Advertisment

ୱାର୍ଣ୍ଣର ଓ ମାର୍ଶଙ୍କ ଶତକ, ଆଫ୍ରିଦିଙ୍କୁ ୫ ୱିକେଟ: ପାକିସ୍ତାନକୁ ୩୬୮ ରନର ଟାର୍ଗେଟ

ୱାର୍ଣ୍ଣରଙ୍କ ୧୬୩ ଓ ମାର୍ଶଙ୍କ ୧୦୯ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୭ ରନ କରିଛି।

author-image
Hemant Lenka
Marsh

Marsh

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଛକା ଓ ଚୌକା ବର୍ଷା। ପାକିସ୍ତାନ ବୋଲରଙ୍କୁ ପ୍ରବଳ ପିଟିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର। ବିଶେଷ କରି ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଛି। ସେହିପରି ଶେଷ ଭାଗରେ ପାକିସ୍ତାନ ବୋଲରଙ୍କ କମବ୍ୟାକ ମଧ୍ୟ ଦେଖିବାକୁ ମିଳିଛି। ଶାହୀନ ଶାହ ଆଫ୍ରିଦି ପ୍ରଥମଥର ପାଇଁ ବିଶ୍ୱକପରେ ବ୍ୟକ୍ତିଗତ ୫ ୱିକେଟ ଦଖଲ କରିବାର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି। 

Advertisment

ୱାର୍ଣ୍ଣରଙ୍କ ୧୬୩ ଓ ମାର୍ଶଙ୍କ ୧୦୯ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୭ ରନ କରିଛି। ଏବେ ପାକିସ୍ତାନକୁ ବିଶ୍ୱକପର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଜିତିବା ପାଇଁ ୩୬୮ ରନର ବିଶାଳ ଟାର୍ଗେଟ ମିଳିଛି। ଏକଦା ଅଷ୍ଟ୍ରେଲିଆ ୪୦୦ ରନ ପାର କରିଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପାକିସ୍ତାନ ଶେଷ ଭାଗରେ କମବ୍ୟାକ କରିବା ସହ ୧୦୮ ରନରେ ଅଷ୍ଟ୍ରେଲିଆର ୯ ଜଣ ବ୍ୟାଟରଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଛି। 

ଆଜି ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ମାର୍ଶ ଓ ୱାର୍ଣ୍ଣରଙ୍କ ଯୋଡ଼ି ବିସ୍ଫୋରକ ବ୍ୟାଟିଂ କରିଥିଲେ। ୱାର୍ଣ୍ଣର ୮୫ ବଲରେ ଶତକ ହାସଲ କରିଥିବା ବେଳେ ମାର୍ଶ ୧୦୦ ବଲରେ ୧୦୦ ରନ ପୂରଣ କରିଥିଲେ। ଏହାପରେ ୱାର୍ଣ୍ଣର ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ।

Advertisment

କିନ୍ତୁ ମାର୍ଶ ୧୦୮ ବଲରେ ୧୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଶାହୀନ ଶାହ ଆଫ୍ରିଦି ନେଇଥିଲେ। ମାର୍ଶ ଆଜି ୧୦ଟି ଚୌକା ଓ ୯ଟି ଛକା ମାରିଛନ୍ତି। ସେ ୱାର୍ଣ୍ଣରଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୨୫୯ ରନ ଯୋଡ଼ିଥିଲେ। ଏହା ବିଶ୍ୱକପରେ ରେକର୍ଡ ଭାଗିଦାରୀ।

ମାର୍ଶଙ୍କ ପରବର୍ତ୍ତୀ ବଲରେ ହିଁ ଗ୍ଲେନ ମ୍ୟାକ୍ସୱେଲ(୦) ଆଉଟ ହୋଇଯାଇଥିଲେ। ଷ୍ଟିଭ ସ୍ମିଥ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲା। ତାଙ୍କ ୱିକେଟ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଓସାମା ମୀର ନେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ୱାର୍ଣ୍ଣର ତାଙ୍କ ଶଟ ବନ୍ଦ କରି ନେଇଥିଲେ। ବିଶେଷ କରି ସେ ପାକ୍‌ର ଦ୍ରୁତ ବୋଲର ହ୍ୟାରିଶ ରୌଫଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ନିଜର ୧୫୦ ରନ ପୂରଣ କରିଥିଲେ। ତେବେ ଦଳୀୟ ସ୍କୋର ୩୨୫ ଥିବା ବେଳେ ୱାର୍ଣ୍ଣର ସେହି ରୌଫଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ଆଉଟ ହୋଇ ଯାଇଥିଲେ। ଜୋଶ ଇଙ୍ଗଲିସ ଚୌକାରୁ ଖାତା ଖୋଲିଥିଲେ ହେଁ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ରୌଫ ନେଇଥିଲେ।

ଶେଷ ଭାଗରେ ମାର୍କସ ଷ୍ଟୋଇନିସ ଓ ମାର୍ନସ ଲାବୁଶାନେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ସେତେଟା ସଫଳତା ପାଇ ନଥିଲେ। ୪୭ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୩୫୪ ରନ କରିଥିଲା।

୪୮ତମ ଓଭରର ପ୍ରଥମ ବଲରେ ଆଫ୍ରିଦି ୨୪ ବଲରେ ୨୧ ରନ କରିଥିବା ଷ୍ଟୋଇନିସଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ରନ ସଂଗ୍ରହ ହାରରେ ବ୍ରେକ ଲଗାଇ ଦେଇଥିଲେ। ସେ ଏହି ଓଭର୍‌ରେ ୪ ରନ ଦେବା ସହ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ୪୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ବୋଲର ରୌଫ। ହେଲେ ସେ ଏହି ଓଭର୍‌ରେ ଲାବୁଶାନେ(୮)ଙ୍କ ୱିକେଟ ନେବା ସହ କେବଳ ୫ ରନ ଦେଇଥିଲେ। ରୌଫ ଆଜି ୮ ଓଭର ବୋଲିଂ କରିଥିବା ବେଳେ ୩ ୱିକେଟ ନେଇ ୮୩ ରନ ଦେଇଛନ୍ତି। 

ପାକିସ୍ତାନ ପାଇଁ ଶେଷ ଓଭର ପକାଇଥିଲେ ଆଫ୍ରିଦି। ସେ ପ୍ରଥମ ବଲରେ ମିଚେଲ ଷ୍ଟାର୍କ(୨)ଙ୍କୁ ଆଉଟ କରି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୪ର୍ଥ ୱିକେଟ ଦଖଲ କରିଥିଲେ। ଦ୍ୱିତୀୟ ବଲରେ ମଧ୍ୟ ସେ ଜୋଶ ହେଜେଲଉଡଙ୍କ ୱିକେଟ ଦଖଲ କରିଥିଲେ। ଚଳିତ ବିଶ୍ୱକପରେ ଆଫ୍ରିଦି ୫ଟି ୱିକେଟ ନେବାର ରେର୍କର ଅଧିକାରୀ ହୋଇଥିଲେ। ସେ ସାଜଦା ମଧ୍ୟ କରିଥିଲେ। ଏହାର ଅର୍ଥ ସେ ତଳେ ଆଣ୍ଠେଇ ପିଡିଆକୁ କିସ୍‌ କରିଥିଲେ। 

ଅଷ୍ଟ୍ରେଲିଆର ଶେଷ ବ୍ୟାଟର ଆଡାମ ଜାମ୍ପା ହ୍ୟାଟ୍ରିକ ବଲର ସମ୍ମୁଖୀନ ହେବାକୁ ଆସିଥିଲେ। ହେଲେ ଉକ୍ତ ବଲଟି ୱାଇଡ ହୋଇଯାଇଥିଲା। ପରବର୍ତ୍ତୀ ବଲରେ ସେ ୧ ରନ ହାସଲ କରିଥିଲେ। ୪ର୍ଥ ବଲରେ କୌଣସି ରନ ହୋଇ ନଥିଲା। ୫ମ ବଲ ମଧ୍ୟ ଡଟ ହୋଇଥିଲା। ଶେଷ ବଲରେ ପାଟ କମିନ୍ସ ୨ ରନ ହାସଲ କରିବାକୁ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୩୬୭ ରନ କରିଥିଲା। 

ପାକିସ୍ତାନ ପକ୍ଷରୁ ଆଫ୍ରିଦି ୫ଟି, ରୌଫ ୩ଟି ଓ ମୀର ଗୋଟିଏ ସଫଳତା ପାଇଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup