Advertisment

ଅଷ୍ଟ୍ରେଲିଆ ସିରିଜ୍‌ କେଏଲ ରାହୁଲଙ୍କ ପାଇଁ ଲାଇଫଲାଇନ!

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।

author-image
Hemant Lenka
KL Rahul

KL Rahul

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ। ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳିବେ ନାହିଁ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିବେ। ସେହିପରି ପାଟ କମିନ୍ସ ସ୍ୱଦେଶରୁ ଫେରି ନଥିବାରୁ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ।

Advertisment

ତେବେ କେଏଲ ରାହୁଲଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଲାଇଫ ଲାଇନ ସଦୃଶ ହୋଇଛି। ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ପରେ ତାଙ୍କୁ ଟିମରୁ ଡ୍ରପ୍‌ କରାଯାଇଥିଲା। ହେଲେ ଏବେ ରାହୁଲଙ୍କୁ ଦିନିକିଆରେ ସୁଯୋଗ ଦେବା ସପକ୍ଷରେ ଟିମ ମ୍ୟାନେଜମେଣ୍ଟ ରହିଛି। ସେ ଦିନିକିଆ ଟିମରେ ୱିକେଟ କିପର ବ୍ୟାଟର ଭାବେ ବିଶ୍ୱକପ ମଧ୍ୟ ଖେଳିପାରନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବି ରାହୁଲଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇପାରେ। କିନ୍ତୁ ତା’ ପୂର୍ବରୁ ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ ରାହୁଲଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ତାଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶ୍ରେୟସ ଆୟର ନାହାନ୍ତି। ଋଷଭ ପନ୍ତ ଆସନ୍ତା ୬ ମାସ ଯାଏ କ୍ରିକେଟ ଖେଳିପାରିବେ ନାହିଁ। କେଏସ ଭରତଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ସେତେଟା ଆଖିଦୃଶିଆ ହୋଇନାହିଁ। ଏସବୁ କାରଣ ରାହୁଲଙ୍କୁ କମବ୍ୟାକ କରିବାକୁ ସୁବର୍ଣ୍ଣ ସୁଯୋଗ ଦେଇଛି। ରାହୁଲ ନିଜର ଜଲୱା ଦେଖାଇ ପାରିଲେ ତାଙ୍କୁ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଭାବେ ଡବ୍ଲ୍ୟୁସି ଫାଇନାଲରେ ବି ସୁଯୋଗ ମିଳିପାରେ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ଆଇପିଏଲ ୨୦୨୩ରେ ରାହୁଲ ନିଜର ଦବଦବା ଦେଖାଇ ପାରିଲେ ତାଙ୍କୁ ୫ନଂ ସ୍ଥାନରେ ଉଭୟ ଦିନିକିଆ ଓ ଟେଷ୍ଟ ଟିମରେ ସ୍ଥାନ ମିଳିବ। ଏଥିସହ ତାଙ୍କୁ ୱିକେଟ କିପିଂ ମଧ୍ୟ ସେହି ଅନୁସାରେ କରିବାକୁ ପଡ଼ିବ।

କେଏସ ଭରତଙ୍କ ସ୍ଥାନରେ ରାହୁଲଙ୍କ ଟେଷ୍ଟ କ୍ରିକେଟରେ ସାମିଲ କରିବାକୁ କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଡେବ୍ୟୁ କରିଥିବା ଭରତ ୪ଟି ମ୍ୟାଚ୍‌ରେ ୨୦.୨ ହାରରରେ କେବଳ ୧୦୧ ରନ କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ୱିକେଟ କିପିଂ ବେଳେ କିଛି କ୍ୟାଚ୍‌ ମଧ୍ୟ ସେ ହାତ ଛଡ଼ା କରିଥିଲେ। ତେଣୁ ପନ୍ତ ଫେରିବା ଯାଏ ରାହୁଲ ଟେଷ୍ଟରେ ୱିକେଟ କିପିଂ ସହ ବ୍ୟାଟିଂ କରିପାରିବେ।

କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଭରତଙ୍କ ସ୍ଥାନରେ ରାହୁଲଙ୍କୁ ଦେଖିବାକୁ ଚାହାନ୍ତି। ସେ ନିକଟରେ କହିଥିଲେ, “ଆପଣମାନେ କେଏଲ ରାହୁଲଙ୍କୁ ୱିକେଟ କିପର ଭାବେ ଦେଖିପାରନ୍ତି। ଯଦି ସେ ୫ କିମ୍ବା ୬ନଂରେ ବ୍ୟାଟିଂ କରିପାରିବେ, ତା’ହେଲେ ଆମ ବ୍ୟାଟିଂ ଲାଇନଅପ୍‌ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଗତବର୍ଷ ଇଂଲଣ୍ଡରେ ସେ ଭଲ ବ୍ୟାଟିଂ କରିଥିଲେ। ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡରେ ଓଭାଲରେ ଖେଳାଯିବ। ଲର୍ଡସରେ ରାହୁଲ ଶତକ ମାରିଥିଲେ। ତେଣୁ WTC ଫାଇନାଲ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ ବେଳେ ରାହୁଲଙ୍କ କଥା ମଧ୍ୟ ବିଚାର କରାଯିବା ଉଚିତ।”

ରାହୁଲ ଟେଷ୍ଟରେ ୭ଟି ଶତକ ହାସଲ କରିଥିଲେ ହେଁ ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ଶେଷ ୧୦ ଟେଷ୍ଟ ଇନିଂସରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୩। ବର୍ଡର-ଗାଭାସ୍କର ଟ୍ରଫିରେ ସେ ୨୦,୧୭ ଓ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯାଇଥିଲା ଓ ତୃତୀୟ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା।

କିନ୍ତୁ ରାହୁଲଙ୍କ ପାଖରେ ଦକ୍ଷତାର କୌଣସି ଅଭାବ ନାହିଁ। ୨୦୨୧ରେ ଭାରତୀୟ ଟିମ ଇଂଲଣ୍ଡ ଯାଇଥିବା ବେଳେ ରାହୁଲ ଇନିଂସ ଆରମ୍ଭ କରି ପ୍ରଥମ ଟେଷ୍ଟରେ ୮୪ ରନ କରିଥିଲେ। ପରବର୍ତ୍ତୀ ଟେଷ୍ଟ ଲର୍ଡସରେ ଖେଳାଯାଇଥିବା ବେଳେ ରାହୁଲ ୧୨୯ ରନ କରିଥିଲେ। ୨୦୧୮ ଓଭାଲ ଟେଷ୍ଟରେ ମଧ୍ୟ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା।

ଏଯାଏ ଦେଶ ପାଇଁ ୪୭ଟି ଟେଷ୍ଟ ଖେଳିଥିବା ରାହୁଲ ୩୩.୪୪ ହାରରେ ରନ କରିଛନ୍ତି। ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଭଳି ପିଚ୍‌ରେ ଶତକ ହାସ କରିଛନ୍ତି।

ସେ ନିଜର ୫୧ଟି ଦିନକିଆରୁ ୧୫ଟିରେ ୱିକେଟ କିପର ବ୍ୟାଟର ଭାବେ ଖେଳିଛନ୍ତି। ଏହି ସମୟରେ ସେ ୧୦୨.୭୯ ଷ୍ଟ୍ରାଇକ ରେଟ ଓ ୫୫.୨୫ ହାରରେ ଦଳ ପାଇଁ ରନ ସଂଗ୍ରହ କରିଛନ୍ତି। ୨୦୨୦ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୱିକେଟ କିପର ବ୍ୟାଟର ଭାବେ ମ୍ୟାଚ୍‌ ଖେଳିବା ସହ ୧୧୨ ରନର ଇନିଂସ ଖେଳିଥିଲେ।

ଏବେ ରାହୁଲଙ୍କୁ ଦଳ ୱିକେଟ କିପର ବ୍ୟାଟର ଭାବେ ବ୍ୟବହାର କରିବାକୁ ଚାହୁଁଛି। ଆସନ୍ତାକାଲି ରାହୁଲ ଦଳରେ ୱିକେଟର କିପର ଭାବେ ସ୍ଥାନ ପାଇବେ। ତେଣୁ ଏହି ସୁଯୋଗର ଫାଇଦା ସେ କେମିତି ଉଠାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Indian Cricket Team Cricket India Vs Australia KL Rahul