Advertisment

ଏଲିମିନେଟର: ରାଜସ୍ଥାନକୁ ୧୭୩ ରନର ଟାର୍ଗେଟ ଦେଲା ଆରସିବି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୭୨ ରନ କରିଛି।

Virat

Virat

Advertisment

୨୦୨୪ ଆଇପିଏଲର ଏଲିମିନେଟର ମ୍ୟାଚ୍‌କୁ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ମିଳିଛି ୧୭୩ ରନର ଟାର୍ଗେଟ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୭୨ ରନ କରିଛି। ଯଦି ରାଜସ୍ଥାନ ୧୭୩ ରନ କରି ନେଉଛି, ତା’ହେଲେ ଦଳ ଦିନକ ପରେ ସନରାଇଜର୍ସ ହାଇଦ୍ରାବାଦ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ଯଦି ଦଳ ହାରିବ, ତା’ହେଲେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ। ଆରସିବି ଶୁକ୍ରବାର ହାଇଦ୍ରାବାଦ ସହ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବ। 

Advertisment

ଟସ୍‌ ହାରି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ଆରସିବିକୁ ଭଲ ଆରମ୍ଭ ମିଳି ନଥିଲା। ଅଧିନାୟକ ଫାଫ ଡୁପ୍ଲେସିସ ମାତ୍ର ୧୭ ରନ କରି ଟ୍ରେଣ୍ଟ ବୋଲ୍ଟ ବଲରେ ଆଉଟ ହୋଇଯାଇଥିଲେ। ଇନଫର୍ମ ବିରାଟ(୩୩) କିଛି ଶଟ ଖେଳିଥିଲେ ହେଁ ୟୁଜି ଚହଲଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ।

କାମେରନ ଗ୍ରୀନ ଓ ରଜତ ପାଟିଦାର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଜ୍ଞ ରବି ଅଶ୍ୱିନ ସବୁ ଅଙ୍କ ବିଗାଡ଼ି ଦେଇଥିଲେ। ସେ ୧୩ତମ ଓଭରର ତୃତୀୟ ବଲରେ ଗ୍ରୀନ(୨୭)ଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ବଲରେ ବିସ୍ଫୋରକ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିବା ପୂର୍ବରୁ ତାଙ୍କ ଶିକାର ବନିଥିଲେ।

Advertisment

୯୭ ରନରେ ଆରସିବି ୪ର୍ଥ ୱିକେଟ ହରାଇଥିଲେ ହେଁ ପାଟିଦାର ଆଟାକିଂ ଖେଳ ଜାରି ରଖିଥିଲେ। ହେଲେ ଆଭେଶ ଖାନ ତାଙ୍କ ୧୫ତମ ଓଭରରେ ଆଉଟ କରି ଆରସିବିକୁ ୫ମ ଝଟକା ଦେଇଥିଲେ। ଆଜି ପାଟିଦାର ୨୨ ବଲରେ ୩୪ ରନର ଇନିଂସ ଖେଳିଛନ୍ତି।

ପାଟିଦାରଙ୍କ ପରେ ମହିପାଲ ଲୋମରୋର ଓ ଦୀନେଶ କାର୍ତ୍ତିକ(୧୧) ସ୍ଥିତି ସମ୍ଭାଳିଥିଲେ। ଉଭୟ ପ୍ରଥମେ ଦଳୀୟ ସ୍କୋରକୁ ୧୨୨ରୁ ନେଇ ୧୮ ଓଭର ଶେଷ ସୁଦ୍ଧା ୧୫୪ ରନରେ ପହଞ୍ଚାଇ ଦେଇଥିଲେ। ମହିପାଲ ମଧ୍ୟ ନିଜର ଦମ ଦେଖାଇ ୧୫ ବଲରେ ୨୮ ରନ କରିଥିଲେ।

୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଆଭେଶ ଖାନ। ସାମ୍ନାରେ ଥିଲେ ଦୀନେଶ କାର୍ତ୍ତିକ। ପ୍ରଥମ ବଲ ସେ ବିଟ୍‌ ହୋଇଥିଲେ ଓ ଦ୍ୱିତୀୟ ବଲରେ ୱିକେଟ ଦେଇ ଚାଲି ଯାଇଥିଲେ। ଏହାପରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିଲେ ସ୍ୱପନିଲ ସିଂହ। ସେ ଏକ ରନ ନେଇ ମହିପାଲଙ୍କୁ ଷ୍ଟ୍ରାଇକ ଦେଇଥିଲେ।

ମହିପାଲ ୪ର୍ଥ ବଲରେ ଚୌକା ମାରିଥିଲେ। କିନ୍ତୁ ୫ମ ବଲରେ ଆଭେଶ ତାଙ୍କୁ ଆଉଟ କରିଦେଇଥିଲେ। ମହିପାଲ ୧୭ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଆଭେଶ ୧୯ତମ ଓଭରରେ ମାତ୍ର ୫ ରନ ଦେଇ ଦୁଇଟି ୱିକେଟ ଦଖଲ କରିଥିଲେ। 

ଶେଷ ଓଭର ବୋଲିଂ କରିଥିଲେ ସନ୍ଦୀପ ଶର୍ମା। ଏହି ଓଭରେ ସ୍ୱପନିଲ ଓ କରଣ ଶର୍ମା ମିଳିତ ଭାବେ ୧୩ ରନ ଆଦାୟ କରିବାରୁ ଆରସିବି ୮ ୱିକେଟ ହରାଇ ୧୭୨ ରନ କରିଥିଲା। କରଣ ଇନିଂସର ଶେଷ ବଲରେ ୫ ରନ କରି ଆଉଟ ହୋଇଥିଲେ। ସ୍ୱପନିଲ ୪ ବଲରେ ୯ ରନ ଅପରାଜିତ ରହିଛନ୍ତି। 

ରାଜସ୍ଥାନ ପକ୍ଷରୁ ଆଭେଶ ଖାନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅଶ୍ୱିନଙ୍କୁ ଦୁଇଟି ସଫଳତା ମଳିଛି। ସେହିପରି ଟ୍ରେଣ୍ଟ ବୋଲ୍ଠ, ୟୁଜି ଚହଲ ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

IPL Rajasthan Royals RCB IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe