ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛି। ପ୍ରଥମେ ୨୦୧୯ର ଚାମ୍ପିୟନ ଇଂଲଣ୍ଡ, ତା’ ପରେ ୧୯୯୨ର ଚାମ୍ପିୟନ ପାକିସ୍ତାନ ଓ ଆଜି ଦଳ ୧୯୯୬ର ବିଶ୍ୱକପ ବିଜେତା ଶ୍ରୀଲଙ୍କାକୁ ଧୂଳି ଚଟାଇଛି।
ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ଆଫଗାନିସ୍ତାନ ଅପେକ୍ଷାକୃତ ଶକ୍ତିଶାଳୀ ଶ୍ରୀଲଙ୍କାକୁ ହରାଇବାକୁ ସକ୍ଷମ ହୋଇଛି। ପୂର୍ବରୁ ୨୦୧୫ ଓ ୨୦୧୯ ବିଶ୍ୱକପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଦୁଇ ଥର ଯାକ ଶ୍ରୀଲଙ୍କା ବାଜିମାତ କରିଥିଲା।
କିନ୍ତୁ ଆଜି ଇତିହାସ ବଦଳିଛି। ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇବାକୁ ସକ୍ଷମ ହୋଇଛି ଆଫଗାନିସ୍ତାନ। ଚଳିତ ବିଶ୍ୱକପରେ ଏହା ଆଫଗାନିସ୍ତାନର ତୃତୀୟ ବିଜୟ। ୬ଟି ମ୍ୟାଚ୍ରୁ ଆଫଗାନ ୩ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି। ସେହିପରି ଇତିହାସ ରଚି ସେମି ଫାଇନାଲ ଖେଳିବାର ଆଶା ଏବେ ବି ଉଜ୍ଜୀବିତ ରଖିଛି।
ପୁଣେରେ ଖେଳା ଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୯.୩ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି ୪ ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ୨୪୨ ରନ ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ଝଟକା ସତ୍ତ୍ୱେ ୨୮ ବଲ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।
ଦଳ ପକ୍ଷରୁ ଅଧିନାୟକ ହଶମତୁଲ୍ଲା ଶାହିଦି ପୁଣି ଥରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ସେ ଶେଷ ଯାଏ ୫୮ ରନ କରି ଅପରାଜିତ ଥିବା ବେଳେ ଅଜମତୁଲ୍ଲା ଓମରଜାଇ ୭୩ ରନର ଇନିଂସ ଖେଳିଛନ୍ତି। ସେହିପରି ରମହତ ଶାହ ୬୨ ରନ କରିଛନ୍ତି।
୨୪୨ ରନର ଟାର୍ଗେଟ ପାଇ ଥିବା ଆଫଗାନିସ୍ତାନ ଇନିଂସର ପ୍ରଥମ ବଲରେ ରହମନତୁଲ୍ଲା ଗୁରବାଜଙ୍କୁ ହରାଇଥିଲା। ଏହାପରେ ଇବ୍ରାହିମ ଜଦ୍ରାନ ଓ ରହମତ ଶାହ ଦ୍ୱିତୀୟ ୱିକେଟ ପାଇଁ ୭୩ ରନ ଯୋଡ଼ିଥିଲେ। ଏତିକି ବେଳେ ଜଦ୍ରାନ ୩୯ ରନ କରି ଦିଲସାନ ମଧୁଶଙ୍କାଙ୍କ ବଲରେ ଆଉଟ ହୋଇଥିଲେ।
ବାସ ଏହା ଉପରେ ରହମତ ଶାହ ଓ ଅଧିନାୟକ ଶାହିଦି ଦଳର କମାଣ ସମ୍ଭାଳିଥିଲେ। ରହମତ ମଧ୍ୟ ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୩୧ ଥିବା ବେଳେ ବ୍ୟକ୍ତିଗତ ୬୨ ରନ କରି ରହମତ ଆଉଟ ହୋଇଯାଇଥିଲେ। ଆଜିର ଇନିଂସରେ ସେ ୭ଟି ଚୌକା ମାରିଛନ୍ତି। ଆଫଗାନିସ୍ତାନକୁ ଆହୁରି ୧୧୧ ରନ ଦରକାର ଥିବା ବେଳେ ଶାହିଦିଙ୍କୁ ସାଥ ଦେବାକୁ ଆସିଥିଲେ ଓମରଜାଇ।
ଉଭୟ ବେଶ ଭଲ ଭାବେ ଶ୍ରୀଲଙ୍କା ବୋଲରମାନଙ୍କର ମୁକାବିଲା କରିଥିଲେ। ଏଥିସହ ଚୌକା ଓ ସିଙ୍ଗଲ ନେଇ ଦଳୀୟ ସ୍କୋର ଆଗକୁ ବଢ଼ାଇଥିଲେ। ଏମାନଙ୍କୁ ଆଉଟ କରିବାକୁ କୁଶଲ ମେଣ୍ତିସ ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ ହେଁ କୌଣସି ପ୍ରକାରର ଲାଭ ମିଳି ନଥିଲା। ଉଭୟ ଦମଦାର ଢଙ୍ଗରେ ବ୍ୟାଟିଂ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
୯୭ ବଲରେ ୧୦୦ ରନର ଭାଗିଦାରୀ କରିଥିଲେ। ଅର୍ଦ୍ଧଶତକ ପରେ ଓମରଜାଇ ମ୍ୟାଚ୍ ଶେଷ କରିବା ମୁଡକୁ ଚାଲି ଆସିଥିଲେ। ସେ ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ। ଦଳକୁ ୩୩ ବଲରେ ଜିତିବା ପାଇଁ ୮ ରନ ଥିବା ବେଳେ ଓମରଜାଇ ଚୌକା ମାରି ବିଜୟ ବ୍ୟବଧାନକୁ ଆହୁରି କମାଇ ଦେଇଥିଲେ। ପରବର୍ତ୍ତୀ ବଲରେ ସେ ୧ ରନ ନେଇଥିଲେ। ୬ଷ୍ଠ ବଲରେ ୧ ରନ ନେଇ ଅଧିନାୟକ ଶାହିଦି ଦଳୀୟ ସ୍କୋରକୁ ୨୪୦ ରନରେ ପହଞ୍ଚାଇ ଦେଇଥିଲେ।
୪୬ତମ ଓଭରର ପ୍ରଥମ ବଲରେ ସେ ପୁଣି ୧ ରନ ନେଇ ସ୍କୋର ସମାନ ସମାନ କରି ଦେଇଥିଲେ। ଶେଷରେ ଓମରଜା ୪୫.୨ ଓଭର୍ରେ ୧ ରନ ନେଇ ଆଫଗାନିସ୍ତାନକୁ ବିଜୟ ଭେଟି ଦେଇଥିଲେ।
ଶାହିଦି ଶେଷ ଯାଏ ୫୮ ଓ ଓମରଜାଇ ୬୩ ବଲରେ ୭୩ ରନ କରି ଅପରାଜିତ ରହିଥିଲେ। ଓମରଜାଇ ତାଙ୍କ ଇନିଂସରେ ୬ଟି ଚୌକା ଓ ୩ଟି ଛକା ଏବଂ ଶାହିଦି ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଦଳର ଷ୍ଟାର ଖେଳାଳି ରାଶିଦ ଖାନ ଆଜି ତାଙ୍କର ୧୦୦ତମ ଦିନିକିଆ ଖେଳୁଥିଲେ।
ଏଥିରେ ଆଫଗାନିସ୍ତାନ ବିଜୟ ହୋଇ ତାଙ୍କ ସ୍ମରଣୀୟ ମ୍ୟାଚ୍କୁ ଆହୁରି ବିରାଟ କରି ଦେଇଛି। ମ୍ୟାଚ୍ ପରେ ଆଫଗାନିସ୍ତାନ ଖେଳାଳୀମାନେ ପଡ଼ିଆ ଚାରି ପାଖରେ ବୁଲି ଦର୍ଶକମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ।