Anshul Kamboj
ଆଜି ଠାରୁ ମାଞ୍ଚେଷ୍ଟରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ୪ର୍ଥ ଟେଷ୍ଟ। ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଆଣ୍ଡରସନ-ତେନ୍ଦୁଲକର ୫ ଟିକିଆ ସିରିଜରେ ୧-୨ରେ ପଛରେ ଥିବା ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି।
ଆହତ ସମସ୍ୟା ଯୋଗୁ ନୀତୀଶ କୁମାର ରେଡ୍ଡୀ ଓ ଆକାଶ ଦୀପ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ସେହିପରି ଖରାପ ଫର୍ମ ପାଇଁ କରୁଣ ନାଏର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ଏହି ୩ ଖେଳାଳିଙ୍କ ବଦଳରେ ସାଇ ସୁଦର୍ଶନ, ଶାର୍ଦ୍ଦୁଲ ଠାକୁର ଓ ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ମିଳିଛି।
କମ୍ବୋଜ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ୨୪ ବର୍ଷୀୟ ଡାହାଣହାତୀ ମିଡିୟମ ପେସର ଭାରତର ୩୧୮ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ କମ୍ବୋଜ ନଥିଲେ। ତାଙ୍କୁ ଶେଷ ଦୁଇ ମ୍ୟାଚ୍ ପାଇଁ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଆକାଶ ଦୀପ ଆହତ ହେବାରୁ ତାଙ୍କ ସ୍ଥାନରେ କମ୍ବୋଜଙ୍କୁ ସୁଯୋଗ ମିଳିଛି।
କମ୍ବୋଜ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭାରତ ଏ ପାଇଁ ଦମଦାର ବୋଲିଂ କରିଥିଲେ। କିନ୍ତୁ ତାଙ୍କ ଇଂଲଣ୍ଡରେ ରଖିବା ବଦଳେ ଭାରତ ପଠାଇ ଦିଆଯାଇଥିଲା। ଏବେ ସେ ପୁଣି ଇଂଲଣ୍ଡକୁ ଡାକରା ପାଇ ଯାଇଥିଲେ।
ହରିୟାଣାର ଏହି ବୋଲର ଜଣଙ୍କ ଆଇପିଏଲରେ ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ। ଏଥିସହ ଗତବର୍ଷ ନଭେମ୍ବର ମାସରେ ରଣଜୀ ଟ୍ରଫି ମୁକାବିଲାରେ କମ୍ବୋଜ ଗୋଟିଏ ଇନିଂସରେ ଏକାକୀ ୧୦ ୱିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ଭାରତ ପାଇଁ କିଛି କରିବାକୁ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।
ମାଞ୍ଚେଷ୍ଟରରେ ଭାରତର ଶେଷ କ୍ରିକେଟର ଭାବେ ଅନୀଲ କୁମ୍ବେଲ ଟେଷ୍ଟରେ ଡେବ୍ୟୁ କରିଥିଲେ। ୧୯୯୦ରେ କୁମ୍ବେଲଙ୍କ ଡେବ୍ୟୁ ହୋଇଥିଲା। ଏବେ କମ୍ବୋଜି ସେହି ମାଞ୍ଚେଷ୍ଟରରେ ୩୫ ବର୍ଷ ପରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ଉଭୟ କୁମ୍ବଲେ ଓ ଅଂଶୁଲଙ୍କ ନାଁରେ ଗୋଟିଏ ଇନିଂସରେ ୧୦ ୱିକେଟ ନେବାର ରେକର୍ଡ ରହିଛି।
୨୦୨୨ ଫେବୃଆରୀରେ କମ୍ବୋଜ ହରିୟାଣା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୨୪ରେ ସେ କେରଳ ବିପକ୍ଷ ରଣଜୀ ମୁକାବିଲାର ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ନେଇଥିଲେ। ୨୦୨୪ରେ ଆଇପିଏଲରେ ସେ ଡେବ୍ୟୁ କରିଥିଲେ। ମୁମ୍ବାଇ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ୨୦୨୪ରେ ସେ ମାତ୍ର ୩ଟି ମ୍ୟାଚ ଖେଳିଥିଲେ ଓ ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରି ଦେଇଥିଲା। ୨୦୨୫ରେ ତାଙ୍କୁ ଚେନ୍ନାଇ କିଣିଥିଲା। ସେ ମଧ୍ୟ ୨୦୨୫ ଆଇପିଏଲରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1753266255.jpg)