ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ବଡ଼ ବିପର୍ଯ୍ୟୟ। ୨୦୨୧ର ଚାମ୍ପିୟନ ଅଷ୍ଟ୍ରେଲିଆ ସୁପର ୮ ରେସ୍ରୁ ବାଦ ପଡ଼ିଛି। ଅର୍ଥାତ ଗ୍ରୁପ ପର୍ଯ୍ୟାୟରୁ ବିଶ୍ୱକପରୁ ବାଦ ପଡ଼ିଛି କଙ୍ଗାରୁ ଟିମ। ଗ୍ରୁପ ପର୍ଯ୍ୟାୟରେ ଜିମ୍ବାୱେ ଓ ଶ୍ରୀଲଙ୍କା ଠାରୁ ହାରିବା ଅଷ୍ଟ୍ରେଲିଆକୁ ମହଙ୍ଗା ପଡ଼ିଛି। ଏଥିଯୋଗୁ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱହୀନ ହୋଇ ପଡ଼ିଛି।
ଗ୍ରୁପ ବି’ରୁ ସୁପର ୮କୁ ଯାଇଛନ୍ତି ବିଶ୍ୱକପର କୋ-ହୋଷ୍ଟ ଶ୍ରୀଲଙ୍କା ଓ ଜିମ୍ବାୱେ। ଏହି ଗ୍ରୁପରେ ଥିବା ଅଷ୍ଟ୍ରେଲିଆ, ଓମାନ ଓ ଆୟାର୍ଲ୍ୟାଣ୍ଡ ବିଦାୟ ନେଇଛନ୍ତି। ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ନିଜର ଶେଷ ମ୍ୟାଚ୍ ଓମାନ ସହ ଫେବୃଆରୀ ୨୦ ତାରିଖରେ ଖେଳିବ। ଏହି ମ୍ୟାଚ୍ ଜିତିଲେ ମଧ୍ୟ ଦଳ ସୁପର ୮ରେ ପହଞ୍ଚି ପାରିବ ନାହିଁ।
ଆଜି ଶ୍ରୀଲଙ୍କାର ପାଲ୍ଲେକେଲରେ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ମୁକାବିଲା ରହିଥିଲା। ଏହି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇ ଯିବାରୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଜିମ୍ବାୱେ ପୂର୍ବରୁ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ପାଇଥିଲା। ସେହିପରି ଆଜିର ଗୋଟିଏ ପଏଣ୍ଟ ପରେ ଏହାକୁ ୫କୁ ବଢ଼ି ଯାଇଛି। ସେହିପରି ଶ୍ରୀଲଙ୍କା ୩ଟି ମ୍ୟାଚ୍ରୁ ୩ଟି ମ୍ୟାଚ୍ ଜିତି ପୂର୍ବରୁ ହିଁ ସୁପର ୮କୁ ଯୋଗ୍ୟତା ଅର୍ଜନ କରି ସାରିଥିଲା। ଏବେ ଦ୍ୱିତୀୟ ଦଳ ଭାବେ ଜିମ୍ବାୱେ ସୁପର ୮ରେ ପହଞ୍ଚିଛି।
ଚଳିତ ଟି-୨୦ ବିଶ୍ୱକପର ସୁପରର ୮ରେ ପ୍ରବେଶ କରି ଜିମ୍ବାୱେ ୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରି ନେଇଛି। ୨୦୨୪ରେ ଜିମ୍ବାୱେ ଯୋଗ୍ୟତା ପର୍ଯ୍ୟାୟରେ ଉଗାଣ୍ଡା ଠାରୁ ହାରି ଯାଇଥିବାରୁ ଟି-୨୦ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ହେଲେ ଦଳ ଏଥର ଦମଦାର ପ୍ରଦର୍ଶନ କରି ସୁପର ୮ରେ ପହଞ୍ଚି ଯାଇଛି।
ଜିମ୍ବାୱେ ସୁପର ୮କୁ ଯିବା ପରେ ଗ୍ରୁପ ୱାନର ଲାଇନ ଅପ ମଧ୍ୟ ଚୂଡ଼ାନ୍ତ ହୋଇଛି। ସୁପର ୮ର ଗ୍ରୁପ ୧ରେ ଭାରତ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ରହିଛି। ଭାରତ ସୁପର ୮ରେ ପ୍ରଥମ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ସେହିପରି ୨୬ ତାରିଖରେ ଦଳ ଚେନ୍ନାଇରେ ଜିମ୍ବାୱେକୁ ଭେଟିବ। ନିଜର ଶେଷ ସୁପର ୮ ମୁକାବିଲାରେ ଭାରତର ସାମ୍ନା ୱେଷ୍ଟଇଣ୍ଡିଜ ସହ ହେବ। ଏହି ମ୍ୟାଚଟି କୋଲକାତାରେ ଖେଳାଯିବ। ସୁପର ୮ର ଏହି ଗ୍ରୁପରେ ଥିବା ସବୁ ଦଳ ଭାରତରେ ସେମାନଙ୍କ ସମସ୍ତ ମ୍ୟାଚ୍ ଖେଳିବେ।
ଗ୍ରୁପ-୨ରେ ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ତ ଓ ଶ୍ରୀଲଙ୍କା ରହିଛନ୍ତି। ଶେଷ ଦଳ ଭାବେ ପାକିସ୍ତାନ କିମ୍ବା ଆମେରିକା ଯୋଗ୍ୟତା ଅର୍ଜନ କରିବ। ପାକିସ୍ତାନ ନିଜର ଶେଷ ଗ୍ରୁପ ମ୍ୟାଚ୍ ନାମିବିୟା ସହ ଆସନ୍ତାକାଲି ଖେଳିବ। ଯଦି ଦଳ ଏହି ମ୍ୟାଚ୍କୁ ଜିତି ନେବ, ତା’ହେଲେ ୮ମ ଦଳ ଭାବେ ସୁପର ୮ରେ ପ୍ରବେଶ କରିବ। ପାକିସ୍ତାନ ହାରିଲେ ଆମେରିକା ସୁପର ୮କୁ ଯିବ। ଏହି ଗ୍ରୁପର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ।
୨୦୦୯ ପରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ଗ୍ରୁପ ପର୍ଯ୍ୟାୟରୁ କୌଣସି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ୨୦୦୯ରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ। ଅଷ୍ଟ୍ରେଲିଆ ଏହି ଗ୍ରୁପରେ ତୃତୀୟ ସ୍ଥାନରେ ରହିବାରୁ ପ୍ରଥମ ରାଉଣ୍ତରୁ ବିଦାୟ ନେଇଥିଲା। ଏବେ ଦଳକୁ ସମାନ ଦଶା ଭୋଗିବାକୁ ପଡ଼ିଛି।
ସୋମବାର ଦଳ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବା ସହ ୨୦ ଓଭରରେ ୧୮୧ ରନ କରିଥିଲା। କିନ୍ତୁ ଶ୍ରୀଲଙ୍କାର ଓପନର ପଥୁମ ନିଶଙ୍କା ଅପରାଜିତ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ୧୨ ବଲ ପୂର୍ବରୁ ୮ ୱିକେଟରେ ହାରିଥିଲା। ଏହାପୂର୍ବରୁ ଜିମ୍ବାୱେ ୨୩ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଦୁଇଟି ମ୍ୟାଚ ହାରିବାରୁ କଙ୍ଗାରୁ ଟିମକୁ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/aus-2026-02-17-18-10-16.jpg)