Advertisment

ବିସିସିଆଇ ଟିକସ ମୁକ୍ତ, କିନ୍ତୁ ଆଇପିଏଲ ଟିକେଟ ପାଇଁ ଲୋକ ଦେଉଛନ୍ତି ଟିକସ ଉପରେ ଟିକସ!

ବିସିସିଆଇ ଆଇପିଏଲରୁ କରୁଥିବା ଆୟ ବାବଦରେ କୌଣସି ଟିକସ ଦେଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିମାନେ ଟିକସ କାଟର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ଖେଳାଳିଙ୍କ ୧୦% ଟିଡିଏସ୍‌ କଟୁଥିବା ବେଳେ ବିଦେଶୀ ଖେଳାଳିଙ୍କ କ୍ଷେତ୍ରରେ ଏହା ୨୦% ରହିଛି।

author-image
Hemant Lenka
IPL

IPL

ପୂରା ଦେଶରେ ଏବେ ଆଇପିଏଲର କ୍ରେଜ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଇପିଏଲ ମାନିଆ। ଆଇପିଏଲ ମ୍ୟାଚ ହେଉଥିବା ଷ୍ଟାଡିୟମରେ ଦେଖା ଯାଉଛି ଖଚାଖଚ ଭିଡ଼। ଲୋକମାନେ ହଜାର ହଜାର ଟଙ୍କା ଦେଇ ଆଇପିଏଲର ଖଣ୍ଡେ ଟିକେଟ ପାଇବାକୁ ବ୍ୟାକୁଳ। କିନ୍ତୁ ସେମାନଙ୍କ ଠାରୁ ଟିକେଟ ପାଇଁ ଟିକସ ଉପରେ ଆଦାୟ ହେଉଛି ଟିକସ। କ୍ରିକେଟ ପ୍ରେମୀ ଟିକେଟ ପାଇଁ ଦେଉଛନ୍ତି ୭୦%ରୁ ଅଧିକ ଟିକସ।

Advertisment

ଏକଥା ସମ୍ଭବତଃ ସମସ୍ତଙ୍କୁ ଚକିତ କରିପାରେ। ବାସ୍ତବରେ ଆଇପିଏଲ ଟିକେଟ କିଣିବା ପାଇଁ ଲୋକମାନେ ଟିକସ ଉପରେ ମୋଟା ଅଙ୍କର ଟିକସ ଦେଉଛନ୍ତି। ପ୍ରାଞ୍ଚାଇଜ ଠାରୁ ଆରମ୍ଭ କରି ବିସିସିଆଇ ଓ ରାଜ୍ୟ ସରକାରମାନେ ମାଲେମାଲ ହେଉଛନ୍ତି। ହେଲେ ଲୋକଙ୍କ ସ୍ୱାର୍ଥକୁ ଏଠାରେ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ଆଇପିଏଲ ଟିକେଟ ପାଇଁ ଟିକସ ଉପରେ ଟିକସ ଆଦାୟ କରାଯାଉଥିବାରୁ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଇପିଏଲ ଟିକେଟ ଓ ଟିକସ

ଆଇପିଏଲ ମ୍ୟାଚ୍‌ର ଟିକେଟଗୁଡ଼ିକ ଉପରେ କେଉଁ ଭଳି ଭାବେ ମୋଟ ଅଙ୍କର ଟିକସ ଆଦାୟ କରାଯାଉଛି, ତା’ର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ନିକଟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍‌ ପାଇଁ ବିକ୍ରି ହେଉଥିବା ଟିକେଟର ଦାମ ଦେଖି ସମସ୍ତେ ଚକିତ ହୋଇଛନ୍ତି। ୨୩୪୩ ଟଙ୍କିଆ ଟିକେଟକୁ ଏକାଧିକ ଟିକସ ଯୋଗୁ ଫ୍ୟାନ୍ସ ୪ ହଜାର ଟଙ୍କାରେ କିଣିବାକୁ ବାଧ୍ୟ ହୋଇଛନ୍ତି। ଏହାର ଅର୍ଥ ସେମାନେ ଗୋଟିଏ ଟିକେଟ ପାଇଁ ୭୦%ରୁ ଅଧିକ ଟିକସ ଦେଇଛନ୍ତି।

