Advertisment

U 19 World Cup: ଅରୁଣଙ୍କ ଶତକ: ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଭାରତ, ୬ରେ ୬ଷ୍ଠ ଟ୍ର‍ଫି ପାଇଁ କରିବ ଲଢ଼େଇ

ଫେବୃଆରୀ ୬ରେ ଭାରତ ୬ଷ୍ଠ ଥର ଟ୍ରଫି ଜିତିବାକୁ ଚେଷ୍ଟା କରିବ। ଭାରତ କ୍ରମାଗତ ୬ଷ୍ଠ ଥର ପାଇଁ ମଧ୍ୟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ସେହିପରି ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ।

author-image
Hemant Lenka
arun

ଶତକ ପରେ ଅରୁଣ

ଅଣ୍ଡର ୧୯ ବିଶ୍ୱକପ(World Cup) ଫାଇନାଲରେ ଟିମ ଇଣ୍ଡିଆ। ଜିମ୍ବାୱେରେ ଚାଲିଥିବା ଅଣ୍ଡର ୧୯ ବିଶ୍ୱକପ ସେମି ଫାଇନାଲରେ ଆଜି ଦଳ ବେଶ ସହଜରେ ଆଫଗାନିସ୍ତାନକୁ ପରାସ୍ତ କରି ଦେଇଛି। ଓପନର ଅରୁଣ ଜର୍ଜଙ୍କ ଶତକ ୧୧୫, ବୈଭବ ସୂର୍ଯ୍ୟବଂଶୀଙ୍କ ୬୮ ଓ ଅଧିନାୟକ ଆୟୁଷ ମାହେତ୍ରଙ୍କ ୬୨ ରନ ବଳରେ ଭାରତ ହାସଲ କରିଛି ଦମଦାର ବିଜୟ।

Advertisment

ଆଫଗାନିସ୍ତାନ ଦେଇଥିବା ବିଶାଳ ୩୧୧ ରନର ଲକ୍ଷ୍ୟକୁ ଦଳ ୫୩ ବଲ ପୂର୍ବରୁ ୩ ୱିକେଟ ହରାଇ ହାସଲ କରି ନେଇଛି। ଏବେ ଭାରତର ମୁକାବିଲା ଫାଇନାଲରେ ଇଂଲଣ୍ଡ ସହ ହେବ। ଏହି ମ୍ୟାଚ୍‌ଟି ଫେବୃଆରୀ ୬ରେ ଖେଳାଯିବ। ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡ ୨୭ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଚଳିତ ବିଶ୍ୱକପରେ ଇଂଲଣ୍ଡ ଓ ଭାରତ ଗୋଟିଏ ବି ମ୍ୟାଚ୍‌ ହାରି ନାହାନ୍ତି। ଫେବୃଆରୀ ୬ରେ ଭାରତ ୬ଷ୍ଠ ଥର ଟ୍ରଫି ଜିତିବାକୁ ଚେଷ୍ଟା କରିବ। ଭାରତ କ୍ରମାଗତ ୬ଷ୍ଠ ଥର ପାଇଁ ମଧ୍ୟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ସେହିପରି ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ। 

Advertisment

ଆଜିର ସେମି ଫାଇନାଲ କଥା ବିଚାରକୁ ନେଲେ ଆଫଗାନିସ୍ତାନ ଫୈଜଲ ସିନୋଜାଦାଙ୍କ ୯୩ ବଲରେ ୧୧୦ ଓ ଉଜୈରୁଲ୍ଲା ନୈଜାଇଙ୍କ  ୮୬ ବଲରେ ଅପରାଜିତ ୧୦୧ ବଳରେ ୪ ୱିକେଟ ହରାଇ ୩୧୦ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଓସମାନ ସଦତ ୩୯ ଓ ଖାଲିଦ ଅହମଦଜାଇ ୩୧ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ଦୀପନେଶ ଦେବେନ୍ଦ୍ର ୨ଟି ଓ କନିଷ୍କ ଚୌହାନ ୨ଟି ୱିକେଟ ନେଇଥିଲେ। 

୩୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତକୁ ସୂର୍ଯ୍ୟବଂଶୀ ଓ ଅରୁଣ ଦମଦାର ଆରମ୍ଭ ଦେଇଥିଲେ। ସୂର୍ଯ୍ୟବଂଶୀ ମାତ୍ର ୩୩ ବଲରେ ୬୮ ରନ କରି ଆଉଟ ହୋଇଥିଲେ ହେଁ ଅରୁଣ ସ୍ଥିତି ସମ୍ଭାଳିଥିଲେ। ସୂର୍ଯ୍ୟବଂଶୀ ତାଙ୍କ ଇନିଂସରେ ୪ଟି ଛକା ଓ ୯ଟି ଚୌକା ମାରିଛନ୍ତି। ସେ ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ ଭାରତ ଉପରେ ଆଦୌ ପଡ଼ି ନଥିଲା।

୩ନଂରେ ଆସିଥିବା ଆୟୁଷ ମାହେତ୍ର ମଧ୍ୟ ବଡ଼ ଶଟ ଖେଳିବାରେ ଲାଗିଥିଲେ। ସେ ୪ଟି ଛକା ଓ ୫ଟି ଛକା ବଳରେ ୬୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହି ସମୟରେ ଦଳୀୟ ସ୍କୋର ୨୬.୨ ଓଭରରେ ୨୦୪ରେ ପହଞ୍ଚି ଯାଇଥିଲା। ଏତିକି ବେଳେ ଅରୁଣ ସବୁ ଦାୟିତ୍ୱ ନିଜ ଉପରକୁ ନେଇ ପ୍ରଥମେ ଶତକ ହାସଲ କରିଥିଲେ। ଏହାପରେ ଭାରତକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଭିଆନ ମାଲହୋତ୍ରା ସହଯୋଗ କରିଥିଲେ।

ତେବେ ଭାରତକୁ ଜିତିବା ପାଇଁ ମାତ୍ର ୧୧ ରନ ଦରକାର ଥିବା ବେଳେ ଅରୁଣଙ୍କୁ ଆଉଟ କରି ୱାହିଦୁଲ୍ଲା ଜର୍ଦାନ ଭାରତକୁ ତୃତୀୟ ଝଟକା ଦେଇଥିଲେ। ୧୦୪ ବଲରେ ୧୧୫ ରନର ଇନିଂସ ଖେଳିଥିବା ଅରୁଣ ୨ଟି ଛକା ଓ ୧୫ଟି ଚୌକା ମାରିଛନ୍ତି। ଭିଆନ ଶେଷ ଯାଏ ୩୮ ଓ ବେଦାନ୍ତ ତ୍ରିବେଦୀ ୫ ରନ କରି କ୍ରିଜରେ ରହିବା ସହ ଭାରତକୁ ୫୩ ବଲ ପୂର୍ବରୁ ୭ ୱିକେଟରେ ବିଜୟ ଭେଟି ଦେଇଥିଲେ।   

World Cup