Advertisment

ଅଶ୍ୱିନଙ୍କ ଦମଦାର ଶତକ, ଇଂଲଣ୍ଡକୁ ୪୮୨ ରନର ଟାର୍ଗେଟ୍

ଚେନ୍ନାଇ: ବୋଲିଂ ପରେ ବ୍ୟାଟିଂରେ ବି କମାଲ୍ କରିଛନ୍ତି ଘରୋଇ ଷ୍ଟାର୍ ରବିଚନ୍ଦ୍ରନ୍ ଅଶ୍ୱିନ୍। ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଶ୍ୱିନଙ୍କ ପଞ୍ଚମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୮୬ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ଭ୍ରମଣକାରୀ ଦଳ ଆଗରେ ୪୮୨ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। ମ୍ୟାଚର ତୃତୀୟ ଦିବସରେ ମୁଖ୍ୟ ଆକର୍ଷଣ ସାଜିଛି ଅଶ୍ୱିନଙ୍କ ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଲଢ଼ୁଆ ଅର୍ଦ୍ଧଶତକ। ଅଶ୍ୱିନ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଶ୍ୱିନଙ୍କ ଦମଦାର ଶତକ, ଇଂଲଣ୍ଡକୁ ୪୮୨ ରନର ଟାର୍ଗେଟ୍

ashwin1

ଚେନ୍ନାଇ: ବୋଲିଂ ପରେ ବ୍ୟାଟିଂରେ ବି କମାଲ୍ କରିଛନ୍ତି ଘରୋଇ ଷ୍ଟାର୍ ରବିଚନ୍ଦ୍ରନ୍ ଅଶ୍ୱିନ୍। ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଶ୍ୱିନଙ୍କ ପଞ୍ଚମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୮୬ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ଭ୍ରମଣକାରୀ ଦଳ ଆଗରେ ୪୮୨ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଛି। ମ୍ୟାଚର ତୃତୀୟ ଦିବସରେ ମୁଖ୍ୟ ଆକର୍ଷଣ ସାଜିଛି ଅଶ୍ୱିନଙ୍କ ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଲଢ଼ୁଆ ଅର୍ଦ୍ଧଶତକ। ଅଶ୍ୱିନ୍ ୧୪୮ ବଲରେ ୧୪ ଚୌକା ଓ ୧ ଛକା ସହ ୧୦୬ ରନ୍ କରିଛନ୍ତି। ସେହିପରି କୋହଲି ମଧ୍ୟ ୬୨ (୧୪୯ ବଲ୍, ୭ ଚୌକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଦୁହେଁ ସପ୍ତମ ୱିକେଟ୍ ପାଇଁ ୯୬ ରନର ପାର୍ଟନରଶିପ୍ କରିଥିଲେ।

Advertisment

ଭାରତ ଆଜି ପୂର୍ବଦିନର ସ୍କୋର ୫୪/୧ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ରୋହିତ୍ ଶର୍ମା ଓ ଚେତେଶ୍ୱର ପୂଜାରା ଯୋଡ଼ି ବେଶୀ ସମୟ କ୍ରିଜରେ ତିଷ୍ଠିନଥିଲା। ଦିବସର ପ୍ରଥମ ଓଭରର ଶେଷ ବଲରେ ପୂଜାରା (୭) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟର ଶିକାର ହୋଇଥିଲେ। ପରେ ପରେ ରୋହିତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲା। ରୋହିତ୍ ବ୍ୟକ୍ତିଗତ ୨୬ ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଋଷଭ ପନ୍ତ ଓ ଆଜିଙ୍କ୍ୟ ରାହାଣେ ନିରାଶ କରିଥିଲେ। ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ପକାଇବା ସହ ରନ୍ ଗତିକୁ ବଢ଼ାଇବା ପାଇଁ ପନ୍ତଙ୍କୁ ଉପରକୁ ବ୍ୟାଟିଂ ପଠାଯାଇଥିଲା। କିନ୍ତୁ ସେ ମାତ୍ର ୮ ରନ୍ କରି ଲିଚଙ୍କ ଶିକାର ହୋଇଥିଲେ। ରାହାଣେ (୧୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅକ୍ଷର ପଟେଲ୍ ପୁଣିଥରେ ବ୍ୟାଟରେ ନିରାଶ କରି ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

Advertisment

୧୦୬ ରନ୍ ଭିତରେ ୬ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିଲା ବେଳେ କୋହଲି ଓ ଅଶ୍ୱିନଙ୍କ ଯୋଡ଼ି ଇଂଲିଶ ବୋଲରଙ୍କୁ ହତାଶ କରିଥିଲେ। ବିଶେଷକରି ଆତ୍ମବିଶ୍ୱାସରେ ଭରପୂର ଅଶ୍ୱିନ୍ କ୍ରିଜକୁ ଆସିବା ମାତ୍ରକେ ଇଂଲଣ୍ଡ ବୋଲରଙ୍କୁ ଆଟାକ୍ କରିବା ସହ ଭାରତର ରନ୍ ଗତିକୁ ବଢ଼ାଇଥିଲେ। ଦୁହେଁ ସେଟ୍ ହୋଇ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଦ୍ୱିତୀୟ ସେସନରେ ମଧ୍ୟ କୋହଲି ଓ ଅଶ୍ୱିନ୍ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। କୋହଲି ୧୦୭ ବଲରେ ଓ ଅଶ୍ୱିନ୍ ୬୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଭାରତର ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ଟିମର ସ୍କୋର ୨୦୨ ଥିବା ବେଳେ କୋହଲିଙ୍କୁ ଆଉଟ୍ କରି ମୋଇନ୍ ଅଲୀ ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୁଲଦୀପ ଯାଦବ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଈଶାନ୍ତ ଶର୍ମା ୭ ରନ୍ କରି ଆଉଟ୍ ହୋଇଥିଲେ।

୨୩୭ ରନରେ ୯ ୱିକେଟ୍ ହରାଇବା ପରେ ଅଶ୍ୱିନଙ୍କର ଶତକ ମାରିବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଶେଷ ବ୍ୟାଟ୍ସମ୍ୟାନ୍ ମହମ୍ମଦ ସିରାଜ୍ ଯେଉଁଭଳି ଢଙ୍ଗରେ ବ୍ୟାଟିଂ କଲେ, ତାହା ଅଶ୍ୱିନଙ୍କୁ ଶତକ ମାରିବାରେ ସହଜ ହୋଇଥିଲା। ଅଶ୍ୱିନ୍ ନିଜର ୧୩୪ ବଲରେ ନିଜର ପଞ୍ଚମ ଶତକ ପୂରଣ କରିଥିଲେ। ଏପରିକି ସେ ସିରାଜଙ୍କ ସହ ମିଶି ଦଶମ ୱିକେଟ୍ ପାଇଁ ୪୯ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ସିରାଜ୍ ୨୧ ବଲରେ ୨ ଛକା ସହ ୧୬ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ୍ ଓ ଲିଚ୍ ୪ଟି ଲେଖାଏ ଏବଂ ଓଲି ଷ୍ଟୋନ୍ ଗୋଟିଏ ୱିକେଟ୍ ନେଇଥିଲେ।

India Vs England