଥିଲେ ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ଘାଇଲା କରିଥିବା ମହମ୍ମଦ ସିରାଜ। ସେ ନିଜର ପ୍ରଥମ ଓଭର୍‌ରେ ଦୁଇଟି ୱିକେଟ ନେଇଥିଲେ।

ପରବର୍ତ୍ତୀ ଓଭର୍‌ରେ କୁଶଲ ମେଣ୍ଡିସଙ୍କୁ ଆଉଟ କରି ଶ୍ରୀଲଙ୍କାର ସ୍କୋରକୁ ୩ ରନରେ ୪ ୱିକେଟ କରି ଦେଇଥିଲେ। ପ୍ରଥମ ୯ ଓଭର୍‌ରେ ବୁମ୍ରା ଓ ସିରାଜ ୧୪ ରନ ଦେଇ ୪ ୱିକେଟ ନେଇଥିଲେ।

୧୦ମ ଓଭର ନେଇ ଆସିଥିଲେ ମହମ୍ମଦ ଶାମି। ସେ ଚରିଥ ଅସଲଙ୍କା ଓ ଦୁଶନ ହେମନ୍ତାଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଥିଲେ। ଶ୍ରୀଲଙ୍କା ୧୪ ରନରେ ୬ ୱିକେଟ ହରାଇଥିଲା। ଏହାପରେ ଶାମି ଦୁଷ୍ମନ୍ତ ଚାମୀରା ଓ ଆଞ୍ଜେଲୋ ମାଥ୍ୟୁସଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେ କସୁନ ରଜିଥାଙ୍କୁ ଆଉଟ କରି ମ୍ୟାଚ୍‌ରେ ୫ମ ୱିକେଟ ଦଖଲ କରିଥିଲେ।

ଶେଷରେ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କାଙ୍କୁ ଆଉଟ କରି ୧୯.୪ ଓଭର୍‌ରେ ୫୫ ରନ କରିଥିବା ଲଙ୍କା ବାହିନୀର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Indian Cricket Team ICC Team India ICC Men’s Cricket World Cup 2023 CWC 2023