Advertisment

ଲଢ଼ିଲେ ଅକ୍ଷର ଓ ଅଶ୍ୱିନ, ତଥାପି ୧ ରନ ପଛରେ ରହିଗଲା ଭାରତ

ଅକ୍ଷର ଓ ଅଶ୍ୱିନ ୮ମ ୱିକେଟ ପାଇଁ ୧୧୪ ରନର ଦମଦାର ଭାଗିଦାରୀ କରି ‌ଅଷ୍ଟ୍ରେଲିଆକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ଅକ୍ଷର ୭୪ ରନର ଇନିଂସ ଖେଳିଥିବା ବେଳେ ଅଶ୍ୱିନ ୩୭ ରନ କରିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Axar patel

Axar patel

ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଠିକଣା ସମୟରେ ଦଳକୁ ସମ୍ଭାଳିଛନ୍ତି ଅକ୍ଷର ଓ ଅଶ୍ୱିନ। ଉଭୟ ୮ମ ୱିକେଟ ପାଇଁ ୧୧୪ ରନର ଦମଦାର ଭାଗିଦାରୀ କରି ‌ଅଷ୍ଟ୍ରେଲିଆକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ଅକ୍ଷର ୭୪ ରନର ଇନିଂସ ଖେଳିଥିବା ବେଳେ ଅଶ୍ୱିନ ୩୭ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୬୩ ରନ କରିଥିଲା। ଭାରତ ଏକଦା ୧୩୯ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଅକ୍ଷର ଓ ଅଶ୍ୱିନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୩୯ରୁ ନେଇ ୨୫୩ରେ ପହଞ୍ଚାଇଥିଲେ। ତେବେ ଉଭୟ ଆଉଟ ହେବା ପରେ ଭାରତ ୨୬୨ ରନରେ ଅଟକି ଯାଇଛି।

ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିଛି। ଅଷ୍ଟ୍ରେଲିଆ ପାଇଁ ଅଭିଜ୍ଞ ନାଥନ ଲାୟନ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଡେବ୍ୟୁଟାଣ୍ଟ ମାଥ୍ୟୁ କୁହନେମାନ ୨ଟି, ଟଡ୍‌ ମର୍ଫୀ ୨ଟି ଓ ଅଧିନାୟକ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି।

Advertisment

ଭାରତ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଦଳ ଆରମ୍ଭରୁ ଆଟାକିଂ ଖେଳ ଖେଳିବା ସହ ଆଜି ବ୍ୟାଟିଂ କରିଥିବା ୧୨ ଓଭରରେ ଗୋଟିଏ ୱିକେଟ ହରାଇ ୬୧ ରନ କରି ନେଇଛି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଟ୍ରାଭିଡ୍‌ ହେଡ ୪୦ ବଲରେ ୩୯ ଓ ମାର୍ନସ ଲାବୁଶେନ ୧୯ ବଲରେ ୧୬ ରନ କରି ଅପରାଜିତ ରହିଛନ୍ତି। ଉସମାନ ଖ୍ୱାଜା ଏକମାତ୍ର ବ୍ୟାଟର ଭାବେ ୬ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଛନ୍ତି। 

ଅଷ୍ଟ୍ରେଲିଆ ହାତରେ ୯ଟି ୱିକେଟ ଥିବା ବେଳେ ଦଳ ଏବେ ୬୨ ରନର ଲିଡ୍‌ରେ ହାସଲ କରି ନେଇଛି। ୪ର୍ଥ ଇନିଂସରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବ୍ୟାଟିଂ କରିବା ଆଦୌ ସହଜ ହେବନି। ତେଣୁ ଭାରତକୁ ଯଥାଶୀଘ୍ର ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସକୁ ଶେଷ କରିବାକୁ ପଡ଼ିବ। ନଚେତ ମ୍ୟାଚ୍‌ ଭାରତ ହାତରୁ ଖସିଯିବାର ସମ୍ଭାବନା ରହିଛି। 

