/odisha-reporter/media/post_attachments/uploadimage/library/16_9/16_9_0/ACC_1752919846.jpg)
ACC
ଅନିଶ୍ଚିତାରେ ଚଳିତ ବର୍ଷ ଖେଳା ଯିବାକୁ ଥିବା ଏସିଆ କପ ଭାଗ୍ୟ। କଡ଼ା ଆଭିମୁଖ୍ୟ ଦେଖାଇଛି ବିସିସିଆଇ। ଯଦି ଏସିଆନ କ୍ରିକେଟ କାଉନସିଲ(ଏସିସି)ର ବାର୍ଷିକ ସାଧାରଣ ବୈଠକ ଢାକାରେ ଅନୁଷ୍ଠିତ ହେବ, ତା’ହେଲେ ସମସ୍ତ ପ୍ରକାରର ପ୍ରସ୍ତାବକୁ ବିସିସିଆଇ ବୟକଟ କରିବ ବୋଲି ଖୋଲା ଧମକ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
୬ ଟିମକୁ ନେଇ ଟି-୨୦ ଫର୍ମାଟରେ ଖେଳା ଯିବାକୁ ଥିବା ଏସିଆ କପର ଭବିଷ୍ୟତ ଉପରେ ଏବେ କଳା ବାଦଲ ଘୋଟେଇ ଯାଇଛି। ବାସ୍ତବରେ ଭାରତ ପାଖରେ ଏସିଆ କପ ଆୟୋଜନର ଅଧିକାରୀ ରହିଛି। ତଥାପି ଏସିସି ଏଯାଏ ମ୍ୟାଚ ସୂଚୀ କିମ୍ବା ଭେନ୍ୟୁ ଘୋଷଣା କରିନାହିଁ। କୁହାଯାଉଛି ଯେ ସେପ୍ଟେମ୍ବର ମାସରେ ଏସିଆ କପ ଖେଳାଯିବା ଯୋଜନା ରହିଛି।
ଏହାପୂର୍ବରୁ ଜୁଲାଇ ୨୪ରେ ଢାକାରେ ଏସିସିର ବୈଠକ ବସିବ। କିନ୍ତୁ ବାଂଲାଦେଶରେ ଏବେ ଦେଖାଯାଇଥିବା ସ୍ଥିତି ଯୋଗୁ ଭାରତ ବୈଠକରେ ଯୋଗାଦେବାକୁ ଚାହୁଁନାହିଁ। ନିକଟରେ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡ ସହମତି ଭିତ୍ତିରେ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ବାଂଲାଦେଶ ଗସ୍ତକୁ ୨୦୨୫ ଅଗଷ୍ଟ ପରିବର୍ତ୍ତେ ୨୦୨୬ ସେପ୍ଟେମ୍ବର ଯାଏ ଘୁଞ୍ଚାଇ ଦେଇଥିଲେ।
ବର୍ତ୍ତମାନ ଏସିସିର ମୁଖ୍ୟ ଭାବେ ପିସିବି ଅଧ୍ୟକ୍ଷ ତଥା ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହଶିନ ନକଭୀ କାର୍ଯ୍ୟ କରୁଛନ୍ତି। ସେ ଜାଣିଶୁଣି ଢାକାରେ ବୈଠକ କରିବାକୁ ଚାହୁଁଛନ୍ତି ଓ ଭାରତ ଉପରେ ଅଯଥା ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଢାକାର ସ୍ଥିତି ଠିକ ନଥିବାରୁ ବିସିସିଆଇ ପକ୍ଷରୁ ଏସିସିର ସଭାପତିଙ୍କୁ ବୈଠକର ସ୍ଥାନ ବଦଳାଇବାକୁ କହିଛନ୍ତି। ହେଲେ ଏସିସି ମୁଖ୍ୟ ନକଭୀ ଏହାର ଜବାବ ଏଯାଏ ଦାଇ ନାହାନ୍ତି।
ଏବେ ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ଏସିଆ କପ ସେତେବେଳେ ସମ୍ଭବ ହେବ ଯେତେବେଳେ ବୈଠକର ଭେନ୍ୟୁ ଢାକା ବଦଳରେ ଅନ୍ୟ ସ୍ଥାନକୁ ବଦଳିବ। ଏସିସି ଅଧ୍ୟକ୍ଷ ମୋହଶିନ ନକଭୀ ଭାରତ ଉପରେ ବୈଠକକୁ ନେଇ ଅଯଥା ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଆମେ ତାଙ୍କୁ ବୈଠକର ଭେନ୍ୟୁ ବଦଳାଇବାକୁ ଅନୁରୋଧ କରିଛୁ। କିନ୍ତୁ ଏଯାଏ ଏହାର ଜବାବ ମିଳିନି। ଯଦି ମୋହଶିନ ନକଭୀ ପୂର୍ବ ଭଳି ଢାକାରେ ବୈଠକ କରିବେ, ତା’ହେଲେ ବିସିସିଆଇ ସମସ୍ତ ପ୍ରକାରର ପ୍ରସ୍ତାବକୁ ବୟକଟ କରିବ।”
ଏସିଆ କପର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ୨୦୨୩ରେ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଏଥିଯୋଗୁ ଭାରତ ତା’ର ମ୍ୟାଚ୍ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିଥିଲା। ୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିଥିଲେ ହେଁ ଭାରତ ମ୍ୟାଚ ଗୁଡ଼ିକ ଦୁବାଇରେ ଖେଳା ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
