Advertisment

ବ୍ୟାଟିଂ ବେଳେ ଆହତ ହୋଇଥିଲେ ରାହାଣେ, କିନ୍ତୁ ସ୍କାନ ପାଇଁ ଗଲେନି

ରାହାଣେ ଶତକ ଆଡ଼କୁ ଯାଉଥିବା ବେଳେ ୮୯ ରନରେ ଆଉଟ ହୋଇଯାଇଥିଲେ। ତଥାପି ୧୦୦ ରନ ଭିତରେ ୪ ୱିକେଟ ହରାଇଥିବା ଭାରତ ୨୯୬ ରନ କରିବାକୁ ସକ୍ଷମ ହୋଇଥିଲା।

author-image
Hemant Lenka
Ajinkya Rahane

Ajinkya Rahane

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଭାରତ ପାଇଁ ସର୍ବାଧିକ ୮୯ ରନ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ସେ ନିଜ ଦେଶ ଓ ଟିମକୁ ସମସ୍ୟାରୁ ମୁକୁଳାଇବା ପାଇଁ ସବୁ କଷ୍ଟ ସହିବାକୁ ସକ୍ଷମ ବୋଲି ପ୍ରମାଣ କରି ଦେଖାଇଛନ୍ତି।

Advertisment

ଆହତ ସତ୍ତ୍ୱେ ସେ ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରୀତ କରି ରଖିବା ପାଇଁ ସ୍କାନ କରିବାକୁ ଯାଇ ନଥିଲେ। କଷ୍ଟ ହେଉଥିଲେ ମଧ୍ୟ ସେ ଶାର୍ଦ୍ଦୁଲ ଠାକୁର(୫୧)ଙ୍କ ସହ ମିଶି ଦଳ ପାଇଁ ଲଢ଼େଇ କରିଥିଲେ।

ପ୍ରଥମ ଇନିଂସରେ ବ୍ୟାଟିଂ କରିବା ବେଳେ ପାଟ କମିନ୍ସଙ୍କ ଗୋଟିଏ ବାଉନ୍ସର ରାହାଣେଙ୍କ ଡାହାଣ ହାତର ଇଣ୍ଡେକ୍ସ ଅଙ୍ଗୁଳି(ବୁଢ଼ା ଅଙ୍ଗୁଳି ପାଖରେ ଥିବା ଅଙ୍ଗୁଳି)ରେ ବାଜିଥିଲା। ସେ କଷ୍ଟ ଅନୁଭବ କରିବା ସହ ଫିଜିଓଙ୍କୁ ଆଶୁ ଚିକିତ୍ସା ପାଇଁ ଡାକିଥିଲେ। କିଛି ସମୟର ସ୍ପ୍ରେ ପରେ ରାହାଣେ ବ୍ୟାଟିଂ କରିଥିଲା।

Advertisment

ସେ ଗୋଟିଏ ଛକା ଓ ୧୧ଟି ଚୌକା ବଳରେ ୭ମ ୱିକେଟ ପାଇଁ ଶାର୍ଦ୍ଦୁଲଙ୍କ ସହ ମିଶି ୧୦୯ ରନ ଯୋଡ଼ିଥିଲେ। ରାହାଣେ ଶତକ ଆଡ଼କୁ ଯାଉଥିବା ବେଳେ ୮୯ ରନରେ ଆଉଟ ହୋଇଯାଇଥିଲେ। ତଥାପି ୧୦୦ ରନ ଭିତରେ ୪ ୱିକେଟ ହରାଇଥିବା ଭାରତ ୨୯୬ ରନ କରିବାକୁ ସକ୍ଷମ ହୋଇଥିଲା। ଅବଶ୍ୟ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଠାରୁ ଏହା ୧୭୩ କମ।

ତେବେ ଆଜି ରାହାଣେଙ୍କ ଆହତ ଓ ଦଳ ପ୍ରତି ଥିବା ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ତାଙ୍କ ସ୍ତ୍ରୀ ରାଧିକା ସମସ୍ତଙ୍କୁ ସୂଚନା ଦେଇଛନ୍ତି। ବ୍ୟାଟିଂ ଉପରେ ଫୋକସ କରିବା ପାଇଁ ବଲ ମାଡ଼ ହେବା ସତ୍ତ୍ୱେ ସେ ସ୍କାନ ପାଇଁ ହସ୍ପିଟାଲ ଯାଇ ନଥିଲେ ବୋଲି ରାଧିକା କହିଛନ୍ତି।

ସେ କହିଛନ୍ତି, ଅଙ୍ଗୁଳି ଫୁଲି ଥିବା ସତ୍ତ୍ୱେ ରାହାଣେ ସ୍କାନ ପାଇଁ ମନା କରିଥିଲେ। ବ୍ୟାଟିଂ ଉପରେ ଫୋକସ ଓ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରି ରଖିବା ପାଇଁ ସେ ଏପରି କରିଥିଲେ। ଏହା ଅଦ୍ଭୂତ ନିଃସ୍ୱାର୍ଥପରତା ଓ ପ୍ରତିବଦ୍ଧତାକୁ ଦର୍ଶାଉଛି। ସବୁ ପ୍ରକାରର କଷ୍ଟ ସତ୍ତ୍ୱେ ରାହାଣେ ନିଜର ପ୍ରତିବଦ୍ଧତା ଦେଖାଇ କ୍ରିଜ୍‌ରେ ରହିଥିଲେ। ଏହା ଆମ ସମସ୍ତଙ୍କୁ ପ୍ରେରଣା ଦେଇଛି। ମୁଁ ସବୁବେଳେ ତୁମ ଟିମ ସ୍ପିରିଟ ପାଇଁ ଗର୍ବିତ ବୋଲି ରାଧିକା କହିଛନ୍ତି।  

୧୮ ମାସ ପରେ ରାହାଣେ ଭାରତ ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଓଭାଲ ଗ୍ରାଉଣ୍ଡରେ ଓହ୍ଲାଇଥିଲେ। ସେ ଦମଦାର ବ୍ୟାଟିଂ କରିବା ସହ ୮୯ ରନର ଇନିଂସ ଖେଳିଥିଲେ। ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ଦ୍ୱିତୀୟ ଇନିଂସରେ ରାହାଣେଙ୍କ ସମେତ ସବୁ ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

India Vs Australia World Test Championship Finale WTC WTC Final