Advertisment

ବିଶ୍ୱକପରେ ଆଫଗାନିସ୍ତାନର ୪ର୍ଥ ବିଜୟ, ନ୍ୟୁଜିଲ୍ୟାଣ୍ଡର ସମକକ୍ଷ ହେଲା

ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ୍ସ ସମସ୍ତ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

AFG

AFG

Advertisment

ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପରେ ଆଫଗାନିସ୍ତାନ ତା’ର ବିଜୟ ଧାରା ଜାରି ରଖିଛି। ଆଜି ଦଳ ନେଦରଲ୍ୟାଣ୍ଡ୍ସକୁ ୭ ୱିକେଟ ପରାସ୍ତ କରିଛି। ଚଳିତ ବିଶ୍ୱକରେ ଏହା ଆଫଗାନର ୪ର୍ଥ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି।

Advertisment

ପାକିସ୍ତାନ ତଳକୁ ଖସିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ସହ ୮ ପଏଣ୍ଟ ହାସଲ କରି ସମକକ୍ଷ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡ ସମାନ ୮ ପଏଣ୍ଟ ପାଇଥିବା ବେଳେ ରନ ରେଟ ଆଧାରରେ ଆଫଗାନିସ୍ତାନ ଠାରୁ ଉପରେ ରହିଛି। ଆଫଗାନ ପୂର୍ବ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ଆଜି ୪ର୍ଥ ବିଜୟ ହାସଲ କରି ଦଳ ସେମି ଫାଇନାଲରେ ପ୍ରବେଶ କରିବାର ଆଶାକୁ ଆହୁରି ଦୃଢ଼ିଭୂତ କରିଛି।

ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ୍ସ ସମସ୍ତ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

ଦଳ ପକ୍ଷରୁ ଅଧିନାୟକ ହଶମତୁଲ୍ଲା ଶାହିଦି ଅପରାଜିତ ୫୯ ରନର ଇନିଂସ ଖେଳିଥିବା ବେଳେ ରହମତ ଶାହ ୫୨ ରନ କରିଛନ୍ତି। ତେବେ ବୋଲିଂରେ କମାଲ କରିଥିବା ମହମ୍ମନ ନବିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ଡଚ୍‌ ଟିମର ୩ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଲକ୍ଷ୍ନୌରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତି ଡଚ୍‌ ଟିମର ଅଧିନାୟକ ସ୍କଟ ଏଡୱାର୍ଡସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭର୍‌ରେ ଦଳ ୱେସଲେ ବାରେସିଙ୍କୁ ହରାଇଥିଲା। ଏହାପରେ ମାକ୍ସ ଓ’ ଡାଉଦ ଓ କୋଲିନ ଆକରେମାନ ଦମଦାର ବ୍ୟାଟିଂ କରିଥିଲେ। କିନ୍ତୁ ଦଳ କ୍ରମାଗତ ରନ ଆଉଟ ରୂପେ ୩ ଜଣ ବ୍ୟାଟରଙ୍କୁ ହରାଇଥିଲା।

ଫଳରେ ଡଚ୍‌ ଟିମର ବ୍ୟାଟିଂ ଲାଇନ ଅପ ଛିନଛତ୍ର ହୋଇଯାଇଥିଲା। ୪୨ ରନ ଡାଉଦ ପ୍ରଥମେ ରନ ଆଉଟ ହୋଇଥିଲା। ଏହାପରେ ଆକେରମାନ ମଧ୍ୟ ୨୯ ରନ କରି ସମଦଶା ଭୋଗିଥିଲେ। ପରବର୍ତ୍ତୀ ବଲରେ ଇନଫର୍ମ ସ୍କଟ ଏଡୱାର୍ଡସ(୦) ବି ରନ ଆଉଟ ହୋଇଥିଲେ। ବାସ ଡେ ଲିଡେ(୩), ସାକିବ ଜୁଲଫିକର(୩), ଲୋଗାନ ଭାନ ବୀକ(୨) ରନ କରି ପ୍ୟାଭିଲିୟନ ଫେରିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ସାୟବ୍ରାଣ୍ଡ ଲଢ଼େଇ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ରୋଲଫ ଭାନ ଡେର ମେରୱେଙ୍କ ସହ ତାଳମେଳ ଅଭାବରୁ ୫୮ ରନ କରି ସାୟବ୍ରାଣ୍ଡ ମଧ୍ୟ ରନ ଆଉଟ ହୋଇଥିଲେ।

ଶେଷରେ ମହମ୍ମନ ନବି ୪ ରନ କରିଥିବା ପଲ ଭାନ ମିକେରନଙ୍କୁ ଆଉଟ କରି ଡଚ୍‌ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଆଫଗାନ ପକ୍ଷରୁ ନବି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ନୁର ଅହମଦ ୨ଟି ଓ ମୁଜିବ ଉର ରହମାନ ଗୋଟିଏ ସଫଳତା ପାଇଛନ୍ତି।

୧୮୦ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ୨୭ ରନରେ ରହମନତୁଲ୍ଲା ଗୁରବାଜ(୧୧)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଲୋଗାନ ଭାନ ବିକ ନେଇଥିଲେ। ସେହିପରି ଦଳୀୟ ସ୍କୋର ୫୫ ଥିବା ବେଳେ ଅନ୍ୟତମ ଓପନର ଇବ୍ରାହିମ ଜଦ୍ରାନ(୨୦)ଙ୍କୁ ମେରୱେ କ୍ଲିନବୋଲ୍ଡ କରିଥିଲେ। କିନ୍ତୁ ଏହାପରେ ରହମତ ଓ ଶାହିଦି ସ୍ଥିତି ସମ୍ଭାଳିଥିଲେ।

ରହମତ ମଧ୍ୟ ଚଳିତ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ତୃତୀୟ ୱିକେଇ ପାଇଁ ଉଭୟ ୭୪ ରନ ଯୋଡ଼ି ଆଫଗାନିସ୍ତାନର ବିଜୟକୁ ଏକପ୍ରକାରର ପକ୍କା କରି ଦେଇଥିଲେ। ଦଳ ବିଜୟ ଆଡ଼କୁ ଯାଉଥିବା ବେଳେ ୫୨ ରନ କରିଥିବା ରହମତ ଶାହଙ୍କୁ ସକିବ ଜୁଲଫିକର ଆଉଟ କରି ଆଫଗାନକୁ ତୃତୀୟ ଝଟକା ଦେଇଥିଲେ।

ଏହାପରେ ଶାହିଦିଙ୍କୁ ସାଥ ଦେବାକୁ ଆସିଥିଲେ ଅଜମତୁଲ୍ଲା ଓମରଜାଇ। ଉଭୟ ଦମଦାର ଷ୍ଟାଇଲରେ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଶାହିଦି ମଧ୍ୟ ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଆଜି ସେ ୫୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଓମରଜାଇ ତାଙ୍କ ଭରପୂର ସାଥ ଦେଇଥିଲେ।

୩୧ ଓଭର ସୁଦ୍ଧା ଆଫଗାନିସ୍ତାନର ଦଳୀୟ ସ୍କୋର ୧୭୪ରେ ପହଞ୍ଚି ଯାଇଥିଲା। ୩୨ତମ ଓଭର ବୋଲିଂ କରିବାକୁ ଆସିଥିଲେ ୍ଆର୍ଯ୍ୟନ ଦତ୍ତ। ତାଙ୍କର ପ୍ରଥମ ବଲରେ ଓମରଜାଇ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ଶାହିଦି କୌଣସି ରନ ନେଇ ନଥିଲେ। କିନ୍ତୁ ତୃତୀୟ ବଲରେ ଚୌକା ମାରି ଆଫଗାନିସ୍ତାନକୁ ବିଶ୍ୱକପରେ ୪ର୍ଥ ବିଜୟ ଭେଟି ଦେଇଥିଲେ। ଶାହିଦି ଶେଷ ଯାଏ ୫୬ ଓ ଓମରଜାଇ ୩୧ ରନ କରି ଅପରାଜିତ ରହିଥିଲେ। 

ଏବେ ଆଫଗାନିସ୍ତାନ ଚଳିତ ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ଦଳ ସମ୍ଭବତଃ ସେମି ଟିକେଟ ମଧ୍ୟ ହାତେଇବାକୁ ସକ୍ଷମ ହେବ। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe