Advertisment

ମହିଳା ଏସିଆ କପ୍‌ ଫାଇନାଲ: ଶ୍ରୀଲଙ୍କାକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

ଭାରତୀୟ ମହିଳା ଟିମ ଏସିଆ କପ ଫାଇନାଲରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଛି।

Smriti Mandhana

Smriti Mandhana

Advertisment

ସ୍ମୃତି ମନ୍ଧାନାଙ୍କ ୬୦ ଓ ରିଚା ଘୋଷଙ୍କ ୧୪ ବଲରେ ବିସ୍ଫୋରକ ୩୦ ରନ ବଳରେ ଭାରତୀୟ ମହିଳା ଟିମ ଏସିଆ କପ ଫାଇନାଲରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଛି। ଫଳରେ ଘରୋଇ ଶ୍ରୀଲଙ୍କାକୁ ଫାଇନାଲ ମ୍ୟାଚ୍‌ ଜିତିବାକୁ ୧୬୬ ରନର ଟାର୍ଗେଟ ମିଳିଛି। ଏଥର ଭାରତ ୮ମ ଥର ପାଇଁ ଏସିଆ କପ ଫାଇନାଲ ଜିତିବାକୁ ଲକ୍ଷ୍ୟ ରଖିଛି। ଶ୍ରୀଲଙ୍କା ଏଯାଏ ଭାରତ ସହ ୫ ଥର ଫାଇନାଲ ଖେଳିଥିଲେ ହେଁ ଗୋଟିଏ ଥର ବି ଜିତି ନାହିଁ।

Advertisment

ଡମ୍ବୁଲାରେ ଖେଳା ଯାଉଥିବା ଫାଇନାଲରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା କିଛି ସମୟ ପାଇଁ ଠିକ ସାବ୍ୟସ୍ତ କରିଥିଲେ। ତେବେ ଦଳୀୟ ସ୍କୋର ୪୪ ଥିବା ବେଳେ ଶେଫାଳି ବର୍ମା(୧୬)ଙ୍କୁ ଦିଲହରି ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଉମା ଛେତ୍ରୀ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ଅଧିନାୟକ କୌର ୧୧ ରନ କରି ନିସାନସାଲାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ମନ୍ଧାନା କାଉଣ୍ଟର ଆଟାକ ଜାରି ରଖିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତାଙ୍କୁ କିଛି ସମୟ ପାଇଁ ଜେମିମା ରୋଡ୍ରିଗସ(୧୬ ବଲରେ ୨୯) ସାଥ ଦେଇଥିଲେ।

Advertisment

କିନ୍ତୁ ଦଳୀୟ ସ୍କୋର ୧୨୮ ଥିବା ବେଳେ ସେ ରନ ଆଉଟ ହୋଇଯାଇଥିଲେ। ବଡ଼ ଶଟ ଖେଳିବାକୁ ଯାଇ ଆଉ ୫ ରନ ପରେ ମନ୍ଧାନା ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ସେ ୪୭ ବଲରେ ୧୦ ଚୌକା ସହ ୬୦ ରନ କରିଛନ୍ତି। ମନ୍ଧାନା ଆଉଟ ହୋଇଯିବାରୁ ଲାଗୁଥିଲା ଭାରତୀୟ ଟିମ ୧୫୦ ଅଙ୍କ ଛୁଇଁ ପାରିବ ନାହିଁ।

କିନ୍ତୁ ୱିକେଟ କିପର ରିଚା ଘୋଷ ନିଜର ଦମ ଦେଖାଇଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଇନିଂସ ସରିବାକୁ ଆଉ ୨ଟି ବଲ ବାକି ଥିବା ବେଳେ ରିଚା ୧୪ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରକର ୫ ଓ ଦୀପ୍ତି ଶର୍ମା ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

Smriti Mandhana Asia Cup Cricket Asia Cup INDvSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe