Advertisment

ତୃତୀୟ ଟେଷ୍ଟ: ଦିନକରେ ଝଡ଼ିଲା ୧୪ ୱିକେଟ, ସାମାନ୍ୟ ବ୍ୟାକଫୁଟରେ ଭାରତ

ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୧୪ଟି ୱିକେଟର ପତନ ଘଟିଛି। ଭାରତ ତା’ର ସମସ୍ତ ୧୦ ୱିକେଟ ହରାଇ ୧୦୯ ରନରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରଥମ ଇନିଂସରେ ୪ ବ୍ୟାଟରଙ୍କୁ ହରାଇଛି।

author-image
Hemant Lenka
Team India

Team India

ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ୱିକେଟ ବର୍ଷା ହୋଇଛି। ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୧୪ଟି ୱିକେଟର ପତନ ଘଟିଛି। ଭାରତ ତା’ର ସମସ୍ତ ୧୦ ୱିକେଟ ହରାଇ ୧୦୯ ରନରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରଥମ ଇନିଂସରେ ୪ ବ୍ୟାଟରଙ୍କୁ ହରାଇଛି।

Advertisment

ତେବେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୫୬ ରନ କରି ନେଇଛି। ଏଥିସହ ପ୍ରଥମ ଇନିଂସରେ ୪୭ ରନର ଲିଡ ହାସଲ କରିବାକୁ ସକ୍ଷମ ହୋଇଛି। ଏବେ ବି ଦଳ ହାତରେ ୬ଟି ୱିକେଟ ବାକି ରହିଛି। ତେଣୁ କଙ୍ଗାରୁ ଟିମ ବଡ଼ ଲିଡ୍‌ ଲକ୍ଷ୍ୟରେ ରହିଛି। ଅଷ୍ଟ୍ରେଲିଆ ଲିଡ୍‌ ହାସଲ କରି ନେଇଥିବାରୁ ଘରୋଇ ଟିମ ପ୍ରଥମ ଦିନରେ ସାମାନ୍ୟ ବ୍ୟାକଫୁଟକୁ ଠେଲି ହୋଇ ଯାଇଛି। ତଥାପି ମ୍ୟାଚ୍‌ରେ ଆହୁରି ୪ ଦିନ ଥିବାରୁ ଦଳ କମବ୍ୟାକ କରିବା ମୁଡରେ ରହିଛି।

ଆଜି ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ହିଁ ସମସ୍ତ ୪ ୱିକେଟ ଦଖଲ କରିଛନ୍ତି। ରବି ଅଶ୍ୱିନ ଆରମ୍ଭରୁ ବୋଲିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ସଫଳତା ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ଆମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫୦ ରନ ଭିତରେ ଦଳ ୫ ୱିକେଟ ହରାଇଥିଲା। ବିରାଟ କୋହଲି(୨୨) କିଛି ସମୟ ଲଢ଼ିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷର କରିପାରି ନଥିଲେ। ଶେଷରେ ଭାରତୀୟ ଟିମ ଲଞ୍ଚ ପରେ ପରେ ୧୦୯ ରନ କରି ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆର ଯୁବ ବୋଲର ମାଥ୍ୟୁ କୁହନେମାନ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ନାଥନ ଲାୟନ ୩ଟି ଓ ଟଡ୍‌ ମର୍ଫୀ ଗୋଟିଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟରୁ ମିଳିଛି।  

ବୋଲିଂରେ କମାଲ କରିଥିବା ଅଷ୍ଟ୍ରେଲିଆ ଟିମ ତା’ର ପ୍ରଥମ ଇନିଂସ ବେଶ ସତର୍କତାର ସହ ଆରମ୍ଭ କରିବାକୁ ଚେଷ୍ଟା କରିଥିଲା। ହେଲେ ଇନିଂସର ଦ୍ୱିତୀୟ ଓଭରରେ ରବୀନ୍ଦ୍ର ଜାଡେଜା ଦଳକୁ ପ୍ରଥମ ଝଟକା ଦେଇଥିଲେ। ସେ ୯ ରନ କରି ଥିବା ଡ୍ରାଭିସ ହେଡ୍‌ଙ୍କୁ ଆଉଟ କରି ଦେଇଥିଲେ। ନିଜର ଦ୍ୱିତୀୟ ଓଭରରେ ମଧ୍ୟ ସେ ଖାତା ଖୋଲିବା ପୂର୍ବରୁ ମାର୍ନସ ଲାବୁଶେନଙ୍କୁ ବୋଲ୍ଡ କରି ଦେଇଥିଲେ। ହେଲେ ଏହା ନୋ-ବୋଲ ଥିବାରୁ ଲାବୁଶେନ ଜୀବନଦାନ ପାଇଥିଲେ।

ଏହି ନୋ ବଲ ଦଳକୁ ମହଙ୍ଗା ପଡ଼ିଥିଲା। ଲାବୁଶେନ ଓ ଉସମାନ ଖ୍ୱାଜା ମିଳିତ ଭାବେ ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୧୨ ରନରେ ପ୍ରଥମ ୱିକେଟ ହରାଇଥିବା ଅଷ୍ଟ୍ରେଲିଆକୁ ଉଭୟ ୧୦୮ ରନରେ ପହଞ୍ଚାଇଥିଲେ। ଭାରତୀୟ ସ୍କୋର ଠାରୁ ୧ ରନ ପଛରେ ଥିବା ବେଳେ ଲାବୁଶେନ ୩୧ ରନ କରି ସେହି ଜାଡେଜାଙ୍କ ବଲରେ ପୁଣି ବୋଲ୍ଡ ହୋଇଥିଲେ। ଏଥର କିନ୍ତୁ ଏହା ନୋ ବଲ ନଥିଲା। ଲାବୁଶେନ ଆଉଟ ହୋଇଥିଲେ ମଧ୍ୟ ଖ୍ୱାଜା ତାଙ୍କର ଦମଦାର ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ।

ତେବେ ଦଳୀୟ ସ୍କୋର ୧୨୫ ଥିବା ବେଳେ ବ୍ୟକ୍ତିଗତ ୭୦ ରନ କରି ସେ ମଧ୍ୟ ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ନିୟମିତ ଅଧିନାୟକ ପାଟ କମିନ୍ସଙ୍କ ଅନୁପସ୍ଥିତିରେ କଙ୍ଗାରୁ ଟିମର ମଙ୍ଗ ସମ୍ଭାଳିଥିବା ଷ୍ଟିଭ ସ୍ମିଥ କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ। ସେ ୨୬ ରନ କରିଥିବା ବେଳେ ତାଙ୍କୁ ୱିକେଟ କିପର କେଏସ ଭରତଙ୍କ ହାତରେ କ୍ୟାଚ କରାଇ ଜାଡେଜା ପ୍ୟାଭିଲିୟନ ପଠାଇ ଦେଇଥିଲେ।

ସ୍ମିଥ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୭ ରନର ଲିଡ୍‌ ହାସଲ କରି ସାରିଥିଲା। ଏହାପରେ ପିଟର ହ୍ୟାଣ୍ଡସ୍କମ୍ବ ଓ ସିରିଜରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା କାମେରୁନ ଗ୍ରୀନ ଆଉ ଦଳକୁ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଦଳୀୟ ସ୍କୋରକୁ ୧୪୬ରୁ ନେଇ ୧୫୬ରେ ପହଞ୍ଚାଇଥିଲେ। ଏଥିସହ ଲିଡ୍‌କୁ ମଧ୍ୟ ୪୭ କରି ଦେଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ହ୍ୟାଣ୍ଡସ୍କମ୍ବ ୭ ଓ ଗ୍ରୀନ ୬ ରନ କରି ଅପରାଜିତ ରହିଥିଲେ। କାଲି ଏହି ଦୁଇ ବ୍ୟାଟର ପୁଣି ଅଷ୍ଟ୍ରେଲିଆ ଇନିଂସକୁ ଆଗକୁ ନେବେ।

କଙ୍ଗାରୁ ଟିମ ଅତିକମରେ ୧୦୦ ରନର ଲିଡ୍‌ ଲକ୍ଷ୍ୟରେ ରହିଛି। ହେଲେ ଭାରତ ଯଥାଶୀଘ୍ର ସେମାନଙ୍କୁ ଆଉଟ କରି ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ଯୋଜନାରେ ଅଛି।

Indian Cricket Team Cricket India Vs Australia Border-Gavaskar Trophy