Advertisment

ଚାମ୍ପିୟନ୍ସ ଟ୍ରଫି: ଆଫଗାନିସ୍ତାନ ଟିମରେ ୟୁନିସ ଖାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ପାକିସ୍ତାନର ଅନ୍ୟତମ ମହାନ କ୍ରିକେଟରଙ୍କ ମଧ୍ୟରୁ ୟୁନିସ ଖାନ ଅନ୍ୟତମ। ସେ ୧୧୮ଟି ଟେଷ୍ଟରେ ୧୦,୦୯୯ ରନ ସଂଗ୍ରହ କରିଥିବା ବେଳେ ଗୋଟିଏ ଥର ୩୧୩ ରନର ଇନିଂସ ଖେଳିଥିଲେ।

author-image
Hemant Lenka
Yunis Khan

Yunis Khan

ପାକିସ୍ତାନ ଓ ଦୁବାଇରେ ଖେଳା ଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ବଡ଼ ଘୋଷଣା କରିଛି ଆଫଗାନିସ୍ତାନ। ଆଜି ପାକିସ୍ତାନ ଟିମର ପୂର୍ବତନ କ୍ରିକେଟର ୟୁନିସ ଖାନଙ୍କୁ ଆଫଗାନିସ୍ତାନର ମାର୍ଗଦର୍ଶକ ବା ମେଣ୍ଟୋର ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ସେ ଚାମ୍ପିୟନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମର ମେଣ୍ଟୋର ଭୂମିକାରେ ରହିବେ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବା ଏସିବି ଏହି ଖବରକୁ ନିଶ୍ଚିତ କରିଛି। ୟୁନିସ ଖାନ ପୂର୍ବରୁ ଅର୍ଥାତ ୨୦୨୨ରେ ଆଫଗାନିସ୍ତାନର ବ୍ୟାଟିଂ କୋଚ ଭାବେ କାମ କରିଥିଲେ। ଏବେ ତାଙ୍କୁ ନୂଆ ଦାୟିତ୍ୱରେ ଦେଖିବାକୁ ମିଳିବ।  

ଏସିବି ମୁଖପାତ୍ର ସୟିଦ ନସିମ ସାଦତ କହିଛନ୍ତି, “ପାକିସ୍ତାନର ପୂର୍ବତନ ଟପ ଅର୍ଡର ବ୍ୟାଟର ୟୁନିସ ଖାନଙ୍କୁ ଏସିବି ଚାମ୍ପିୟନ୍ସ ଟ୍ରଫି ପାଇଁ ମେଣ୍ଟୋର ଭାବେ ନିଯୁକ୍ତ କରିଛି। ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ସେ ଟିମରେ ଯୋଗଦେବେ।”

Advertisment

ପାକିସ୍ତାନର ଅନ୍ୟତମ ମହାନ କ୍ରିକେଟରଙ୍କ ମଧ୍ୟରୁ ୟୁନିସ ଖାନ ଅନ୍ୟତମ। ସେ ୧୧୮ଟି ଟେଷ୍ଟରେ ୧୦,୦୯୯ ରନ ସଂଗ୍ରହ କରିଥିବା ବେଳେ ଗୋଟିଏ ଥର ୩୧୩ ରନର ଇନିଂସ ଖେଳିଥିଲେ। ନିଜର ଖେଳ ଜୀବନ ସମୟରେ ସେ ଏକଦା ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନ ମଧ୍ୟ ଦଖଲ କରିଥିଲେ। ପାକିସ୍ତାନର ଅଧିନାୟକ ଭାବେ ସେ ୨୦୦୯ରେ ଟି-୨୦ ବିଶ୍ୱକପ ଦେଶ ପାଇଁ ଜିତିଥିଲେ।

କ୍ରିକେଟରୁ ଅବସର ନେବା ପରେ ୟୁନିସ ଖାନ କୋଚିଂ ଓ ମେଣ୍ଟୋର ଭାବେ କାମ ଆରମ୍ଭ କରିଥିଲେ। ସେ କିଛି ମାସ ପାଇଁ ପାକିସ୍ତାନର ବ୍ୟାଟିଂ କୋଚ ରହିଥିଲେ। ନିକଟରେ ଅବୁ ଧାବି ଟି-୧୦ ଲିଗରେ ସେ ବଙ୍ଗଳା ଟାଇଗର୍ସର ମୁଖ୍ୟ କୋଚ ଥିଲେ।

Afganistan Champions Trophy