Advertisment

ରବିବାର ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ୍‌, ପାକିସ୍ତାନ ନିରାଶ

୨୦୨୩ ସିନିୟର ଟିମ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ସହ ଲଢ଼େଇ କରିଥିଲା। ଦଳକୁ କିନ୍ତୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

AUS

AUS

Advertisment

ପୁଣିଥରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ୨୦୨୩ ସିନିୟର ଟିମ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ସହ ଲଢ଼େଇ କରିଥିଲା। ଦଳକୁ କିନ୍ତୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

Advertisment

ରବିବାର ଭାରତର ଅଣ୍ଡର ୧୯ ଟିମ ଦିନିକିଆ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ ସହ ପୁଣି ଟକ୍କର କରିବ। ଆଜି ପାକିସ୍ତାନ ବିପକ୍ଷ ସେମି ଫାଇନାଲକୁ ଅଷ୍ଟ୍ରେଲିଆ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ଫାଇନାଲ ଟିକେଟ ହାତେଇଛି। ଦିନକ ପୂର୍ବରୁ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା।

ଆଜିର ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୯ ରନ କରିଥିଲା। ଦଳ ପକ୍ଷରୁ ଅରାଫତ ମିନହାଶ ୫୨ ଓ ଅଜଆନ ଅୱାଇସ ୫୨ ରନ ଲେଖାଏ କରିଥିଲେ। ଅଷ୍ଟ୍ରେଲିଆ ଟମ ଷ୍ଟ୍ରକର ଘାତକ ବୋଲିଂ କରି ୯.୫ ଓଭରରେ ମାତ୍ର ୨୪ ରନ ଦେଇ ୬ ୱିକେଟ ଦଖଲ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ୧୭୯ ରନରେ ଅଲଆଉଟ ହୋଇଯାଇଥିଲା।

Advertisment

୧୮୦ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ହ୍ୟାରୀ ଡିକ୍ସନ ୫୦ ରନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ୫୯ ରନରେ ୪ ୱିକେଟ ହରାଇଥିଲା। ସେହିପରି ଡିକ୍ସନ ଦଳୀୟ ସ୍କୋର ୧୦୨ ଥିବା ବେଳେ ୫୦ ରନ କରି ଆଉଟ ହୋଇଥିଲେ।

ଓଲିଭର ପିକ ୪୯ ଓ ଟମ କାମ୍ପବେଲ ୨୫ ଦଳକୁ ବିଜୟର ନିକଟତର କରିଥିଲେ ମଧ୍ୟ ମ୍ୟାଚ୍‌ ଶେଷ କରି ପାରି ନଥିଲେ। ଶେଷରେ ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୩ ରନର ଆବଶ୍ୟକ ପଡ଼ିଥିଲା।

ଦଳ ହାତରେ ମଧ୍ୟ କେବଳ ଗୋଟିଏ ୱିକେଟ ଥିଲା। ମହମ୍ମଦ ଜୀଶାନ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ। ସାମ୍ନାରେ ରାଫ ମ୍ୟାକମିଲନ ରହିଥିଲେ। ପ୍ରଥମ ବଲ ଇନସାଇଡ ଏଡଜ ହେବାରୁ ଅଷ୍ଟ୍ରେଲିଆକୁ ଚୌକା ମିଳି ଯାଇଥିଲା। ଏଥିସହ ଅଷ୍ଟ୍ରେଲିଆ ୫ ବଲ ପୂର୍ବରୁ ଗୋଟିଏ ୱିକେଟରେ ମ୍ୟାଚ ଜିତି ଫାଇନାଲ ଟିକେଟ ହାତେଇବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୮ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଖେଳିଥିଲା। ଉକ୍ତ ଫାଇନାଲରେ ଭାରତ ୮ ୱିକେଟରେ ଜିତି ଚାମ୍ପିୟନ ହୋଇଥିଲା। ଏବେ ପୁଣିଥରେ ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଭାରତ ଏଯାଏ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

Indian Cricket Team Cricket India Vs Australia Under 19 Cricket World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe