ଡି’କକଙ୍କ ୧୦୯ ଓ ମାର୍କରମ ୫୬, ଅଷ୍ଟ୍ରେଲିଆକୁ ୩୧୨ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଡି’କକଙ୍କ ୧୦୯ ରନ ଓ ମାର୍କରମଙ୍କ ୪୪ ବଲରେ ୫୬ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୧୧ ରନ କରିଛି।

ଡି’କକ ଓ ମାର୍କରମ

  • Published: Thursday, 12 October 2023
  • , Updated: 12 October 2023, 05:57 PM IST

ଭଲ ଆରମ୍ଭ ମିଳିଲା। ଓପନର କ୍ୱିଣ୍ଟନ ଡି’କକ ଦମଦାର ଶତକ ହାସଲ କଲେ। ମଧ୍ୟକ୍ରମରେ ଏଡେନ ମାର୍କରମ ମଧ୍ୟ ଦ୍ରୁତ ୫୬ ରନର ଇନିଂସ ଖେଳିଲେ। ଲାଗୁଥିଲା ଦକ୍ଷିଣ ଆଫ୍ରିକା ୩୫୦ରୁ ଅଧିକ ରନ କରିବ। ହେଲେ ଶେଷ ଭାଗରେ ଦଳ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ।

ଡି’କକଙ୍କ ୧୦୯ ରନ ଓ ମାର୍କରମଙ୍କ ୪୪ ବଲରେ ୫୬ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୧୧ ରନ କରିଛି। ଏବେ ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ୩୧୨ ରନର ଟାର୍ଗେଟ ମିଳିଛି। କଙ୍ଗାରୁ ଟିମ ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ହାରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଥିଲା।

ଲକ୍ଷ୍ନୌରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦକ୍ଷିଣ ଆଫ୍ରିକାର ଦୁଇ ଓପନର ତେମ୍ବା ବଭୂମା ଓ କ୍ୱିଣ୍ଟନ ଡି’କକ ଦମଦାର ବ୍ୟାଟିଂ କରିଥିଲେ। ଡି’କକ ୫୧ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ବଭୂମା ମଧ୍ୟ ତାଙ୍କର ସାଥ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୯.୪ ଓଭର୍‌ରେ ୧୦୮ ରନ ଯୋଡ଼ିଥିଲେ।

ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ବଭୂମା ୩୫ ରନ କରି ଗ୍ଲେନ ମ୍ୟାକ୍ସୱେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିବା ରସି ଭାନ ଡେର ଡୁସେନ କିଛି ସମୟ ଡି’କକଙ୍କ ସାଥ ଦେଇଥିଲେ। କିନ୍ତୁ ସେ ୩୦ ବଲରେ ୨୬ ରନ କରିଥିବା ବେଳେ ଜାମ୍ପାଙ୍କ ବଲରେ ଆଉଟ ହୋଇଯାଇଥିଲେ।

୧୫୮ରେ ଦଳ ତା’ର ଦ୍ୱିତୀୟ ୱିକେଟ ହରାଇଥିଲା। ଦୁଇଟି ୱିକେଟ ଯାଇଥିଲେ ମଧ୍ୟ ଡି’କକ ତାଙ୍କ ଶଟ ମାରିବା ବନ୍ଦ କରି ନଥିଲେ। ଏଥିସହ ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ ଲଗାତର ଚୌକା ମାରିବା ଆରମ୍ଭ କରିଥିଲେ।

କିନ୍ତୁ ମ୍ୟାକ୍ସୱେଲଙ୍କୁ ରିର୍ଭସ ମାରିବାକୁ ଯାଇ ସେ ବୋଲ୍ଡ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୦୬ ବଲରେ ୧୦୯ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ଡି’କକ ୫ଟି ଛକା ଓ ୮ଟି ଚୌକା ମାରିଛନ୍ତି।

ଡି’କକ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୩୪.୫ ଓଭର୍‌ରେ ୧୯୭ ଥିଲା। କ୍ରିଜ୍‌ରେ ମାର୍କରମ ଥିବାରୁ ତାଙ୍କ ଠାରୁ ପୁଣି ଗୋଟିଏ ବଡ଼ ଇନିଂସ ଚାହିଁଥିଲା। ଦକ୍ଷିଣ ଆଫ୍ରିକା । ସେ ମଧ୍ୟ କିଛି ବଡ଼ ଶଟ ମାରି ୪୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ସେ ୪୪ ବଲରେ ୫୬ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

ମାର୍କରମଙ୍କ ପରେ ହେନରିଚ କ୍ଲାସେନ ୨୭ ବଲରେ ୨୯ ରନ କରି ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟ ଫେରିଥିଲେ। ୨୬୭ରେ ଦଳ ୫ମ ୱିକେଟ ହରାଇଥିଲା। ଶେଷ ଭାଗରେ ମାର୍କୋ ଜାନେସନ କିଛି ବଡ଼ ଶଟ ଖେଳିବାରୁ ଦକ୍ଷିଣ ଆଫ୍ରିକା ୩୦୦ ରନ ପାର କରିଥିଲା। ତାଙ୍କୁ ଡାଭିଡ ମିଲର ସାଥ ଦେଇଥିଲେ।

୪୮ ଓଭର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର ୨୯୬ ଥିଲା। ୪୯ତମ ଓଭର ବୋଲିଂ କରିବାକୁ ଆସିଥିଲେ କମିନ୍ସ। ପ୍ରଥମ ବଲରେ ମିଲର ମିସ୍‌ ଫିଲ୍ଡରୁ ୨ ରନ ଆଦାୟ କରିଥିଲେ। ଦ୍ୱିତୀୟ ବଲରେ ତାଙ୍କର କ୍ୟାଚ୍‌ ଉଠିଥିଲେ ମଧ୍ୟ ମିଚେଲ ଷ୍ଟାର୍କ ଧରିବାକୁ ସକ୍ଷମ ହୋଇ ନଥିଲେ। ମିଲର ୧ ରନ ନେଇ ଜାନେସନଙ୍କୁ ଷ୍ଟ୍ରାଇକ ଦେଇଥିଲେ।

ସେ ତୃତୀୟ ବଲରେ ଚୌକା ମାରିଥିଲେ। ଏହାପରେ ଜାନେସନଙ୍କ କ୍ୟାଚ ଉଠାଇଥିଲା। କିନ୍ତୁ ଏହାକୁ ମାର୍କସ ଷ୍ଟୋଇନିସ ଧରିବାକୁ ସକ୍ଷମ ହୋଇ ନଥିଲେ। ଏହି ବଲରୁ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ୧ ରନ କରିଥିଲା। ପରବର୍ତ୍ତୀ ବଲରେ ମିଲର ୬କା ମାରିଥିଲେ। କିନ୍ତୁ ଶେଷ ବଲରେ କୌଣସି ରନ ହୋଇ ନଥିଲା। ୪୯ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୩୧୦ରେ ପହଞ୍ଚି ଯାଇଥିଲା।

ଶେଷ ଓଭର୍‌ ବୋଲିଂ କରିବାକୁ ଆସିଥିଲେ ଷ୍ଟାର୍କ। ସେ ପ୍ରଥମ ବଲ୍‌ରେ ଜାନେସନ(୨୨ ବଲରେ ୨୬ ରନ)ଙ୍କୁ ଆଉଟ କରିଥିଲେ। ସେହିପରି ୪ର୍ଥ ବଲରେ ମିଲରଙ୍କୁ ମଧ୍ୟ ସେ ବୋଲ୍ଡ କରିଥିଲେ। ୫ମ ବଲରେ କେଶବ ମହରାଜ କୌଣସି ରନ କରିପାରି ନଥିଲେ। ଶେଷ ବଲରେ ମଧ୍ୟ ରନ ହୋଇ ନଥିଲା। ଷ୍ଟାର୍କ ଏହି ଓଭର୍‌ରେ ମାତ୍ର ୧ ରନ ଦେବା ସହ ୨ଟି ୱିକେଟ ଦଖଲ କରିଥିଲେ। ଏଥିଯୋଗୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୧୧ ରନ କରିବାକୁ ସକ୍ଷମ ହୋଇଥିଲା। 

Related story