Advertisment

କପଡ଼ା ଧୋଇବାରୁ କ୍ରିକେଟରେ ରେକର୍ଡ: ଆଇପିଏଲ ହିରୋ ଆଶୁତୋଷଙ୍କ ସଂଘର୍ଷର କାହାଣୀ

ପଞ୍ଜାବ କିଙ୍ଗସ ପାଇଁ କ୍ରମାଗତ ଦୁଇଟି ବିସ୍ଫୋରକ ଇନିଂସ ଖେଳି ସେ ଚର୍ଚ୍ଚାକୁ ଆସିଛନ୍ତି।

author-image
Hemant Lenka
IPL

IPL

ଦିନ ଥିଲା ଖାଇବା ପାଇଁ କରୁଥିଲେ ସଂଘର୍ଷ। ଅନ୍ୟର କପଡ଼ା ଧୋଇ ପୋଷୁ ଥିଲେ ପେଟ। ଭଲ ପ୍ରଦର୍ଶନ ପରେ ବି କୋଚ କରୁଥିଲେ ଅଣଦେଖା। ତଥାପି ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ କେବେ ହାର ମାନି ନଥିଲେ। ଅନେକ ସଂଘର୍ଷ କରିବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଆଶୁତୋଷ ଶର୍ମା।

Advertisment

ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପୂର୍ବରୁ ଆଶୁତୋଷ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାକୁ ଆସିଥିଲେ। ଯୁବରାଜ ସିଂହ ୨୦୦୭ ଟି-୨୦ ବିଶ୍ୱକପରେ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ରେଳବାଇ ପାଇଁ ଖେଳୁଥିବା ଆଶୁତୋଷ ଅରୁଣାଚଳ ବିପକ୍ଷରେ ମାତ୍ର ୧୧ ବଲରେ ୫୦ ରନ ମାରିଥିଲେ। ୨୦୨୩ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଆଶୁତୋଷଙ୍କ ବ୍ୟାଟରୁ ବାହାରି ଥିଲା ରେକର୍ଡ ବ୍ରେକିଂ ଅର୍ଦ୍ଧଶତକ।

Advertisment

ଗତବର୍ଷ ସେ ରେକର୍ଡ କରିଥିଲେ ହେଁ ତାଙ୍କୁ ସେତେଟା ଗୁରୁତ୍ୱ ମିଳି ନଥିଲା। ଏବେ ପଞ୍ଜାବ କିଙ୍ଗସ ପାଇଁ କ୍ରମାଗତ ଦୁଇଟି ବିସ୍ଫୋରକ ଇନିଂସ ଖେଳି ସେ ଚର୍ଚ୍ଚାକୁ ଆସିଛନ୍ତି।

ଗୁଜରାଟ ଟାଇଟନ୍ସ ବିପକ୍ଷରେ ସେ ମାତ୍ର ୧୭ ବଲରେ ୩୧ ରନର ଖେଳି ପଞ୍ଜାବକୁ ଜିତାଇଥିଲେ। ସେହିପରି ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ୧୫ ବଲରେ ଅପରାଜିତ ୩୩ ରନ କରିଥିଲେ ହେଁ ପଞ୍ଜାବ ମାତ୍ର ୨ ରନରେ ହାରି ଯାଇଥିଲା। କିନ୍ତୁ ଆଶୁତୋଷଙ୍କ ବ୍ୟାଟିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରି ପାରିଥିଲା।

ମଧ୍ୟପ୍ରଦେଶର ରତଲାମରେ ଜନ୍ମ ଗ୍ରହଣ କରିଥିବା ୨୫ ବର୍ଷୀୟ ଆଶୁତୋଷ ରାଜ୍ୟ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି। ଏହାପରେ ସେ ରେଳବାଇ ପାଇଁ ଟି-୨୦ ମ୍ୟାଚ୍‌ ଖେଳୁଛନ୍ତି।

ରତଲାମର ରାସ୍ତା ଆଶୁତୋଷର କ୍ରିକେଟିଂ କ୍ୟାରିୟରକୁ ଡେଣା ଯୋଗାଇ ପାରି ନଥିଲା। ଏଥିପାଇଁ ସେ ଇନ୍ଦୋର ଚାଲି ଆସିଥିଲେ। ସେ କହିଛନ୍ତି, “ମୋତେ ୮ ବର୍ଷ ବୟସ ହୋଇଥିବା ବେଳେ ମୁଁ ରତଲାମ ଛାଡ଼ି କ୍ରିକେଟ କୋଚିଂ ପାଇଁ ଇନ୍ଦୋର ଚାଲି ଆସିଥିଲି। ତେବେ ଇନ୍ଦୋରରେ ରହିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା।

ଖାଇବା ପାଇଁ ପାଖରେ ଟଙ୍କା ନଥିଲା। ମୁଁ ଜାଣି ପାରୁ ନଥିଲି ପରବର୍ତ୍ତୀ ମିଲ୍‌ କେଉଁଠି ମିଳିବ? ସେହି ସମୟରେ ମୋତେ ୧୦ ବର୍ଷ ବୟସ ହୋଇଥିଲା। ଅତ୍ୟନ୍ତ ଛୋଟ କୋଠରୀ ଭଳି ରୁମରେ ମୁଁ ରହୁଥିଲି। ଟଙ୍କା ପାଇଁ ଛୋଟ ଛୋଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲି। ସେହିପରି ପେଟ ପୋଶିବା ପାଇଁ ଅନ୍ୟମାନଙ୍କ କପଡ଼ା ମଧ୍ୟ ଧୋଇଛି।”

ଆଶୁତୋଷଙ୍କୁ ଯଦି କିଏ ଏବେ ଷ୍ଟାର କରିଛି ସେ ହେଉଛନ୍ତି ତାଙ୍କ ପିଲା ବେଳର କୋଚ୍‌ ଅମୟ ଖୁରାସିୟା। ଭାରତ ପାଇଁ ଖେଳିଥିବା ଅମୟ ୧୨ ବର୍ଷ ବୟସରୁ ହିଁ ଆଶୁତୋଷଙ୍କୁ ତାମିଲ ଦେଇ ଚାଲିଥିଲେ।

ଆଶୁତୋଷ କହିଛନ୍ତି, “ଅମୟ ସାର୍‌ ମୋତେ ଏମପିସିଏ ଏକାଡେମୀରେ ଅନେକ ସହଯୋଗ କରିଛନ୍ତି। ସେ ମୋତେ ପିଲାଟି ଦିନରୁ ଜାଣିଛନ୍ତି। ସେ ମୋତେ ଶୃଙ୍ଖଳିତ ହେବାର ମନ୍ତ୍ର ଦେଇଛନ୍ତି।

ବ୍ୟାଟିଂ କ୍ଷେତ୍ରରେ ସେ ଜଣେ ମହାନ କୋଚ୍‌। ମାନସିକ ଭାବେ ସ୍ଥିର ରହିବାକୁ ମୁଁ ତାଙ୍କ ଠାରୁ ଅନେକ ଟିପ୍ସ ଆଣିଥାଏ। ଆଇପିଏଲ ପୂର୍ବରୁ ମୁଁ ତାଙ୍କ ସହ ମିଶି ତାଲିମ ନେଉଥିଲି। ପ୍ରତିଟି ମ୍ୟାଚ୍‌ ପୂର୍ବରୁ ମୁଁ ତାଙ୍କୁ କଲ କରେ।”

ଆଶୁତୋଷ ଭାରତର ସବୁଠାରୁ ଶ୍ରେଷ୍ଠ ଘରୋଇ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୦ରେ ପଣ୍ଡିତ ମଧ୍ୟପ୍ରଦେଶ କ୍ରିକେଟ ଟିମର ମୁଖ୍ୟ କୋଚ ହୋଇଥିଲେ।

କିନ୍ତୁ ସେ ଆଶୁତୋଷଙ୍କୁ ଅଣଦେଖା କରୁଥିଲେ। ଏକାଧିକ ବଡ଼ ସ୍କୋର ସତ୍ତ୍ୱେ ସେ ଆଶୁତୋଷଙ୍କୁ ଟିମରେ ସୁଯୋଗ ଦେଉ ନଥିଲେ। ଏଥିଯୋଗୁ ଆଶୁତୋଷ ମାନସିକ ଚାପରେ ରହୁଥିବା କଥା ମଧ୍ୟ କହିଛନ୍ତି।

ସେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ନାଁ ନ ନେଇ କହିଛନ୍ତି, “୨୦୧୯ରେ ମଧ୍ୟପ୍ରଦେଶ ପାଇଁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ମୁଁ ୮୪ ରନ କରିଥିଲି। ପରବର୍ତ୍ତୀ ବର୍ଷରେ ମଧ୍ୟପ୍ରଦେଶକୁ ପ୍ରଫେସନାଲ କୋଚ ଆସିଥିଲେ।

ସେ ନିଜର ପସନ୍ଦ ଓ ନାସପନ୍ଦକୁ ଗୁରୁତ୍ୱ ଦେଉଥିଲେ। ସେ ମୋତେ ପସନ୍ଦ କରୁ ନଥିଲେ। ମୁଁ ଟ୍ରାଏଲ ମ୍ୟାଚ୍‌ରେ ମାତ୍ର ୪୫ ବଲରେ ୯୦ ରନ କରିଥିଲି। କିନ୍ତୁ ସନ୍ଧ୍ୟା ବେଳେ ମୁଁ ଜାଣିବାକୁ ପାଇଥିଲି ଯେ ୨୦୨୦ ସୟିଦ ମୁସ୍ତାକ ଅଲୀ ଟ୍ରଫି ଟିମରେ ମୋ ନାଁ ନାହିଁ। ମୋତେ ଟିମରୁ ବାହାର କରାଯାଇଥିଲା। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ନିରାଶ ହେବା ଭଳି ଘଟଣା ଥିଲା।

ଏହାପୂର୍ବରୁ ସୟିଦ ମୁସ୍ତାକ ଅଲୀ ଟ୍ରଫିର ୬ଟି ମ୍ୟାଚ୍‌ ଖେଳି ମୁଁ ୩ଟି ୫୦ ମାରିଥିଲି। କିନ୍ତୁ ପ୍ରଫେସନାଲ କୋଚ ମୋତେ ବାହାର ବସାଇ ଦେଇଥିଲେ। କରୋନା ସମୟ ଚାଲୁଥିବାରୁ ୨୦ ଜଣ ଟିମରେ ଯାଉଥିଲେ।

କିନ୍ତୁ ମୋତେ ଗ୍ରାଉଣ୍ଡ ଯିବାକୁ ଅନୁମତି ମିଳୁ ନଥିଲା। ମୁଁ ପୂରା ହତାଶ ହୋଇ ପଡ଼ିଥିଲି। ସେହି ୨ରୁ ୩ ବର୍ଷ ମୋ ଜୀବନ ନର୍କ ପାଲଟି ଯାଇଥିଲା। ରାତିରେ ଶୋଇ ପାରୁ ନଥିଲି। ମୋ ସହ କ’ଣ ସବୁ ହେଲା ବୋଲି ଚିନ୍ତା କରିବାରେ ଲାଗିଥିଲି।

ତେବେ ରେଳ ବାଇରେ ଗୋଟିଏ ଚାକିରି ମୋ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ସଂଘର୍ଷ ସମୟରେ ମଧ୍ୟ ମୁଁ କ୍ରିକେଟ ଖେଳିବା ଅଭ୍ୟାସ ଛାଡ଼ି ନଥିଲି। ଏଥିପାଇଁ ମୋତେ ରେଳବାଇରେ ସୌଭାଗ୍ୟବଶତଃ ଚାକିରି ମିଳିଗଲା।

ଲାଗିଲା ଭଗବାନ ମୋତେ ସୁଯୋଗ ଦେଇଛନ୍ତି। ରେଳବାଇ ମୋତେ ଅନେକ ସମର୍ଥନ କରିଛି। ମୁଁ ଟି୨୦ରେ ସୁଯୋଗ ପାଇଥିଲି ଓ ମୁସ୍ତାକ ଅଲୀରେ ରେଳବାଇ ପାଇଁ ଭଲ ପ୍ରଦର୍ଶନ କରିଛି।” ଅନେକ ସଂଘର୍ଷ କରି ଆଇପିଏଲରେ ପହଞ୍ଚିଥିବା ଆଶୁତୋଷ ଭାରତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

IPL IPL 2024 PBKS