Advertisment

୪ର୍ଥ ଟେଷ୍ଟରୁ ଆକାଶ ଦୀପ ଆଉଟ୍‌, ଡେବ୍ୟୁ କରିପାରନ୍ତି କମ୍ବୋଜ

ତୃତୀୟ ଟେଷ୍ଟରେ ଆହତ ହୋଇଥିବା ଋଷଭ ପନ୍ତ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ଏପରି କି ସେ ମାଞ୍ଚେଷ୍ଟରରେ ଭାରତ ପାଇଁ ୱିକେଟ କିପିଂ ମଧ୍ୟ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
akash Deep

akash Deep

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି। ଆସନ୍ତାକାଲି ଠାରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଯାଉଥିବା ୪ର୍ଥ ଟେଷ୍ଟରୁ ଭାରତର ଦ୍ରୁତ ବୋଲର ଆକାଶ ଦୀପ ବାଦ ପଡ଼ିଛନ୍ତି। ଏକଥା ଆଜି ଭାରତୀୟ ଟିମର ଅଧିନାୟକ ଶୁବମନ ଗିଲ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଆହତ ସମସ୍ୟା ପାଇଁ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଇଂଲଣ୍ଡ ସିରିଜରୁ ବାଦ ପଡ଼ିଥିଲେ। ସେହିପରି ଡେବ୍ୟୁ ଅପେକ୍ଷାରେ ଥିବା ଅର୍ଶଦୀପ ସିଂହ ମଧ୍ୟ ଆହତ ହୋଇ ୪ର୍ଥ ଟେଷ୍ଟରୁ ବଞ୍ଚିତ ହୋଇଥିଲେ।

Advertisment

୩ ପ୍ରମୁଖ ଖେଳାଳି ବାଦ ପଡ଼ିଥିବାରୁ ଯୁବ ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏବେ ସେ ଆସନ୍ତାକାଲି ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିପାରନ୍ତି। କମ୍ବୋଜ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭାରତ ଏ ପାଇଁ ଦମଦାର ବୋଲିଂ କରିଥିଲେ। କିନ୍ତୁ ତାଙ୍କ ଇଂଲଣ୍ଡରେ ରଖିବା ବଦଳେ ଭାରତ ପଠାଇ ଦିଆଯାଇଥିଲା। ଏବେ ସେ ପୁଣି ଇଂଲଣ୍ଡକୁ ଡାକରା ପାଇ ଯାଇଛନ୍ତି। ୪ର୍ଥ ଟେଷ୍ଟରେ କମ୍ବୋଜ କିମ୍ବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ।

ଆହତ ସମସ୍ୟା ଭିତରେ ଆଜି ଗିଲ ଗୋଟିଏ ଭଲ ଖବର ଦେଇଛନ୍ତି। ତୃତୀୟ ଟେଷ୍ଟରେ ଆହତ ହୋଇଥିବା ଋଷଭ ପନ୍ତ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ଏପରି କି ସେ ମାଞ୍ଚେଷ୍ଟରରେ ଭାରତ ପାଇଁ ୱିକେଟ କିପିଂ ମଧ୍ୟ କରିବେ। ପନ୍ତ ଫିଟ ହୋଇ ଯାଇଥିବାରୁ ଭାରତକୁ ଚୂଡ଼ାନ୍ତ ଏକାଦଶରେ ଆଉ ଧ୍ରୁବ ଜୁରେଲଙ୍କୁ ୱିକେଟ କିପର ଭାବେ ସାମିଲ କରିବାକୁ ପଡ଼ିବ ନାହିଁ।

Advertisment

ଏହା ବଦଳରେ ଦଳ ଜଣେ ସ୍ପେଶାଲିଷ୍ଟ ବୋଲର କିମ୍ବା ବ୍ୟାଟରଙ୍କୁ ସାମିଲ କରିପାରିବ। ଆହତ ସମସ୍ୟା ଯୋଗୁ ଭାରତର ଚୂଡ଼ାନ୍ତ ଏକାଦଶରେ ଆସନ୍ତାକାଲି ଦୁଇଟି ପରିବର୍ତ୍ତନ ହେବା ନିଶ୍ଚିତ। ନୀତୀଶ ରେଡ୍ଡୀ ଓ ଆକାଶ ଦୀପଙ୍କ ସ୍ଥାନରେ ଦୁଇ ନୂଆ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସାମିଲ ହେବ।

ଗିଲ କହିଛନ୍ତି, “ନୀତୀଶ ରେଡ୍ଡୀ ସିରିଜରୁ ବାଦ ପଡ଼ିଛନ୍ତି। ଆକାଶ ଦୀପ ଓ ଅର୍ଶଦୀପ ସିଂହ ୪ର୍ଥ ଟେଷ୍ଟ ଖେଳିବେ ନାହିଁ। କିନ୍ତୁ ଆମ ପାଖରେ ଭଲ ଖେଳାଳି ରହିଛନ୍ତି। ଆମେ କେମିତି ୨୦ଟି ୱିକେଟ ନେବୁ, ତା’ଉପରେ ଫୋକସ କରିବୁ।”

Test Cricket Test Match Akash Deep