Advertisment

ଇତିହାସ ରଚିଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆକୁ ହରାଇଲା

ସୁପର ୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ।

author-image
Jitendra Garnayak
Crickter

Crickter

ଟି୨୦ ବିଶ୍ୱକପ୍ ୨୦୨୪ରେ ଇତିହାସ ରଚିଛି ଆଫଗାନିସ୍ତାନ। ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଆଫଗାନିସ୍ତାନ।

Advertisment

ଚଳିତ ଟି୨୦ ବିଶ୍ୱକପ୍‌ର ସୁପର ୮ ମୁକାବିଲାର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୧୨୭ ରନ୍‌ରେ ଅଟକି ଯାଇଥିଲା। ଫଳରେ ଦଳ ଆଫଗାନିସ୍ତାନଠାରୁ ୨୧ ରନ୍‌ରେ ପରାସ୍ତ ହୋଇଛି।

ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ପ୍ରଥମ ୱିକେଟ୍ ପଡ଼ିଥିଲା ୧୫.୫ ଓଭରରେ। ଆଉଟ୍ ହୋଇଥିଲେ ରହମାନୁଲ୍ଲାହ ଗୁରବାଜ। ତେବେ ସେତେବେଳକୁ ସେ ୬୦ ରନ୍ କରିସାରିଥିଲେ। ଓପନର ରହମାନୁଲ୍ଲାହ ୪୯ଟି ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ବଳରେ ୬୦ ରନ୍ କରିଥିଲେ। ରହମାନୁଲ୍ଲାହ ଓ ଇବ୍ରାହିମ ଜାଦରାନଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୧୮ ରନ୍‌ର ପାର୍ଟନରଶିପ ହୋଇଥିଲା। ରହମାନୁଲ୍ଲାହ ଆଉଟ୍ ହେବା ପରେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଚାଲିଲା। ଇବ୍ରାହିମ ଜାଦରାନ ୫୧ ରନ୍ (୪୮ ବଲ୍ , ୬ ଚୌକା) କରି ଆଉଟ୍ ହୋଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୬ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା।

Advertisment

ଅଷ୍ଟ୍ରେଲିଆକୁ ଦେଖିଲେ ଆଫଗାନିସ୍ତାନ ସେମିତି କିଛି ବଡ଼ ସ୍କୋର କରି ନଥିଲା। ଅଷ୍ଟ୍ରେଲିଆ ପାଇଁ ଏହି ବିଜୟ ଲକ୍ଷ୍ୟ ବେଶ୍ ସହଜ ହେବ ବୋଲି ମନେ ହେଉଥିଲେ। କିନ୍ତୁ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଦେଲେ ଆଫଗାନିସ୍ତାନ ବୋଲର। ସେମାନେ ଅଷ୍ଟ୍ରେଲିଆକୁ ପୂରା ୨୦ ଓଭର ଖେଳିବାକୁ ଦେଇ ନଥିଲେ। ୧୯.୨ ଓଭରରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍ ହୋଇଯାଇଥିଲା ଓ ବିଜୟ ଲକ୍ଷ୍ୟ ପୂରଣ କରିପାରି ନଥିଲା।

ପ୍ରଥମ ଓଭରରୁ ଅଷ୍ଟ୍ରେଲିଆକୁ ଝଟକା ଦେଇଥିଲେ ଆଫଗାନିସ୍ତାନ ବୋଲର। ପ୍ରଥମ ଓଭରରେ ନବୀନ ଉଲ ହକଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଟ୍ରାଭିସ ହେଡ୍‌। ସେ ଖାତା ଖୋଲିପାରି ନଥିଲେ। ତୃତୀୟ ଓଭରରେ ନବୀନ ଉଲ ହକଙ୍କ ଶିକାର ହୋଇଥିଲେ ଅଧିନାୟକ ମିଚେଲ ମାର୍ଶ। ସେ ୧୨ ରନ୍ କରିଥିବା ବେଳେ ମହମ୍ମଦ ନବୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ମାତ୍ର ୧୨ ରନ୍ କରିଥିଲେ। ଟ୍ରାଭିସ ହେଡ୍‌ଙ୍କ ସହିତ ଓପନିଂ କରିବାକୁ ଆସିଥିବା ଡାଭିଡ ୱାର୍ଣ୍ଣର ମାତ୍ର ୩ ରନ୍ କରିଥିବା ବେଳେ ମହମ୍ମଦ ନବୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।

ଗ୍ଲେନ୍ ମାକ୍ସୱେଲ ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଓ ଅନେକ ମାତ୍ରାରେ ସଫଳ ହୋଇଥିଲେ। କିନ୍ତୁ ଦଳକୁ ବିଜୟ ଦ୍ୱାର ପର୍ଯ୍ୟନ୍ତ ନେଇପାରି ନଥିଲେ। ୧୪.୪ ଓଭରରେ ଗୁଲାବଦୀନ ନାୟବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସେ ୪୧ଟି ବଲ୍‌ରୁ ୫୯ ରନ୍ କରିଥିଲେ। ତା’ ମଧ୍ୟରେ ୬ଟି ଚୌକା ଓ ୩ଟି ଛକା ରହିଥିଲା। ସେ ଆଉଟ୍ ହୋଇଯିବା ପରେ ୧୯.୨ ଓଭର ଭିତରେ ବାକି ୪ଟି ୱିକେଟ ପଡ଼ିଯାଇଥିଲା। ଟିମ୍ ଡାଭିଡ ୨ ରନ୍ କରିଥିବା ବେଳେ ମାଥ୍ୟୁ ୱାଡେ ୫ ଓ ପ୍ୟାଟ୍ କମିନ୍‌ସ ୩ ରନ୍ କରିଥିଲେ।

ଆଫଗାନିସ୍ତାନ ପକ୍ଷରୁ ଗୁଲାବଦୀନ ନାୟବ ୪ଟି ୱିକେଟ ନେଇଥିବା ବେଳେ ନବୀନ ଉଲ ହକ ୩ଟି ୱିକେଟ ନେଇଛନ୍ତି। ମହମ୍ମଦ ନବୀ, ଆଜମତୁଲ୍ଲାହ ଓମାରଜାଇ ଓ ରାଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

T20 World Cup Afghanistan Cricket Australia