Advertisment

ରଣଜୀ ଟ୍ରଫି ନ ଖେଳିଲେ, ଆଇପିଏଲ ମନା: ଈଶାନ କିଶନଙ୍କ ଉପରେ ବିସିସିଆଇ ଖପ୍ପା!

ଆଇପିଏଲ ଖେଳିବା ପାଇଁ ରଣଜୀ ଟ୍ରଫିର କିଛି ମ୍ୟାଚ୍‌ ଖେଳିବା ବାଧ୍ୟତାମୂଳକ ଭଳି କଡ଼ା ନିୟମ ବିସିସିଆଇ ଖୁବଶୀଘ୍ର ପ୍ରଣୟନ କରିବ ବୋଲି ଜଣାପଡ଼ିଛି।

Ishan Kishan

Ishan Kishan

Advertisment

ଝାରଖଣ୍ଡର ୱିକେଟ କିପର ବ୍ୟାଟର ଈଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଇଚ୍ଛା କରୁ ନାହାନ୍ତି। ଏବେ ସେ କେବଳ ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି।

Advertisment

ଈଶାନଙ୍କ ଏଭଳି ଆଭିମୁଖ୍ୟ ଦେଖି ବିସିସିଆଇ ତାଙ୍କ ଉପରେ ଖପ୍ପା ହୋଇଛି। ତେଣୁ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କୁ ବିସିସିଆଇ ଆଇପିଏଲରେ ମଧ୍ୟ ଖେଳିବାକୁ ସୁଯୋଗ ନ ଦେବା ସପକ୍ଷରେ ବିଚାର କରୁଛି। ଆଇପିଏଲ ଖେଳିବା ପାଇଁ ରଣଜୀ ଟ୍ରଫିର କିଛି ମ୍ୟାଚ୍‌ ଖେଳିବା ବାଧ୍ୟତାମୂଳକ ଭଳି କଡ଼ା ନିୟମ ବିସିସିଆଇ ଖୁବଶୀଘ୍ର ପ୍ରଣୟନ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିସିସିଆଇର ବରିଷ୍ଠ ଅଧିକାରୀମାନେ ଈଶାନ କିଶନଙ୍କୁ ଝାରଖଣ୍ଡ ପାଇଁ ଖେଳିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଜାମସେଦପୁରରେ ଝାରଖଣ୍ଡର ଶେଷ ଗ୍ରୁପ ଲିଗ ଗେମ ରାଜସ୍ଥାନ ବିପକ୍ଷରେ ଅନୁଷ୍ଠିତ ହେବ।

Advertisment

ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଈଶାନ କିଶନଙ୍କୁ ଭାଗ ନେବାକୁ କୁହାଯାଇଛି। ଈଶାନ କିଶନ ଯେଉଁ ଭଳି ଦକ୍ଷିଣ ‌ଆଫ୍ରିକା ସିରିଜ ଅଧାରୁ ସ୍ୱଦେଶ ଫେରିଥିଲେ ଓ ଏହାପରେ ରଣଜୀ ଟ୍ରଫି ମ୍ୟାଚ୍‌ଗୁଡ଼ିକରେ ଖେଳିଲେ ନାହିଁ, ତା’କୁ ବିସିସିଆଇ ସହଜରେ ହଜମ କରିପାରି ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରଣଜୀ ଟ୍ରଫି ଖେଳିବା ବଦଳରେ ସେ ବରୋଦାରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ସହ ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିଲେ। ଝାରଖଣ୍ଡ ରଣଜୀ ଟ୍ରଫି ପଏଣ୍ଟ ଟେବୁଲର ତଳେ ଥିବା ବେଳେ ଈଶାନ ଦଳ କଥା ଚିନ୍ତା କରୁ ନାହାନ୍ତି। ସେ ଆଇପିଏଲ ଖେଳିବାକୁ ଅଧିକ ଫୋକସ କରୁଥିବାରୁ ବିସିସିଆଇ ତାଙ୍କ ଉପରେ ଖପ୍ପା ହୋଇଛି।

ତେଣୁ ବିସିସିଆଇ ଯୁବ ଖେଳାଳିଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ରଣଜୀ ମ୍ୟାଚ୍‌ ଖେଳିବା ବାଧ୍ୟତାମୂଳକ ଭଳି ନିୟମ ପ୍ରଣୟନ କରିବାକୁ ଯାଉଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବିସିସିଆଇରେ ନିଷ୍ପତ୍ତି ନେଉଥିବା ଅଧିକାରୀମାନେ ଭଲ ଭାବେ ଜାଣିଛନ୍ତି ଯେ କିଛି ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଚାହୁଁ ନାହାନ୍ତି। ଯେଉଁମାନେ ଇଣ୍ଡିଆନ ଟିମରୁ କୌଣସି କାରଣ ପାଇଁ ବାଦ ପଡ଼ୁଛନ୍ତି ସେମାନେ ଅତି ବେଶୀରେ କେବଳ ମୁସ୍ତାକ ଅଲୀ ଟି-୨୦ ଗେମ୍ସ ଖେଳୁଛନ୍ତି।

ସେମାନେ ନିଜ ଘରୋଇ ଟିମ ସହ ରଣଜୀ ମ୍ୟାଚ୍‌ ଖେଳୁ ନାହାନ୍ତି। ସେଭଳି ଖେଳାଳିମାନଙ୍କ ପାଇଁ ବିସିସିଆଇ ନୂଆ ନିୟମ ଆଣିପାରେ। ଯଦି କୌଣସି ଖେଳାଳି ୩ରୁ ୪ଟି ରଣଜୀ ଟ୍ରଫି ନ ଖେଳିବେ, ତା’ହେଲେ ସେମାନଙ୍କୁ ଆଇପିଏଲରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ। ଏପରି କି ସେମାନଙ୍କୁ ଯଦି କୌଣସି ଫ୍ରାଞ୍ଚାଇଜ ରିଲିଜ କରି ଦିଅନ୍ତି, ତା’ହେଲେ ଅକ୍ସନରେ ମଧ୍ୟ ସେମାନଙ୍କୁ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ।

ଆମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ବୁଝି ପାରୁଛୁ। ସେ ରେଡ ବଲ କ୍ରିକେଟ ଖେଳିବାକୁ ଫିଟ ହୋଇ ନାହାନ୍ତି। ତାଙ୍କୁ ଟେଷ୍ଟ କ୍ରିକେଟର ୱାର୍କଲୋଡରୁ ବାଦ ଦିଆଯାଉଛି। କାରଣ ଭାରତ ତାଙ୍କୁ ଆଇସିସି ଇଭେଣ୍ଟ ପାଇଁ ଫିଟ ରଖିବାକୁ ଚାହୁଁଛି। କିନ୍ତୁ ଆଉ କିଛି ଯୁବ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଡକାଗଲେ ବି ଫିଜିଓ ଚାଲିଥିବା କହି ଏହାକୁ ଅଣଦେଖା କରୁଛନ୍ତି। ଏହା ବନ୍ଦ ହେବା ଜରୁରୀ।”

ବିସିସିଆଇର ଏପରି ଆଭିମୁଖ୍ୟ ପରେ ଈଶାନ କିଶନ ଝାରଖଣ୍ଡର ଶେଷ ମ୍ୟାଚ୍‌ ଖେଳିବାକୁ ଜାମସେଦପୁର ଯାଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Cricket Ishan Kishan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe