Pakistan
କ୍ୟାପ୍ଟେନ ବଦଳିଥିଲେ ହେଁ ଦିନିକିଆରେ ବଦଳିନି ପାକିସ୍ତାନର ଭାଗ୍ୟ। ମହମ୍ମଦ ରିଜୱାନଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳୁଥିବା ବେଳେ ଦଳକୁ ହାରିବାକୁ ପଡ଼ିଛି। ଆଜି ପାକିସ୍ତାନକୁ ୨ ୱିକେଟରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ମେଲବର୍ଣ୍ଣ ଗ୍ରାଉଣ୍ଡରେ ଖେଳା ଯାଉଥିବା ପ୍ରଥମ ଦିନିକିଆକୁ ଜିତି ଘରୋଇ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।
ବିଶ୍ୱକପ ପରେ ବାବାର ଆଜମ କ୍ୟାପ୍ଟେନ ପଦରୁ ଇସ୍ତଫା ଦେବା ପରେ ନିକଟରେ ମହମ୍ମଦ ରିଜୱାନଙ୍କୁ ଏହି ପଦ ମିଳିଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ନିଜର କ୍ୟାପ୍ଟେନ୍ସି ଆରମ୍ଭ କରିଛନ୍ତି। ହେଲେ ପ୍ରଥମ ମ୍ୟାଚ୍ରେ ଦଳକୁ ହାରିବାକୁ ପଡ଼ିଛି।
ଏଥିସହ ଅଷ୍ଟ୍ରେଲିଆ ମାଟିରେ ୭ ବର୍ଷ ହେଲା ପ୍ରଥମ ବିଜୟ ପାଇଁ ପାକିସ୍ତାନ କରିଥିବା ଅପେକ୍ଷା ଆହୁରି ଲମ୍ବିଛି। ଦଳ ଶେଷଥର ପାଇଁ ସମାନ ଗ୍ରାଉଣ୍ଡରେ ୨୦୧୭ ଜାନୁଆରୀ ୧୫ରେ ଜିତିଥିଲା। ସେବେଠାରୁ ପାକିସ୍ତାନ କୌଣସି ଦିନିକିଆ ମ୍ୟାଚ୍ ଅଷ୍ଟ୍ରେଲିଆ ମାଟିରେ ଜିତିବାକୁ ସକ୍ଷମ ହୋଇନାହିଁ।
ଅଷ୍ଟ୍ରେଲିଆ ଦମଦାର ବିଜୟ ସହ ପାକିସ୍ତାନ ବିପକ୍ଷରେ ନିଜର ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ପାଟ କମିନ୍ସ ମ୍ୟାଚ ବିଜୟୀ ଇନିଂସ ଖେଳି ଶେଷ ଭାଗରେ ପାକିସ୍ତାନ ସୃଷ୍ଟି କରିଥିବା ବିପଦକୁ ଟାଳି ଦେଇଛନ୍ତି। ପାକିସ୍ତାନ ଦେଇଥିବା ୨୦୪ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୧୮୫ ରନରେ ୮ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ହେଲେ ପାଟ କମିନ୍ସ ଅପରାଜିତ ୩୨ ରନର ଇନିଂସ ଖେଳି ଦଳକୁ ୯୯ ବଲ ପୂର୍ବରୁ ୨ ୱିକେଟରେ ବିଜୟ ଭେଟି ଦେଇଛନ୍ତି। ଦଳ ପାଇଁ ଷ୍ଟିଭ ସ୍ମିଥ ୪୪ ଓ ଜୋଶ ଇଙ୍ଗଲିସ ୪୯ ରନର ଇନିଂସ ଖେଳିଥିଲେ ହେଁ ଶେଷ ଭାଗରେ ପାକିସ୍ତାନ ବାଉନ୍ସ ବ୍ୟାକ କରିଥିଲା। କିନ୍ତୁ କମିନ୍ସ ସେସବୁକୁ ପଣ୍ଡ କରି ପାକିସ୍ତାନକୁ ବିଜୟ ସ୍ୱାଦ ଚାଖିବାକୁ ଦେଇ ନାହାନ୍ତି। ତେବେ ବୋଲିଂରେ ୩ ୱିକେଟ ନେଇଥିବା ମିଚେଲ ଷ୍ଟାର୍କଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଏହି ଫର୍ମାଟରେ ମ୍ୟାଚ୍ ଖେଳିବାକୁ ଆଜି ମେଲବର୍ଣ୍ଣ ଗ୍ରାଉଣ୍ଡକୁ ଓହ୍ଲାଇଥିଲା। ଦଳ ୪୬.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୦୩ ରନ କରିଥିଲା। ସାମି ଆୟୁବ ଓ ଅବଦୁଲ୍ଲା ଶଫିକ ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ବାବର ଆଜମ ଓ ନୂଆ ଅଧିନାୟକ ରିଜୱାନ କିଛି ସହ ମଙ୍ଗ ସମ୍ଭାଳିଥିଲେ।
ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଟେଷ୍ଟରୁ ବିଦା ହୋଇଥିବା ବାବର ଆଜି ୪୪ ବଲରେ ୩୭ ରନ କରି ଆଡାମ ଜାମ୍ପାଙ୍କ ବଲରେ ଆଉଟ ହୋଇଛନ୍ତି। ରିଜୱାନଙ୍କୁ ମାର୍ନସ ଲାବୁଶେନ ଆଉଟ କରିବା ପୂର୍ବରୁ ସେ ୪୪ ରନର ଇନିଂସ ଖେଳିଥିଲେ। କମରାନ ଗୁଲାମ ବାଉଣ୍ଡରୀରୁ ନିଜ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ।
କିନ୍ତୁ ପାଟ କମିନ୍ସ ତାଙ୍କୁ ଆଉଟ କରି ଦେଇଥିଲେ। ପାକିସ୍ତାନର ନୂଆ ଉପ ଅଧିନାୟକ ସଲମାନ ଆଘା ୧୨ ରନ କରି ସେନ ଆବୋଟ୍ଟଙ୍କ ଶିକାର ବନିଥିବା ବେଳେ ଡେବ୍ୟୁଟାଣ୍ଟ ଇରଫାନ ଖାନ ନିଆଜି ୨୨ ରନ କରି ରନ ଆଉଟ ହୋଇଥିଲେ।
କିନ୍ତୁ ଶାହୀନ ଶାହ ଆଫ୍ରିଦି ଓ ନସୀମ ଶାହ ଶେଷ ଭାଗରେ କମାଲ କରିଥିଲେ। ଆଫ୍ରିଦି ଦ୍ରୁତ ୨୪ ରନରେ ୩ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ନସୀମ ୩୯ ବଲରେ ୪୦ ରନର ଇନିଂସ ଖେଳିବାରୁ ପାକିସ୍ତାନ ୨୦୦ ରନ ପାର କରିଥିଲା।
୪୬ତମ ଓଭରରେ ନସୀମ ଦମଦାର ଢଙ୍ଗରେ ଜାମ୍ପାଙ୍କୁ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। ହେଲେ ପରବର୍ତ୍ତୀ ଓଭରରେ କମିନ୍ସ ତାଙ୍କୁ ଆଉଟ କରି ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
ଅଷ୍ଟ୍ରେଲିଆ ପାଇଁ ମଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କମିନ୍ସ ଓ ଜାମ୍ପା ୨ଟି ଲେଖାଏ ସଫଳତା ପାଇଛନ୍ତି। ଆବୋଟ୍ଟ ଓ ଲାବୁଶେନଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଛି।
୨୦୪ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ମାଥ୍ୟୁ ଶର୍ଟ ଓ ଜ୍ୟାକ ଫେର୍ସର ମ୍ୟାକଗୁର୍କଙ୍କୁ ସଅଳ ହରାଇଥିଲା। କିନ୍ତୁ ସ୍ମିଥ ଓ ଇଙ୍ଗଲିସ ତୃତୀୟ ୱିକେଟ ପାଇଁ ୮୫ ରନ ଯୋଡ଼ିଥିଲେ। ତେବେ ପାକିସ୍ତାନର ଦ୍ରୁତ ବୋଲର ହରିଶ ରୌଫ ଦଳକୁ କମବ୍ୟାକ କରାଇବା ସହ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ୨୦.୨ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୩୯କୁ ଖସି ଆସିଥିଲା।
ଆଫ୍ରିଦି ୪୯ ରନ କରିଥିବା ଇଙ୍ଗଲିସଙ୍କୁ ଆଉଟ କରିଥିବା ବେଳେ ରୌଫ ଲାବୁଶେନ ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ କ୍ରମାଗତ ଦୁଇଟି ବଲରେ ପ୍ୟାଭିଲିୟନ ପଠାଇ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ। ଆଫ୍ରିଦି ସିଧା ଥ୍ରୋ ଦ୍ୱାରା ଆବୋଟ୍ଟଙ୍କୁ ମଧ୍ୟ ରନ ଆଉଟ କରିଥିଲେ। ୧୮୫ ରନରେ ଦଳ ୮ ୱିକେଟ ହରାଇଥିଲା।
ହେଲେ କମିନ୍ସ ୩୧ ବଲରେ ୩୨ ରନର ଇନିଂସ ଖେଳି ୧୬.୩ ଓଭର ପୂର୍ବରୁ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ତାଙ୍କ ସହ ଷ୍ଟାକ ୧୨ ବଲରେ ୨ ରନ କରି ବିଜୟ ବେଳେ କ୍ରିଜରେ ରହିଥିଲେ।
ପାକିସ୍ତାନ ପକ୍ଷରୁ ରୌଫ ୩ଟି ୱିକେଟ ନେଇଥିବା ବେଳେ ଆଫ୍ରିଦି ୨ଟି, ନସୀମ ଶାହ ଓ ମହମ୍ମଦ ହସନୈନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆସନ୍ତା ୮ ତାରିଖରେ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1730720384.jpg)