/odisha-reporter/media/post_attachments/uploads/2021/10/AUS-1.jpg)
AUS
ଅବୁଧାବି: ଟି-୨୦ ବିଶ୍ୱକପର ପ୍ରଥମ ସୁପର ୧୨ ମୁକାବିଲାରେ ଚମକିଛନ୍ତି ଅଷ୍ଟ୍ରେଲୀୟ ବୋଲର। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ ମାର୍କମ ଲଢ଼େଇ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ମାତ୍ର ୧୧୮ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆକୁ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ୧୧୯ ରନ୍ର ଟାର୍ଗେଟ ମିଳିଛି।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କମ ସଂଘର୍ଷପୂର୍ଣ୍ଣ ୪୦ ରନ୍ ଇନିଂସ୍ ଖେଳିଛନ୍ତି। ତେବେ ଅଷ୍ଟ୍ରେଲିଆର ସବୁ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଦଳର ଦୁଇ ସ୍ପିନର ଆଡାମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛାରଖାର କରି ଦେଇଛନ୍ତି।
ଅବୁଧାବିରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାକୁ ସଠିକ ସାବ୍ୟସ୍ତ କରି ଦଳୀୟ ବୋଲରମାନେ ନିୟମିତ ୱିକେଟ ଦଖଲ କରି ଚାଲିଥିଲେ। ପ୍ରଥମେ ମ୍ୟାକ୍ସୱେଲ ଅଧିନାୟକ ତେମ୍ବା ବାଭୁମା(୧୨)ଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାପରେ ଜୋଶ ହେଜେଲଉଡ ଇନଫର୍ମ ଦୁସେନ(୨) ଓ କ୍ୱିଣ୍ଟନ ଡି’କକ(୭)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ହେନରିଚ୍ କ୍ଲାସ କିଛି ଦର୍ଶନୀୟ ଶଟ ଖେଳିଥିଲେ ମଧ୍ୟ କେବଳ ୧୩ ରନ୍ କରି ପ୍ୟାଟ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ଦଳ ୪୬ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଡାଭିଡ ମିଲର ଓ ମାର୍କମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୫ମ ୱିକେଟ ପାଇଁ ୩୬ ରନ୍ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ୧୩ତମ ଓଭର ବୋଲିଂ କରୁଥିବା ଜାମ୍ପା ସବୁ କିଛି ଓଲଟପାଲଟ କରିଦେଇଥିଲେ।
ପ୍ରଥମେ ସେ ମିଲର(୧୮)ଙ୍କୁ ଆଉଟ କରିଥିଲେ। ଏହାପରେ ସେହି ଓଭର୍ର ଶେଷ ବଲର୍ରେ ସେ ଡି ପ୍ରେଟୋରିୟସ(୦)ଙ୍କୁ ପ୍ୟାଭିଲିୟନ ପଠାଇ ଦକ୍ଷିଣ ଆଫ୍ରିକାକୁ ଡବଲ ଝଟକା ଦେଇଥିଲେ। କେଶବ ମହାରାଜ ପରବର୍ତ୍ତୀ ଓଭର୍ରେ ରନ୍ ଆଉଟ ହୋଇଥିଲେ।
ଗୋଟିଏ ପଟେ ୱିକେଟ ଝଡ଼ି ଚାଲିଥିବା ବେଳେ ମାର୍କମ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମିଚେଲ ଷ୍ଟାର୍କଙ୍କୁ ବାଉଣ୍ଡରୀ ପାଖରେ କ୍ୟାଚ୍ ଆଉଟ କରାଇ ଦକ୍ଷିଣ ଆଫ୍ରିକାର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ୮୦ ରନ୍ରେ ୫ମ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଆଉ ୧୮ ରନ୍ରେ ୩ ଜଣ ବ୍ୟାଟସମ୍ୟାନଙ୍କୁ ହରାଇଥିଲା। ଶେଷ ଭାଗରେ କାଗିସୋ ରାବଡା କିଛି ରନ ଯୋଡ଼ିବାରୁ ଦଳୀୟ ସ୍କୋର ୧୦୦ ପାର କରିଥିଲା। ସେ ଶେଷ ଯାଏ ୨୦ ରନ୍ କରି ଅପରାଜିତ ରହିଛନ୍ତି। ନୋର୍ଜେ ମାତ୍ର ୨ ରନ୍ କରି ଶେଷ ବଲରେ ଆଉଟ ହୋଇଥିଲେ। ଶେଷ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ୧୧୮ ରନ୍ କରିବାକୁ ସକ୍ଷମ ହୋଇଛି।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, ଜାମ୍ପା ଓ ହେଜେଲଉଡ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ମ୍ୟାକ୍ସୱେଲ ଓ କମିନ୍ସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