Advertisment

ଟିକେଟର ମୂଳ ଦାମ ହେଉଛି ୨୩୪୩.୭୫ ଟଙ୍କା। ଏହା ଉପରେ ତାମିଲନାଡୁ ସରକାର ୨୫% ମନୋରଞ୍ଜନ ଟିକସ ଆକାରରେ ଆଦାୟ କରୁଛନ୍ତି। ଏଥିପାଇଁ ୭୮୧.୨୫ ଟଙ୍କା ଲାଗୁ କରାଯାଇଛି। ଏହାର ଅର୍ଥ ଟିକେଟର ଦାମ ୩୧୨୫ ଟଙ୍କାରେ ପହଞ୍ଚୁଛି। ଏହି ଦାମ ଉପରେ ସେଣ୍ଟ୍ରାଲ ଜିଏସଟି ପାଇଁ ୧୪% ଅର୍ଥାତ ୪୩୭.୫୦ ଟଙ୍କା ଓ ରାଜ୍ୟ ଜିଏସଟି ବାବଦରେ ଆଉ ୪୩୭.୫୦ ଟଙ୍କା ଲାଗୁ ହେଉଛି। ଏହାକୁ ମିଶାଇବା ପରେ ୨୩୪୩.୭୫ ଟଙ୍କିଆ ଟିକେଟ ସିଧା ୪ ହଜାର ଟଙ୍କାରେ ବିକ୍ରି ହେଉଛି।

ଏପରି ଘଟଣା ସାମ୍ନାକୁ ଆସିବା ପରେ ଆଇପିଏଲ ଟିକେଟ ଉପରେ ଲାଗୁ ହେଉଥିବା ଟିକସ ଉପରେ ଟିକସ ନୀତିକୁ ସମସ୍ତେ ସମାଲୋଚନା କରିଛନ୍ତି। ଷ୍ଟାଡିୟମରେ ମ୍ୟାଚ୍‌କୁ ଉପଭୋଗ କରିବାକୁ ଚାହୁଁଥିବା ଲୋକଙ୍କ ଠାରୁ ଟିକେଟ ବାବଦରେ ଏତେ ପରିମାଣର ଟଙ୍କା ଆଦାୟ କରିବା ସଂପୂର୍ଣ୍ଣ ଭାବେ ଅନ୍ୟାୟ ବୋଲି ଅନେକ ମତ ରଖିଛନ୍ତି।

ତେବେ ଏପରି ବ୍ୟବସ୍ଥା କେବଳ ଚେନ୍ନାଇ ମ୍ୟାଚ୍‌ରେ ଲାଗୁ ହେଉଛି ନା ବାକି ସବୁ ଆଇପିଏଲ ମ୍ୟାଚରେ ଫ୍ୟାନ୍ସଙ୍କୁ ଟିକସ ଉପରେ ଟିକସ ଦେବାକୁ ପଡ଼ୁଛି, ସେକଥା ସ୍ପଷ୍ଟ ହୋଇନି। ଆୟୋଜକମାନେ ମଧ୍ୟ ଟିକସ ଉପରେ ଟିକସ ବ୍ୟବସ୍ଥା ନେଇ ମୁହାଁ ଖୋଲି ନାହାନ୍ତି।

ବିସିସିଆଇର ଟିକସ ମୁକ୍ତ ବ୍ୟବସ୍ଥାକୁ ନେଇ ବିତର୍କ

ସାଧାରଣ କ୍ରିକେଟ ଫ୍ୟାନ୍ସ ଅଧିକ ଟିକସ ଦେଇ ଆଇପିଏଲ ଟିକେଟ କିଣୁଥିବା ବେଳେ ବିସିସିଆଇ ଟିକସ ମୁକ୍ତ ପରିଧି ମଧ୍ୟରେ ରହିବା ସମସ୍ତଙ୍କୁ ଚକିତ କରିଛି। ଆଇପିଏଲ ଆୟରୁ ବିସିସିଆଇକୁ କୌଣସି ଟିକସ ସରକାରଙ୍କୁ ଦେବାକୁ ପଡ଼ିବ ନାହିଁ। କାରଣ ବିସିସିଆଇ ଗୋଟିଏ ଚ୍ୟାରିଟେବୁଲ ସଂଗଠନ ଭାବେ ଆୟକର ଆଇନର ଧାରା ୧୨ଏ ଅଧୀନରେ ପଞ୍ଜିକୃତ ହୋଇଛି। ଆୟକର ଆପେଲେଟ ଟ୍ରିବ୍ୟୁନାଲ ବା ଆଇଟିଏଟି ଏହି ମାନ୍ୟତାକୁ ୨୦୨୧ରେ କାଏମ ରଖିଥିଲେ। ଆଇପିଏଲ ଗୋଟିଏ ବ୍ୟବସାୟିକ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ହେଁ ବିସିସିଆଇ କ୍ରିକେଟକୁ ପ୍ରଚାର ପ୍ରସାର କରୁଥିବାରୁ ତା’ର ଆୟକୁ ଟ୍ରିବ୍ୟୁନାଲ ଆୟକର ପରିସର ବାହାରେ ରଖିଥିଲେ। ତେଣୁ ବିସିସିଆଇକୁ ନିଜର ଆୟ ପାଇଁ କୌଣସି ଟିକସ ଦେବାକୁ ପଡ଼ୁନି। 

ବିସିସିଆଇ ଆଇପିଏଲରୁ କରୁଥିବା ଆୟ ବାବଦରେ କୌଣସି ଟିକସ ଦେଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିମାନେ ଟିକସ କାଟର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ଖେଳାଳିଙ୍କ ୧୦% ଟିଡିଏସ୍‌ କଟୁଥିବା ବେଳେ ବିଦେଶୀ ଖେଳାଳିଙ୍କ କ୍ଷେତ୍ରରେ ଏହା ୨୦% ରହିଛି।

ଟିକସ ଉପରେ ଟିକସ ବ୍ୟବସ୍ଥାକୁ ନାଁ ପସନ୍ଦ

୧୪ ବର୍ଷ ହେଲାଣି ତାମିଲନାଡ଼ୁରେ ୨୫% ମନୋରଞ୍ଜନ ଟିକସ ବାବଦରେ ଆଦାୟ ହେଉଛି। ଏହାକୁ ପରିବର୍ତ୍ତନ ପାଇଁ ଦାବି ଉଠିଛି। ଜିଏସଟିରେ ମନୋରଞ୍ଜନ ଟିକସକୁ ସାମିଲ କରିବାର ଆବଶ୍ୟକ ରହିଛି। କିନ୍ତୁ ତାମିଲନାଡୁ ସରକାର ସ୍ୱତନ୍ତ୍ର ଭାବେ ଏହାକୁ ଆଦାୟ କରୁଛନ୍ତି। ଖାସ ଏହି କାରଣ ପାଇଁ ଲୋକଙ୍କୁ ଅଧିକ ଟଙ୍କାରେ ଟିକେଟ କିଣିବାକୁ ପଡ଼ୁଛି। ୨୩୪୩.୭୫ ଟଙ୍କା ଉପରେ ୨୫% ମନୋରଞ୍ଜନ ଟିକସ ଅର୍ଥାତ ୫୮୫ ଟଙ୍କା। ହେଲେ ସରକାର କାହିଁକି ୭୮୧ ଟଙ୍କା ଆଦାୟ କରୁଛନ୍ତି, ତା’ର ଉତ୍ତର ବି ମିଳିନି।

ଟିକସ ଉପରେ ଟିକସ ବ୍ୟବସ୍ଥା କ’ଣ?

୨୦୧୭ରେ ସମଗ୍ର ଦେଶରେ ଜିଏସଟି କାର୍ଯ୍ୟକାରୀ ହୋଇଥିଲା। ଏହି ସମୟରେ ମନୋରଞ୍ଜନ ଟିକସକୁ ଅନେକ ରାଜ୍ୟ ଜିଏସଟିରେ ସାମିଲ କରିଥିଲେ। ତଥାପି ସ୍ଥାନୀୟ ସରକାର ଚାହିଁଲେ ସ୍ୱତନ୍ତ୍ର ଭାବେ ମନୋରଞ୍ଜନ ଟିକସ ଆଦାୟ କରିବାର ଅଧିକାର ପାଇଛନ୍ତି। ସେଣ୍ଟ୍ରାଲ ଜିଏସଟି ଆକ୍ଟ ୨୦୧୭ର ଧାରା ୧୫(୨)ଏରେ ଏପରି ବ୍ୟବସ୍ଥା କରାଯାଇଛି।

IPL IPL 2025