ଅନ୍ୟପକ୍ଷରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୨୧ ରନ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୪୬ ଥିବା ବେଳେ କେଏଲ ରାହୁଲ(୧୭)ଙ୍କୁ ଆଉଟ କରି ଲାୟନ ଭାରତକୁ ପ୍ରଥମ ଝଟକା ଦେଇଥିଲେ।

ରୋହିତ ଶର୍ମା ଭଲ ଲୟରେ ଥିଲେ ହେଁ କେବଳ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ନିଜରର ୧୦୦ ତମ ଟେଷ୍ଟ ଖେଳୁଥିବା ଚେତେଶ୍ୱର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଶ୍ରେୟସ ଆୟର ମଧ୍ୟ କେବଳ ୪ ରନ କରିଥିଲେ। ଲଞ୍ଚ ପୂର୍ବରୁ ଭାରତର ଏହି ୪ ଟପ ଅର୍ଡର ବ୍ୟାଟରଙ୍କୁ ଆଉଟ କରି ଲାୟନ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

୬୬ ରନରେ ୪ ୱିକେଟ ହରାଇଥିବା ଭାରତକୁ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା କିଛି ସମୟ ପାଇଁ ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୨୫ରେ ମଧ୍ୟ ପହଞ୍ଚାଇଥିଲେ। ହେଲେ ମର୍ଫୀ ୨୬ ରନ କରିଥିବା ଜାଡେଜାଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ଇନିଂସର ୫୦ତମ ଓଭରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଥିଲା।

୪୪ ରନ କରି ଖେଳୁଥିବା ବିରାଟଙ୍କୁ କୁହନେମାନ ଆଉଟ କରି ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ। କେଏସ୍‌ ଭରତଙ୍କ ଠାରୁ ଦଳ ବହୁତ କିଛି ଆଶା ରଖିଥିଲା। ତେବେ ସେ ବଡ଼ ଶଟ ଖେଳିବା ଲୋଭରେ ୬ ରନ କରି ଆଉଟ ହୋଇଥିଲେ। ତାଙ୍କୁ ଆଉଟ କରି ଲାୟନ ଇନିଂସରେ ୫ମ ସଫଳତା ହାସଲ କରିଥିଲେ।

୧୩୯ରେ ୬ ୱିକେଟ ହରାଇଥିବାରୁ ଲାଗୁଥିଲା ଟିମ ଇଣ୍ଡିଆ ୨୦୦ ରନ ମଧ୍ୟ କରିପାରିବ ନାହିଁ। ହେଲେ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ଅକ୍ଷର ପଟେଲ ହାର ମାନି ନଥିଲେ। ତାଙ୍କ ସହ ଅଶ୍ୱିନ ମଧ୍ୟ ଅଷ୍ଟ୍ରେଲିଆର ବୋଲରଙ୍କ କଡ଼ା ମୁକାବିଲା କରିଥିଲେ। ଉଭୟ ୮ମ ୱିକେଟ ପାଇଁ ୧୧୪ ରନର ଭାଗିଦାରୀ କରିବା ସହ ଦଳକୁ ବଡ଼ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ।

ଏଥିସହ ଅକ୍ଷର କ୍ରମାଗତ ଦ୍ୱିତୀୟ ଥର ଟେଷ୍ଟ ମ୍ୟାଚ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୫୩ ଥିବା ବେଳେ ଅଶ୍ୱିନ(୩୭)ଙ୍କୁ କମିନ୍ସ ଆଉଟ କରିଥିଲେ। ଆଉ ୬ ରନ ପରେ ଅକ୍ଷର ମଧ୍ୟ ଲଢ଼ୁଆ ୭୪ ରନର ଇନିଂସ ଖେଳି ମର୍ଫୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ମହମ୍ମଦ ଶାମି ୨ ରନ କରିବାରୁ ଦଳ ୨୬୨ ରନରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଭାରତ ୧ ରନ ପଛରେ ଥିବା ବେଳେ କୁହନେମାନ ୨ ରନ କରିଥିବା ଶାମିଙ୍କୁ କ୍ଲିନବୋଲ୍ଡ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

India Vs Australia Axar Patel Border-Gavaskar Trophy