ପାଟ କମିନ୍ସ
ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ(T20 World Cup) ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା କାରଣରୁ ବିଶ୍ୱକପରୁ ବାଦ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ପାଟ କମିନ୍ସ। ଦୀର୍ଘ ଦିନରୁ ପିଠି ଓ ଅଣ୍ଟା ଜନିତ ସମସ୍ୟା ଦେଇ ଗତି କରୁଥିବା କମିନ୍ସ ବର୍ତ୍ତମାନ ସୁଦ୍ଧ ମଧ୍ୟ ଫିଟ ହୋଇ ନାହାନ୍ତି। ଏଥିପାଇଁ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା ବିଶ୍ୱକପରୁ ତାଙ୍କୁ ବାଧ୍ୟ ହୋଇ ବାଦ ଦିଆଯାଇଛି।
କେବଳ କମିନ୍ସ ନୁହନ୍ତି, ୧୫ ଜଣିଆ ବିଶ୍ୱକପ ସ୍କ୍ୱାଡରୁ ଟପ ଅର୍ଡର ବ୍ୟାଟର ମାଥ୍ୟୁ ଶର୍ଟଙ୍କୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ବାଦ ଦେଇଛି। ପ୍ରୋଭିଜନାଲ ସ୍କ୍ୱାଡରେ ତାଙ୍କର ନାଁ ଥିଲା। କିନ୍ତୁ କ୍ରମାଗତ ଦୁର୍ବଳ ପ୍ରଦର୍ଶନ ଯୋଗୁ ତାଙ୍କୁ ଚୂଡ଼ାନ୍ତ ସ୍କ୍ୱାଡରୁ ବାଦ ଦିଆଯାଇଥିବା ଜଣାପଡ଼ିଛି।
ବିଶ୍ୱକପ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଥିବା ଚୂଡ଼ାନ୍ତ ସ୍କ୍ୱାଡରେ କମିନ୍ସ ଓ ଶର୍ଟ ନାହାନ୍ତି। ଏମାନଙ୍କ ବଦଳରେ ବେନ ଡୱାରଶୁଇସ ଓ ବ୍ୟାଟର ମାଥ୍ୟୁ ରେନଶଙ୍କୁ ବିଶ୍ୱକପ ଟିକେଟ ମିଳିଛି।
ଚୟନକର୍ତ୍ତା ଟୋନୀ ଡୋଡମେଡ କହିଛନ୍ତି, “ପାଟକୁ ବ୍ୟାକ ଇଞ୍ଜୁରୀରୁ ମୁକୁଳିବା ପାଇଁ ଆଉ କିଛି ସମୟ ଲାଗିବ। ତେଣୁ ତାଙ୍କ ବଦଳରେ ବେନକୁ ସାମିଲ କରାଯାଇଛି। ସେ ବାମହାତୀ ବୋଲିଂ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଓ ନିମ୍ନକ୍ରମରେ ବଡ଼ ଶଟ ଖେଳିବାକୁ ସକ୍ଷମ। ମାଥ୍ୟୁ ରେନଶ ସବୁ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରି ଚାଲିଛନ୍ତି। ତେଣୁ ତାଙ୍କୁ ମଧ୍ୟ ବିଶ୍ୱକପ ସ୍କ୍ୱାଡରେ ରଖାଯାଇଛି। ସେ ମଧ୍ୟକ୍ରମରେ ଦଳକୁ ଆହୁରି ମଜବୁତ କରିବେ।”
ବିଶ୍ୱକପର ଗ୍ରୁପ ବ’ରେ ଅଷ୍ଟ୍ରେଲିଆ ରହିଛି। ଏହି ଗ୍ରୁପରେ ଆୟର୍ଲ୍ୟାଣ୍ଡ, ଜିମ୍ବାୱେ, ଶ୍ରୀଲଙ୍କା ଓ ଓମାନ ରହିଛନ୍ତି। ଫେବୃଆରୀ ୧୧ରୁ ଅଷ୍ଟ୍ରେଲିଆ ତା’ର ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଏହି ମ୍ୟାଚ୍ଟି ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟରେ ଖେଳାଯିବ।
ଅଷ୍ଟ୍ରେଲିଆର ବିଶ୍ୱକପ ସ୍କ୍ୱାଡ: ମିଚେଲ ମାର୍ଶ(ଅଧିନାୟକ), ଜାଭିୟର ବାର୍ଟଲେଟ, କୁପର କୋନୋଲୀ, ଟିମ ଡାଭିଡ, ବେନ ଡୱାରଶୁଇସ, କାମେରନ ଗ୍ରୀନ, ନାଥନ ଏଲିସ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିସ, ମାଥ୍ୟୁ କୁନେମାନ, ଗ୍ଲେନ ମ୍ୟାକ୍ସୱେଲ, ମାଥ୍ୟୁ ରେନଶ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/31/pat-cummins-2026-01-31-14-19-32.jpg)