Advertisment

U-19 Asia Cup: ଇତିହାସ ରଚିଲେ ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ, ମାରିଲେ ଡବଲ ଟନ୍‌

ୱିକେଟ କିପର ବ୍ୟାଟର ଭାବେ ଜଣାଶୁଣା କୁଣ୍ଡୁ ପ୍ରଥମ ଭାରତୀୟ ଭାବେ ଅଣ୍ଡର ୧୯ ଫର୍ମାଟରେ ଦୁଇ ଶତକ ହାସଲ କରିଛନ୍ତି। ଆଜି ଦୁଇ ଶତକ ମାରିବା କ୍ଷଣି ସେ ୨୩ ବର୍ଷ ତଳେ ଅମ୍ବାତି ରାୟୁଡୁ ଭାରତ ପାଇଁ ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

author-image
Hemant Lenka
Abhigyan

ଦୁଇ ଶତକ ପରେ ଅଭିଜ୍ଞାନ କୁଣ୍ଡୁ

ଅଣ୍ଡର ୧୯ ଏସିଆ କପ(Asia Cup)ରେ ଭାରତ ପାଇଁ ଇତିହାସ ରଚିଛନ୍ତି ଅଭିଜ୍ଞାନ ଅଭିଷେକ କୁଣ୍ଡୁ। ୧୭ ବର୍ଷୀୟ ଏହି ବାମହାତୀ ବ୍ୟାଟର ଜଣଙ୍କ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଅଣ୍ଡର ୧୯ ଫର୍ମାଟରେ ଭାରତର ପ୍ରଥମ ବ୍ୟାଟର ଭାବେ ଦିନିକିଆରେ ଦୁଇ ଶତକ ହାସଲ କରିଛନ୍ତି।

Advertisment

ଦୁବାଇରେ ଚାଲିଥିବା ଅଣ୍ଡର ୧୯ ଏସିଆ କପରେ ଅଭିଜ୍ଞାନ ଏହି ସଫଳତା ହାସଲ କରିଛନ୍ତି। ସେ ଆଜି ମାଲେସିୟା ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ତଥା ଅପରାଜିତ ୨୦୯ ରନର ଇନିଂସ। ସେ ୧୨୫ଟି ବଲରେ ଏପରି ଇନିଂସ ଖେଳିଥିବା ବେଳେ ତାଙ୍କ ବ୍ୟାଟରୁ ବାହାରିଛି ୧୭ଟି ଚୌକା ଓ ୯ଟି ବିଶାଳ ଛକା।

ଏହି ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୪୦୮ ରନ କରିଛି। ମାଲେସିୟାକୁ ମ୍ୟାଚ ଜିତିବା ପାଇଁ ୪୦୯ ରନର ଅସମ୍ଭବ ଟାର୍ଗେଟ ମିଳିଛି। ଅଭିଜ୍ଞାନଙ୍କ ବ୍ୟତୀତ ବେଦାନ୍ତ ତ୍ରିବେଦୀ ମଧ୍ୟ ୯୦ ରନର ଇନିଂସ ଖେଳିଛନ୍ତି। ଅଭିଜ୍ଞାନ ଓ ତ୍ରିବେଦୀ ୪ର୍ଥ ୱିକେଟ ପାଇଁ ୨୦୯ ରନ ମଧ୍ୟ ଯୋଡ଼ିଥିଲେ। 

Advertisment

ୱିକେଟ କିପର ବ୍ୟାଟର ଭାବେ ଜଣାଶୁଣା କୁଣ୍ଡୁ ପ୍ରଥମ ଭାରତୀୟ ଭାବେ ଅଣ୍ଡର ୧୯ ଫର୍ମାଟରେ ଦୁଇ ଶତକ ହାସଲ କରିଛନ୍ତି। ଆଜି ଦୁଇ ଶତକ ମାରିବା କ୍ଷଣି ସେ ୨୩ ବର୍ଷ ତଳେ ଅମ୍ବାତି ରାୟୁଡୁ ଭାରତ ପାଇଁ ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଣ୍ଡର ୧୯ ଦିନିକିଆ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ତାଲିକାର ୧ନଂ ସ୍ଥାନରେ ଏବେ ଅଭିଜ୍ଞାନ ପହଞ୍ଚି ଯାଇଛନ୍ତି।

ଏହି ଫର୍ମାଟରେ ପୂର୍ବରୁ ୧୭୭ ରନ ସହ ଅମ୍ବାତି ରାୟୁଡୁ ୧ ନମ୍ବର ସ୍ଥାନରେ ରହିଥିଲେ। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷ ଅଣ୍ଡର ୧୯ ମ୍ୟାଚରେ ଅପରାଜିତ ୧୭୭ ରନର ଇନିଂସ ଖେଳିଥିଲେ। ଏହାକୁ ଆଜି ଅଭିଜ୍ଞାନ ଅତିକ୍ରମ କରି ଯାଇଛନ୍ତି। 

ଚଳିତ ଅଣ୍ଡର ୧୯ ଏସିଆ କପର ପ୍ରଥମ ମ୍ୟାଚ୍‌ରେ ଅନ୍ୟତମ ବାମହାତୀ ବ୍ୟାଟର ତଥା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ମଧ୍ୟ ରାୟୁଡୁଙ୍କୁ ଅତିକ୍ରମ କରିବାକୁ ସୁଯୋଗ ରହିଥିଲା। କିନ୍ତୁ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୧୭୧ ରନରେ ଆଉଟ ହୋଇ ଯାଇଥିଲେ। ତଥାପି ତାଙ୍କର ବିସ୍ଫୋରକ ଇନିଂସ ଯୋଗୁ ଭରାତୀୟ ଅଣ୍ଡର ୧୯ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୪୩୩ ରନ କରି ନେଇଥିଲା। 

ଆଜି ମାଲେସିୟା ବିପକ୍ଷରେ ଅଭିଜ୍ଞାନ କୁଣ୍ଡୁ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେହିପରି ଅଣ୍ଡର ୧୯ର ଦିନିକିଆ ଫର୍ମାଟରେ ସର୍ବାଧିକ ସ୍କୋର କରିଥିବା ବିଶ୍ୱ ତାଲିକାରେ ଅଭିଜ୍ଞାନ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ତାଙ୍କ ଉପରେ ଦକ୍ଷିଣ ଆଫ୍ରିକାର ଜେ ଭାନ ସଚଲକୱକ ରହିଛନ୍ତି। ସେ ୨୦୨୫ ଜୁଲାଇରେ ଜିମ୍ବାୱେ ଅଣ୍ଡର ୧୯ ବିପକ୍ଷରେ ୨୧୫ ରନର ଇନିଂସ ଖେଳିଥିଲେ। ୨୦୯ ରନ ସହ ଏବେ ଅଭିଜ୍ଞାନ ଦ୍ୱିତୀୟରେ ରହିଛନ୍ତି। 

Asia Cup