ଶାମିଙ୍କୁ ୪ ୱିକେଟ, ୨୬୩ରେ ଅଟକିଲା ଅଷ୍ଟ୍ରେଲିଆ

ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢ଼େଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଛନ୍ତି।

ଶଟ୍‌ ଖେଳୁଛନ୍ତି ପିଟର ହ୍ୟାଣ୍ଡସ୍କମ୍ବ

  • Published: Friday, 17 February 2023
  • , Updated: 17 February 2023, 05:46 PM IST

ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଦମ ଦେଖାଇଛି ଅଷ୍ଟ୍ରେଲିଆ। ଟସ୍‌ ଜିତି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଯାଇଛି। ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢ଼େଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଛନ୍ତି। 

ସେହିପରି ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୪ଟି ୱିକେଟ ଦଖଲ କରିଛନ୍ତି। ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନ ମଧ୍ୟ ୩ଟି ଲେଖାଏ ସଫଳତା ପାଇଛନ୍ତି।

ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୧ ରନ କରିନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ଓ କେଏଲ ରାହୁଲ ୪ ରନ କରି ଅପରାଜିତ ରହିଛନ୍ତି। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫୦ ରନରେ ପ୍ରଥମେ ୱିକେଟ ଭାବେ ଡାଭିଡ ୱାର୍ଣ୍ଣର(୧୫)ଙ୍କୁ ହରାଇଥିଲା। ତାଙ୍କୁ ମହମ୍ମଦ ଶାମି ଆଉଟ କରିଥିଲେ। ଏହାପରେ ଖ୍ୱାଜା ଓ ମାର୍ନସ ଲାବୁଶେନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୧ ରନ ଯୋଡ଼ିବା ସହ ଭାରତ ହାତରୁ ମ୍ୟାଚ୍‌ କାଢ଼ି ନେବାକୁ ଚେଷ୍ଟା କରିଥିଲେ।

ହେଲେ ୨୩ତମ ଓଭରରେ ଅଶ୍ୱିନ ବାଜି ଓଲଟାଇ ଦେଇଥିଲେ। ଏହି ଓଭରରେ ସେ ପ୍ରଥମେ ଲାବୁଶେନ(୧୮)ଙ୍କୁ ଆଉଟ କରିଥିଲେ। ଏହାର ଗୋଟିଏ ବଲ ପରେ ସେ ଷ୍ଟିଭ ସ୍ମିଥଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୯୧ ରନରେ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇଥିଲା।

ତେବେ ଖ୍ୱାଜା ଭାରତରେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ଆଗୁ ନେଇଥିଲେ। ତାଙ୍କୁ ଇନଫର୍ମ ଟ୍ରାଭିସ ହେଡ୍‌(୧୨) କିଛି ସମୟ ସହଯୋଗ କରିଥିଲେ। କିନ୍ତୁ ହେଡ୍‌ଙ୍କୁ ଆଉଟ କରି ଶାମି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ। ଖ୍ୱାଜା ଓ ହ୍ୟାଣ୍ଡସ୍କମ୍ବ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ।

ଉଭୟ ଦଳୀୟ ସ୍କୋରକୁ ୧୦୮ରୁ ନେଇ ୧୬୭ରେ ପହଞ୍ଚାଇଥିଲେ। ଖ୍ୱାଜା ମଧ୍ୟ ନିଜର ଶତକ ଆଡ଼କୁ ଯାଉଥିଲେ। ହେଲେ ସେ ୮୧ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ତାଙ୍କୁ ଆଉଟ କରିଦେଇଥିଲେ। ଖ୍ୱାଜା ରିଭର୍ସ ଶଟ୍‌ ମାରୁଥିବା ବେଳେ କେଏଲ ରାହୁଲ ଚମତ୍କାର ଢଙ୍ଗରେ ଡାଇଭ ମାରି ଏହାକୁ କ୍ୟାଚ୍ କରି ଦେଇଥିଲେ। ଆଉଟ ହେବା ପୂର୍ବରୁ ଖ୍ୱାଜା ୧୨ଟି ଚୌକା ଓ ଗୋଟିଏ ଛକା ବଳରେ ୮୧ ରନର ଇନିଂସ ଖେଳିଥିଲେ।

ଖ୍ୱାଜାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଆଲେକ୍ସ କେରୀ(୦)ଙ୍କୁ ଆଉଟ କରି ଅଶ୍ୱିନ ଅଷ୍ଟ୍ରେଲିଆକୁ ୬ଷ୍ଠ ଝଟକା ଦେଇଥିଲେ। ୭ମ ୱିକେଟ ପାଇଁ ହ୍ୟାଣ୍ଡସ୍କମ୍ବ ଓ ଅଧିନାୟକ ପ୍ୟାଟ କମିନ୍ସ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୬୮ରୁ ନେଇ ୨୨୭ରେ ପହଞ୍ଚାଇଥିଲେ। ହ୍ୟାଣ୍ଡସ୍କମ୍ବ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୨୨୭ ଥିବା ବେଳେ ଜାଡେଜା ପ୍ରଥମେ କମିନ୍ସ(୩୩) ଓ ପରେ ଟଡ୍‌ ମର୍ଫୀ(୦)ଙ୍କୁ ଆଉଟ କରିଥିଲେ। ନାଥନ ଲାୟନ କେବଳ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ହ୍ୟାଣ୍ଡସ୍କମ୍ବ କିନ୍ତୁ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ମାଥ୍ୟୁ କୁହନେମାନ(୬) କିଛି ସମୟ ସାଥ ଦେଇଥିଲେ। ହେଲେ ମହମ୍ମଦ ଶାମିଙ୍କ ଆଗରେ ସେ ବେଶୀ ସମୟ ତିଷ୍ଠି ପାରି ନଥିଲେ। କୁହନେମାନଙ୍କୁ ବୋଲ୍ଡ କରି ଶାମି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ୭୨ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଶାମି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ ଓ ଜାଡେଜା ୩ଟି ଲେଖାଏ ସଫଳତା ପାଇଛନ୍ତି। ଅକ୍ଷର ପଟେଲ ଓ ମହମ୍ମଦ ସିରାଜଙ୍କୁ କୌଣସି ସଫଳତା ମିଳିନି।

Related story