Advertisment

ଯଶସ୍ୱୀଙ୍କ 'ଯଶ'; ଏକାଧିକ ବିଶ୍ୱ ରେକର୍ଡରେ ସାମିଲ

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ବିନୋଦ କାମ୍ବଲିଙ୍କ ସମକକ୍ଷ ହୋଇଛନ୍ତି ଯଶସ୍ୱୀ ଜୈସ୍ୱାଲ।

author-image
Debibandita Barick
Yashasvi Jaiswal

Yashasvi Jaiswal

ପର୍ଥ ଟେଷ୍ଟରେ ଜବରଦସ୍ତ କମବ୍ୟାକ୍ ସହ ଏକାଧିକ ରେକର୍ଡର ଭାଗିଦାରୀ ହୋଇଛନ୍ତି ଭାରତର ଯୁବ ତାରକା ଯଶସ୍ୱୀ ଜୈସ୍ୱାଲ। ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିବା ଯଶସ୍ୱୀ ଦ୍ୱିତୀୟ ଇନିଂସରେ ରେକର୍ଡ ପରେ ରେକର୍ଡ କରିଛନ୍ତି। ସଚିନ ତେନ୍ଦୁଲକର, ଗ୍ରେମ ସ୍ମିଥ୍ ଏବଂ ଜାବେଦ ମିଆନ୍ଦାଦଙ୍କ ସମକକ୍ଷ ହୋଇଛନ୍ତି ଯଶସ୍ୱୀ।

Advertisment

ସେ ମାତ୍ର 23 ବର୍ଷ ବୟସରେ 4ଟି 150 ମାରିବାରେ ଏହି ତିନି ଷ୍ଟାର୍ ବ୍ୟାଟରଙ୍କ ସମକକ୍ଷ ହୋଇଛନ୍ତି। ଏମାନଙ୍କ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତି କ୍ରିକେଟର ଡନ୍ ବ୍ରାଡମ୍ୟାନ୍ (ଦିବଂଗତ)। ସେ 23 ବର୍ଷ ବେଳକୁ 8ଟି 150 ମାରି ଟେଷ୍ଟ୍ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ପରେ ଜାବେଦ ମିଆନ୍ଦାଦ, ଗ୍ରେମ ସ୍ମିଥ୍ ଏବଂ ସଚିନ ତେନ୍ଦୁଲକର 4ଟି ଲେଖାଏଁ 150 ରନ୍ କରିଥିଲେ। ଏମାନଙ୍କ ପରେ ଯଶସ୍ୱୀ ଏହି ରେକର୍ଡ କରିବାରେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି।

ସେହିପରି ଟେଷ୍ଟ କ୍ରିକେଟରେ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ଶତକ ମାରିବାରେ ଯଶସ୍ୱୀ ସୁନୀଲ ଗାଭାସ୍କରଙ୍କ ସମକକ୍ଷ ହୋଇଛନ୍ତି। 23 ବର୍ଷ ପୂର୍ବରୁ 4ଟି ଶତକ ମାରିବାରେ ଯଶସ୍ୱୀ ସୁନୀଲ ଗାଭାସ୍କର ଏବଂ ବିନୋଦ କାମ୍ବଲିଙ୍କ ସମକକ୍ଷ ହୋଇଛନ୍ତି। ଏହି ରେକର୍ଡରେ ସବୁଠୁ ଆଗରେ ଅଛନ୍ତି ସଚିନ ତେନ୍ଦୁଲକର।

Advertisment

ସେ ଭାରତୀୟ ବ୍ୟାଟର ଭାବେ 23 ବର୍ଷ ବେଳକୁ 8ଟି ସେଞ୍ଚୁରୀ ମାରିଥିଲେ। ତାଙ୍କ ପରେ ରବି ଶାସ୍ତ୍ରୀ 5ଟି ଏବଂ ସୁନୀଲ ଗାଭାସ୍କର ଓ ବିନୋଦ କାମ୍ବଲି 4ଟି ଲେଖାଏଁ ଶତକ ମାରିଛନ୍ତି। ଏମାନଙ୍କ ପରେ ଯଶସ୍ୱୀ ଏହି କୀର୍ତ୍ତିରାଜି ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ଏହା ବାଦ୍ ଯଶସ୍ୱୀ ମଧ୍ୟ ଆଉ ଏକ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି। ଗୋଟିଏ କ୍ୟାଲେଣ୍ଟର ବର୍ଷର ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ଯଶସ୍ୱୀ। ଏହି ରେକର୍ଡରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ପଛରେ ପକାଇ ଶୀର୍ଷରେ ଅଛନ୍ତି। ମ୍ୟାକକୁଲମ 2014ରେ ଗୋଟିଏ ବର୍ଷରେ 33ଟି ଛକା ମାରି ରେକର୍ଡ କରି ଥିବାବେଳେ 2024ରେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ଯଶସ୍ୱୀ ଜୈସ୍ୱାଲ।

ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ 34ଟି ଛକା ସହ ବିଶ୍ୱ କ୍ରିକେଟରଙ୍କ ମଧ୍ୟରେ ପ୍ରଥମ ହୋଇଛନ୍ତି।

ପ୍ରକାଶ ଥାଉକି, ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଦଳ ପ୍ରଥମ ଇନିଂସରେ ମାତ୍ର 150 ରନରେ ଅଲ୍ ଆଉଟ୍ ହୋଇଯାଇ ଥିବାବେଳେ ଯଶସ୍ୱୀ ଜୈସ୍ୱାଲ ଖାତା ଖୋଲି ପାରିନଥିଲେ। 

ମାତ୍ର ଦ୍ୱିତୀୟ ଇନିଂସରେ ଚମତ୍କାର କରିଛି ଦଳ। ଯଶସ୍ୱୀ 15 ଚୌକା ଏବଂ 3ଟି ଛକା ସହ 161 ରନ୍ ସହ ଶାନଦାର୍ କମବ୍ୟାକ୍ ଥିବାବେଳେ କେଏଲ ରାହୁଲ 77, ଦେବଦତ୍ତ ପାଡିକ୍କଲ 25, ରୁଷବ ପନ୍ତ ଓ ଧ୍ରୁବ ଜୁରେଲ ଗୋଟିଏ ଲେଖାଏଁ ରନ୍ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା କ୍ରିଜରେ ବିରାଟ କୋହଲି 33 ଏବଂ ୱାଶିଂଟନ ସୁନ୍ଦର 9 ରନ୍ କରି ଅପରାଜିତ ରହିଥିଲେ। ଇଣ୍ଡିଆ 5 ୱିକେଟ ବିନିମୟରେ 347 ରନ୍ ସହ 394 ରନରେ ଲିଡ୍ କରୁଥିଲା।  

Border-Gavaskar Trophy Yashasvi Jaiswal Perth Test Yashasvi Jaiswal Resord IndVsAus Test