ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କଥା ରଖିଲେ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ବ୍ୟାଟର୍ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ। ଲଗାତର ଖରାପ ଫର୍ମ ଦେଇ ଗତି କରୁଥିବା ଏହି ଦୁଇ ଗାଙ୍ଗୁଲିଙ୍କ ପରାମର୍ଶ କ୍ରମେ ରଣଜୀ ଟ୍ରଫି ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୦ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେବ। ରଣଜୀ ଟ୍ରଫିରେ ପୂଜାରା ସୌରାଷ୍ଟ୍ର ଏବଂ ରାହାଣେ ମୁମ୍ବାଇ ପକ୍ଷରୁ ଖେଳିବେ।
ପ୍ରଥମେ ଇଂଲଣ୍ଡ ଏବଂ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଏହି ଦୁଇ ଷ୍ଟାର୍ ଖେଳାଳି ରନ୍ ପାଇଁ ଖୁବ୍ ସଂଘର୍ଷ କରିଥିଲେ। ଯେଉଁ କାରଣରୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟେଷ୍ଟ ସିରିଜରେ ଦୁହିଁଙ୍କ ବାଦ୍ ପଡ଼ିବା ଏକପ୍ରକାର ନିଶ୍ଚିତ। ତେବେ ଫର୍ମ ହାସଲ ପାଇଁ ରାହାଣେ ଓ ପୂଜାରାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଗାଙ୍ଗୁଲି ପରାମର୍ଶ ଦେଇଥିଲେ। ଆଉ ଦୁହେଁ ଗାଙ୍ଗୁଲିଙ୍କ ପରାମର୍ଶକୁ ସମ୍ମାନ କରି ରଣଜୀ ଟ୍ରଫିରେ ଉପଲବ୍ଧ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ରଣଜୀ ଟ୍ରଫି ପାଇଁ ରାହାଣେଙ୍କୁ ମୁମ୍ବାଇ ଓ ପୂଜାରାଙ୍କୁ ସୌରାଷ୍ଟ୍ର ଦଳରେ ସ୍ଥାନ ମିଳିଛି। ଉଭୟ ସୌରାଷ୍ଟ୍ର ଓ ମୁମ୍ବାଇ ଟିମ୍ ଗ୍ରୁପ୍-ଡି’ରେ ଓଡ଼ିଶା ଓ ଗୋଆ ସହ ସ୍ଥାନ ପାଇଛନ୍ତି। ଗ୍ରୁପ୍-ଡି’ ମ୍ୟାଚ୍ ଗୁଡ଼ିକ ଅହମଦାବାଦରେ ଖେଳାଯିବ। ଜୟଦେବ ଉନାଦକତଙ୍କ ନେତୃତ୍ୱରେ ଆଜି ୨୧ ଜଣିଆ ସୌରାଷ୍ଟ୍ର ଦଳର ଘୋଷଣା କରାଯାଇଛି। ସେହିପରି ୨୧ ଜଣିଆ ମୁମ୍ବାଇ ଟିମର ନେତୃତ୍ୱ ନେବେ ପୃଥ୍ୱୀ ଶ’। କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ସୂଚନାଯୋଗ୍ୟ, ଉଭୟ ପୂଜାରା ଓ ରାହାଣେଙ୍କ ବ୍ୟାଟ୍ ଗତ ବର୍ଷେ ହେବ ଚୁପ୍ ରହିଛି। ୨୦୨୦ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟରେ ରାହାଣେ ନିଜର ଶେଷ ଶତକ ମାରିଥିଲେ। ଏହା ପରଠାରୁ ରାହାଣେ ୨୭ ଇନିଂସରେ ୨୦.୨୫ ହାରରେ ମାତ୍ର ୫୪୭ ରନ୍ କରିଛନ୍ତି, ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ରହିଛି। ଆଉ ଏହାରି ଭିତରେ ରାହାଣେ ବ୍ୟାଟିଂ ହାର୍ ୪୩ରୁ ୩୯କୁ ଖସିଆସିଛି। ରାହାଣେ ୨୦୧୯-୨୦ରେ ଶେଷଥର ଲାଗି ରଣଜୀ ଟ୍ରଫି ଖେଳିଥିଲେ।
ସେହିପରି ପୂଜାରା ତିନି ବର୍ଷ ତଳେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଶତକ ମାରିଥିଲେ। ଏହା ପରଠାରୁ ପୂଜାରା ୪୮ ଇନିଂସରେ ୨୭.୩୮ ହାରରେ ୧୨୮୭ ରନ୍ କରିଛନ୍ତି, ଯେଉଁଥିରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ସର୍ବାଧିକ ୯୧ ରନ୍ ସାମିଲ୍ ଅଛି। ରାହାଣେଙ୍କ ଭଳି ତାଙ୍କ କ୍ୟାରିୟରର ବ୍ୟାଟିଂ ଆଭରେଜ୍ ୪୭ରୁ ୪୪.୨୫କୁ ଖସି ଆସିଛି। ପୂଜାରା ୨୦୧୯-୨୦ ରଣଜୀ ଟ୍ରଫି ଫାଇନାଲ୍ ଖେଳିଥିଲେ। ସେ ଏହି ମ୍ୟାଚରେ ୬୬ ରନର ଇନିଂସ୍ ଖେଳିଥିଲେ, ଯାହା ଦମରେ ସୌରାଷ୍ଟ୍ର ବେଙ୍ଗଲକୁ ହରାଇ ଚାମ୍ପିୟନ୍ ହୋଇଥିଲା।
ମୁମ୍ବାଇ ସ୍କ୍ୱାଡ୍: ପୃଥ୍ୱୀ ଶ’ (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଯଶସ୍ୱୀ ଜୈସୱାଲ୍, ଆକର୍ଷିତ ଗୋମେଲ, ଅରମାନ୍ ଜାଫର, ସର୍ଫରାଜ ଖାନ୍, ସଚିନ୍ ଯାଦବ, ଆଦିତ୍ୟ ତାରେ (ୱିକେଟ୍ କିପର), ହାର୍ଦ୍ଦିକ ତମୋରେ (ୱିକେଟ୍ କିପର), ଶିବମ ଦୁବେ, ଅମନ୍ ଖାନ୍, ଶାମ୍ସ ମୁଲାନୀ, ତନୁଷ କୋଟିଆନ୍, ପ୍ରଶାନ୍ତ ସୋଲାଙ୍କି, ଶଶାଙ୍କ ଅଟ୍ଟର୍ଡେ, ଧୱଲ୍ କୁଲକର୍ଣ୍ଣି, ମୋହିତ୍ ଅୱସ୍ତୀ, ପ୍ରିନ୍ସ ବଡିଆନୀ, ସିଦ୍ଧାର୍ଥ ରାଉତ, ରୋସ୍ତାନ ଡିଆସ୍, ଅର୍ଜୁନ ତେନ୍ଦୁଲକର।
ସୌରାଷ୍ଟ୍ର ସ୍କ୍ୱାଡ୍: ଜୟଦେବ ଉନାଦକତ୍ (କ୍ୟାପଟେନ୍), ଚେତେଶ୍ୱର ପୂଜାରା, ଶେଲଡନ୍ ଜ୍ୟାକସନ୍, ଅର୍ପିତ ବସବଡ଼ା, ଚିରାଗ ଜାନି, କମଲେଶ ମକୱାନା, ଧର୍ମେନ୍ଦ୍ରସିଂ ଜାଡେଜା, ଚେତନ ସକାରିୟା, ପ୍ରେରକ ମାଙ୍କଡ୍, ବିଶ୍ୱରାଜସିଂ ଜାଡେଜା, ହାର୍ଭିକ ଦେଶାଇ, କେଭିନ୍ ଜିଭରଜାନୀ, କୁଶାଙ୍ଗ ପଟେଲ, ଜୟ ଚୌହାନ, ସମର୍ଥ ବ୍ୟାସ, ପାର୍ଥକୁମାର ଭୁଟ୍, ଯୁବରାଜସିଂ ଚୁଡାସମା, ଦେବାଙ୍ଗ କମର୍ତ୍ତା, ସ୍ନେଲ୍ ଫଟେଲ, କିଶନ ପରମାର, ଆଦିତ୍ୟ ଜାଡେଜା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।