Advertisment

ନ୍ୟୁଜିଲ୍ୟାଣ୍ଡକୁ ଉଦ୍ଧାର କଲେ ଫିଲିପ୍ସ ଓ ଲାଥମ, ଆଫଗାନକୁ ୨୮୯ ରନର ଟାର୍ଗେଟ

ଲାଥମ ଓ ଫିଲିପ୍ସଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ ହରାଇ ୨୮୮ ରନ କରି ନେଇଛି।

NZ

NZ

Advertisment

ଚଳିତ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ନ୍ୟୁଜିଲ୍ୟାଣ୍ଡକୁ ଆଜି ଗୋଟିଏ ଲଜ୍ଜାଜନକ ସ୍ଥିତିରୁ ଅଳ୍ପକେ ରକ୍ଷା କରି ଦେଇଛନ୍ତି ଅଧିନାୟକ ଟମ ଲାଥମ ଓ ଗ୍ଲେନ ଫିଲିପ୍ସ। ବିଶ୍ୱକପରେ ଆଫଗାନିସ୍ତାନ ରବିବାର ବିପର୍ଯ୍ୟୟ ସୃଷ୍ଟି କରି ଇଂଲଣ୍ଡକୁ ହରାଇଥିବା ବେଳେ ଆଜି ନ୍ୟୁଜିଲ୍ୟାଣ୍ଡକୁ କଡ଼ା ଟକ୍କର ଦେଇଛି।

Advertisment

ଚେନ୍ନାଇରେ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଆଫଗାନିସ୍ତାନ ଏକଦା ୧୧୦ ରନରେ ନ୍ୟୁଜିଲ୍ୟାଣ୍ଡର ଟପ୍‌ ୪ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲା। ହେଲେ ଲାଥମ ଓ ଫିଲିପ୍ସ ଠିକଣା ସମୟରେ ଦମଦାର ବ୍ୟାଟିଂ କରିବା ସହ ଦଳକୁ ଗୋଟିଏ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି।

ଲାଥମ ଓ ଫିଲିପ୍ସଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ ହରାଇ ୨୮୮ ରନ କରି ନେଇଛି। ଫଳରେ ଆଫଗାନିସ୍ତାନକୁ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୨୮୯ ରନର ଟାର୍ଗେଟ ମିଳିଛି। ବୋଲିଂ ବେଳେ ଲାଥମ ଓ ଫିଲିପ୍ସଙ୍କ ଏକାଧିକ କ୍ୟାଚ୍‌ ଛାଡ଼ିବା ମଧ୍ୟ ଆଫଗାନିସ୍ତାନକୁ ମହଙ୍ଗା ପଡ଼ିଛି।

Advertisment

ଚେନ୍ନାଇରେ ଟସ୍‌ ଜିତି ଆଫଗାନ୍‌ ଅଧିନାୟକ ହଶମାତୁଲ୍ଲା ଆଫ୍ରିଦି ବୋଲିଂ ନିଷ୍ପତ୍ତି ନେଇଥିଲେ। ଡେଭନ କନୱେ ଓ ୱିଲ ୟଙ୍ଗ ଏହାକୁ ଭୁଲ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋର ୩୦ ଥିବା ବେଳେ ଇନଫର୍ମ କନୱେ(୨୦)ଙ୍କୁ ମୁଜିବ ଉର ରହମାନ ଆଉଟ କରି ଦେଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ରଚିନ ରବୀନ୍ଦ୍ର ଓ ୟଙ୍ଗ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୯ ରନ ଯୋଡ଼ିଥିଲେ। ୟଙ୍ଗ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୯ ଥିବା ବେଳେ ରବୀନ୍ଦ୍ର(୩୨)ଙ୍କୁ ଅଜମତୁଲ୍ଲା ଓମରଜାଇ ଆଉଟ କରିଥିଲେ।

ୟଙ୍ଗ(୫୪) ମଧ୍ୟ ତାଙ୍କର ଶିକାର ବନିଥିଲେ। ଇନଫର୍ମ ଡାରେଲ ମିଚେଲ(୧)ଙ୍କୁ ଆଉଟ କରି ରାଶିଦ ଖାନ ନ୍ୟୁଜିଲ୍ୟାଣ୍ଡକୁ ୪ର୍ଥ ଝଟକା ଦେଇଥିଲେ। ମାତ୍ର ୧ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇଥିଲା।

ଏତିକି ବେଳେ ଫିଲିପ୍ସ ଓ ଲାଥମ ସ୍ଥିତି ସମ୍ଭାଳିଥିଲେ। ଉଭୟ ବେଶ କିଛି ଓଭର ସତର୍କତାର ସହ ଖେଳିଥିଲେ। ସେଟ ହେବା ପରେ ସେମାନେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଉଭୟ ନିଜର ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଲାଥମ ଓ ଫିଲିପ୍ସ ୫ମ ୱିକେଟ ପାଇଁ ୧୪୪ ରନ ଯୋଡ଼ିବା ସହ ଦଳୀୟ ସ୍କୋରକୁ ୨୫୪ରେ ପହଞ୍ଚାଇ ଦେଇଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ଉଭୟ ଗୋଟିଏ ଓଭର୍‌ରେ ହିଁ ଆଉଟ ହୋଇଯାଇଥିଲେ। ପ୍ରଥମେ ନବୀନ ଉଲ ହକ ୭୧ ରନ କରିଥିବା ଫିଲିପ୍ସଙ୍କୁ ପ୍ୟାଭିଲିୟନ ପଠାଇ ଥିଲେ। ସେହି ଓଭର୍‌ର ୩ ବଲରେ ଲାଥମ(୬୮) ମଧ୍ୟ ଆଉଟ ହୋଇଥିଲେ।

୪୮ ଓଭର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡର ସ୍କୋର ୨୫୭ ରନ ରହିଥିଲା। ଶେଷ ଦୁଇ ଓଭର୍‌ରେ ମାର୍କ ଚାମ୍ପମାନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କୁ ମିଚେଲ ସାଣ୍ଟନର ଭରପୂର ସହଯୋଗ କରିଥିଲେ। ଚାମ୍ପମାନ ୧୨ ବଲରେ ଅପରାଜିତ ୨୫ ରନ ଓ ସାଣ୍ଟନର ୫ ବଲରେ ୭ ରନ କରିବାରୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ ହରାଇ ୨୮୮ ରନ କରିନେଇଛି।

ଏବେ ଆଫଗାନକୁ ମ୍ୟାଚ୍‌ ଜିତିବା ପାଇଁ ୨୮୯ ରନର ଟାର୍ଗେଟ ମିଳିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe