Rohit
ଭାରତର ସବୁଠାରୁ ସଫଳତମ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଅଫ ସ୍ପିନର ଅଶ୍ୱିନ ଗାବା ଟେଷ୍ଟର ଶେଷ ଦିନରେ ବେଶ ଭାବବତହ୍ୱଳ ଢଙ୍ଗରେ ଭାରତ ପାଇଁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ସେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଅଧାରରୁ ଅର୍ଥାତ ଆସନ୍ତାକାଲି ହିଁ ଭାରତ ଫେରି ଆସିବେ। ସିରିଜର ଆଉ ଦୁଇଟି ମ୍ୟାଚ୍ ବାକି ଥିବା ବେଳେ ଅଶ୍ୱିନ ଅଧାରୁ ଅବସର ନିଷ୍ପତ୍ତି ନେଇଛନ୍ତି।
ଅବସର ଘୋଷଣା ପୂର୍ବରୁ ସେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସହ ବେଶ କିଛି ସମୟ କଥା ହୋଇ ତାଙ୍କୁ ହଗ କରିଥିଲେ। ବିରାଟ ହଗ କରିବା ବେଳେ ଅଶ୍ୱିନଙ୍କ ଆଖିରୁ ଲୁହ ମଧ୍ୟ ଜକେଇ ଆସିଥିଲା। ଏହାର ଭିଡିଓ ସାମ୍ନାକୁ ଆସିଛି।
ବିରାଟଙ୍କୁ ହଗ କରିବା ପରେ ଅଶ୍ୱିନ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ମଧ୍ୟ କଥା ହୋଇଥିଲେ। ଶେଷରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ସାମ୍ବାଦିକ ସମ୍ମିଳନୀ କରିବାକୁ ଆସିଥିଲେ। ରୋହିତଙ୍କ ପାଖରେ ବସି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାବା ଟେଷ୍ଟ ଡ୍ର ହେବା କ୍ଷଣି ଅଶ୍ୱିନ ତୁରନ୍ତ ବିରାଟଙ୍କୁ ହଗ କରିଥିଲେ। ଏହି ସମୟରେ ସେ ଭାବବିହ୍ୱଳ ହୋଇପଡ଼ିବାରୁ ଅଶ୍ୱିନ କୌଣସି ବଡ଼ ଘୋଷଣା କରିବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
ସୋଶାଲ ମିଡିଆରେ ଅଶ୍ୱିନଙ୍କ ଅବସର ସମ୍ପର୍କରେ ଖବର ପ୍ରକାଶିତ ହେବାରେ ଲାଗିଥିଲା। ମ୍ୟାଚ୍ ବ୍ରେକ ବେଳେ ମଧ୍ୟ ଅଶ୍ୱିନ ମୁଖ୍ୟ କୋଚ ଗମ୍ଭୀରଙ୍କ ସହ ମଧ୍ୟ କଥା ହୋଇଥିଲେ। ମ୍ୟାଚ୍ ସରିବା ପରେ ସେ ବିଧିବଦ୍ଧ ଭାବେ ଅବସର ସମ୍ପର୍କରେ ଘୋଷଣା କରିଥିଲେ।
୩୮ ବର୍ଷୀୟ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ଦଖଲକାରୀ ଖେଳାଳି। ସେ ଟେଷ୍ଟ କ୍ରିକେଟରେ ଦେଶ ପାଇଁ ୫୩୭ଟି ୱିକେଟ ନେଇଛନ୍ତି। ତାଲିକାରେ ୬୧୯ ୱିକେଟ ସହ ଅନୀଲ କୁମ୍ବଲେ ୧ନଂରେ ରହିଛନ୍ତି।
ବର୍ଡର-ଗାଭାସ୍କର ଟ୍ରଫିର ଫିଙ୍କ ବଲ ଟେଷ୍ଟରେ ଅଶ୍ୱିନ ନଜର ଆସିଥିଲେ। ତେବେ ତୃତୀୟ ଟେଷ୍ଟରେ ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।
ରବି ଅଶ୍ୱିନ ଆଜି ଅବସର ଘୋଷଣା କରିବା ପରେ ବିରାଟ କୋହଲି ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ ଏକ୍ସରେ ଅଶ୍ୱିନଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରି କହିଛନ୍ତି, “ମୁଁ ତୁମ ସହ ୧୪ ବର୍ଷ ଧରି ଖେଳିଛି। ଆଜି ଯେତେବେଳେ ତୁମେ ମୋତେ ରିଟାୟାର କଥା କହିଥିଲ ସେତେବେଳେ ମୁଁ ବେଶ ଭାବବିହ୍ୱଳ ହୋଇପଡ଼ିଥିଲି।
ଏକାଠି ଦୀର୍ଘ ବର୍ଷ ଧରି ଆମେ ଖେଳିଥିବା ସବୁ ସ୍ମୃତି ସାମ୍ନାକୁ ଚାଲି ଆସିଥିଲା। ମୁଁ ତୁମ ସହ କରିଥିବା ସମସ୍ତ ଯାତ୍ରାକୁ ଉପଭୋଗ କରିଛି। ଭାରତୀୟ କ୍ରିକେଟରେ ତୁମ ଦକ୍ଷତା ଓ ମ୍ୟାଚ ଜିତାଇବା ଭଳି ଯୋଗଦାନ କାହା ଠାରୁ ମଧ୍ୟ ପଛରେ ନାହିଁ। ତୁମକୁ ଭାରତୀୟ କ୍ରିକେଟରେ ସବୁବେଳେ କିମ୍ବଦନ୍ତୀ ଭାବେ ସମସ୍ତେ ମନେ ରଖିବେ। ପରିବାର ସହ ତୁମକୁ ଶୁଭେଚ୍ଛା। ସବୁ କିଛି ପାଇଁ ଧନ୍ୟବାଦ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rohit_1734520791.jpg)