Advertisment

ଆଜାଦ ମୈଦାନରୁ ଡବଲ ଟନ୍‌: ଯଶସ୍ୱୀ ଜୈସୱାଲ ଓ ବିନୋଦ କାମ୍ବଲି

ଯଶସ୍ୱୀ ୨୨ ବର୍ଷ ଓ ୩୭ ଦିନ ବୟସରେ ଡବଲ ଟନ୍‌ ହାସଲ କରିଛନ୍ତି। ସେ ତୃତୀୟ ସର୍ବକନିଷ୍ଠ ଭାରତୀୟ ବ୍ୟାଟର ଭାବେ ଏପରି ରେକର୍ଡ କରିଛନ୍ତି।

Cricket

Cricket

Advertisment

ଭାରତର ଯୁବ ଓପନର ଯଶସ୍ୱୀ ଜୈସୱାଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଡବଲ ଟନ୍‌ ହାସଲ କରି ନୂଆ ରେକର୍ଡ କରିଛନ୍ତି। ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରି ଯଶସ୍ୱୀ ଜୈସୱାଲ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରଳ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି।

Advertisment

ଯଶସ୍ୱୀ ୨୨ ବର୍ଷ ଓ ୩୭ ଦିନ ବୟସରେ ଡବଲ ଟନ୍‌ ହାସଲ କରିଛନ୍ତି। ସେ ତୃତୀୟ ସର୍ବକନିଷ୍ଠ ଭାରତୀୟ ବ୍ୟାଟର ଭାବେ ଏପରି ରେକର୍ଡ କରିଛନ୍ତି। ତାଙ୍କ ଉପରେ ବିନୋଦ କାମ୍ବଲି ଓ ସୁନୀଲ ଗାଭାସ୍କର ରହିଛନ୍ତି। କାମ୍ବଲି ୨୧ ବର୍ଷ ୩୨ ଦିନ ବୟସ ଓ ଗାଭାସ୍କର ୨୧ ବର୍ଷ ୨୭୭ ଦିନ ବୟସରେ ନିଜ ନିଜର ଟେଷ୍ଟ କ୍ୟାରିୟରରେ ଡବଲ ଟନ୍‌ ହାସଲ କରିଥିଲେ।

ତେବେ କାମ୍ବଲି ଓ ଯଶସ୍ୱୀଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ରହିଛି। ଉଭୟ ବାମହାତୀ ବ୍ୟାଟର ହୋଇଥିବା ବେଳେ ଉଭୟ ଭାରତ ପାଇଁ ଡବଲ ଟନ୍‌ ହାସଲ କରିଛନ୍ତି। ଉଭୟ ଅତ୍ୟନ୍ତ ଗରିବ ପରିବାରରୁ ଆସିବା ସହ ଅନେକ ଘାତକ ଓ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ। ମୁମ୍ବାଇର ଆଜାଦ ମୈଦାନରୁ ଉଭୟଙ୍କ କ୍ରିକେଟ ଖେଳିବା ସ୍ୱପ୍ନ ଆରମ୍ଭ ହୋଇଥିଲା। ଶେଷରେ ଦୁଇ ଜଣ ଯାକ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

Advertisment

କାମ୍ବଲି ମୁମ୍ବାଇର ଅତ୍ୟନ୍ତ ଛୋଟ ଗଳିରେ ବଢ଼ିଥିଲେ। ଏହାପରେ ସେ ଶିବାଜୀ ପାର୍କରେ ନିଜ କ୍ରିକେଟ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଥିଲେ। ସମାନ ଭାବରେ ଯଶସ୍ୱୀ ପ୍ରଥମେ ଗୋଟିଏ ଟେଣ୍ଟରେ ରହିଥିଲେ। ସେହିଠାରେ ରହି ହିଁ ସେ ନିଜ କ୍ରିକେଟ ଖେଳିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରିଥିଲେ।

ମୁମ୍ବାଇର ସବୁଠାରୁ ବଡ଼ ପଡ଼ିଆ ହେଉଛି ଆଜାଦ ମୈଦାନ। ଏହି ପଡ଼ିଆରେ ଦୁଇ ବାମହାତୀ ବ୍ୟାଟର କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏଠାରେ ଥିବା ପିଚ୍‌ରେ କାମ୍ବଲି ତାଙ୍କ ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ମିଶି ରେକର୍ଡ ୬୬୪ ରନର ଭାଗିଦାରୀ କରିଥିଲେ। କାମ୍ବଲି ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଅପରାଜିତ ୩୪୯ ରନ ଓ ସଚିନ ୪ନଂରେ ବ୍ୟାଟିଂ କରିବାକୁ ଆସି ଅପରାଜିତ ୩୨୯ ରନ କରିଥିଲେ।

ଉଭୟ ତୃତୀୟ ୱିକେଟ ପାଇଁ ୬୬୪ ରନ ଯୋଡ଼ିଥିଲେ। ଏହା ଏକ ବିଶ୍ୱ ରେକର୍ଡ। ବ୍ୟକ୍ତିଗିତ ଓ ପ୍ରେଫେସନାଲ କ୍ୟାରିୟରରେ ଅନେକ ଘାତକ ପ୍ରତିଘାତର ସାମ୍ନା କରିଥିବା କାମ୍ବଲି ପରବର୍ତ୍ତୀ ଅବସ୍ଥାରେ ଦେଶ ପାଇଁ ଟେଷ୍ଟରେ ଦୁଇଟି ଡବଲ ଟନ୍‌ ମାରିଥିଲେ। ଆଜାଦ ମୈଦାନରୁ ସେ ଶିଖିଥିବା କଳାକୁ ଦେଶ ପାଇଁ ବ୍ୟବହାର କରିଥିଲେ।

କାମ୍ବଲିଙ୍କ ଆଜାଦ ମୈଦାନ ସଫଳତାର ପ୍ରାୟ ଗୋଟିଏ ଦଶନ୍ଧି ପରେ ଯଶସ୍ୱୀ ମଧ୍ୟ ସମାନ ରାସ୍ତାରେ ଚାଲିଥିଲେ। ମୁମ୍ବାଇ କ୍ରିକେଟରେ ଜୋରଦାର ପ୍ରତିଯୋଗିତା ଚାଲିଥିଲେ ହେଁ ଆଜାଦ ମୈଦାନରେ ଅଭ୍ୟାସ କରୁଥିବା ଯଶସ୍ୱୀ ହାର ମାନି ନଥିଲେ। ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ରଣଜୀ ଟିମରେ ନିଜ ସ୍ଥାନ ପକ୍କା କରିଥିଲେ। ପ୍ରଥମେ ସେ ଭାରତକୁ ଅଣ୍ଡର ୧୯ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ଏସିଆର ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।

କିଶୋର ବୟସରେ ନିଜ କ୍ରିକେଟ ସ୍ୱପ୍ନକୁ ପୂରଣ କରିବା ପାଇଁ ଯଶସ୍ୱୀ ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲି ଆସିଥିଲେ। ଆର୍ଥିକ ସଙ୍କଟ ଓ ଠିକ ଭାବେ ଖାଇବାକୁ ଯାଉଥିବା ଯଶସ୍ୱୀ ସଂଘର୍ଷ ବନ୍ଦ କରି ନଥିଲେ। କିଶୋର ବୟସରେ ସେ ମୁମ୍ବାଇର ଆଜାଦ ମୈଦାନରେ ଅଧିକାଂଶ ସମୟ ବିତାଇ ଥିଲେ। ଦୀର୍ଘ ବର୍ଷର ପରିଶ୍ରମ ପରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ଭାରତ ପାଇଁ ଖେଳିବା ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ନଥିଲା ବରଂ ଏହା ତାଙ୍କର ସବୁ କିଛି ଥିଲା। ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ସେ କେବେ ହେଲେ ପଛ ଘୁଞ୍ଚା ଦେଇ ନଥିଲେ। ସୁଯୋଗ ମିଳିବା ମାତ୍ରେ ସେ ଡେବ୍ୟୁ ମ୍ୟାଚରେ ହିଁ ଭାରତ ପାଇଁ ଟେଷ୍ଟରେ ଶତକ ହାସଲ କରିଥିଲେ। ଏବେ ସେ ଡବଲ ଟନ୍‌ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

ଆଜାଦ ମୈଦାନ ସହ ଜଡ଼ିତ ଇତିହାସକୁ ମଧ୍ୟ ଭୁଲି ଯିବା ଠିକ ହେବନି। ପ୍ରଥମେ ଏହା ଏସପ୍ଲାନେଡ ନାଁରେ ପରିଚିତ ଥିଲା। କିନ୍ତୁ ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ନାଁକୁ ପରିବର୍ତ୍ତନ କରାଯାଇଥିଲା। ୧୯୩୧ ମସିହା ଡିସେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସବୁଠାରୁ ବଡ଼ ରାଜନୀତିକ ସଭା ଏଠାରେ ହୋଇଥିଲା। ଏଠାରେ ବିଭିନ୍ନ ରାଜନୀତିକ ସଭା ଓ ଲୋଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ବିକ୍ଷୋଭ ହୋଇଥାଏ।

ପଡ଼ିଆରେ ମୋଟ ୨୨ଟି କ୍ରିକେଟ ପିଚ୍‌ ରହିଛି। ସେହିପରି ବର୍ଷ ତମାମ ଏଠାରେ ଇଣ୍ଟରସ୍କୁଲ ଓ କ୍ଲବ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥାଏ।

Indian Cricket Team Cricket Yashasvi Jaiswal Test Match Yashasvi Jaiswal Double Century
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe