Advertisment

ଜାଡ଼େଜାଙ୍କୁ ୫ ୱିକେଟ୍‌; ଅଷ୍ଟ୍ରେଲିଆ ୧୭୭ରେ ଅଲ୍‌ଆଉଟ୍

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଓ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆର ୭ ଖେଳାଳି ଦୁଇ ଅଙ୍କ ଛୁଇଁ ନଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Ravindra Jadeja

Ravindra Jadeja

ମହାରାଷ୍ଟ୍ରର ନାଗପୁରରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍‌ କରି ଅଲ୍ ଆଉଟ୍ ହୋଇଥିବା ବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୭୭ ରନ୍ କରିଛି।

Advertisment

ଟସ୍ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ପ୍ରାରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧.୧ ଓଭରରେ ଉସ୍‌ମାନ ଖୱାଜା ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ସେତେବେଳକୁ ଅଷ୍ଟ୍ରେଲିଆ ମାତ୍ର ୨ ରନ୍ କରିଥିଲା। ଏହା ପରେ ୨.୧ ଓଭରରେ ଆଉଟ୍ ହୋଇଥିଲେ ଡେଭିଡ୍ ୱାର୍ଣ୍ଣର। ମହମ୍ମଦ ଶାମି ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଉଭୟ ଉସ୍‌ମାନ ଓ ଡେଭିଡ୍ ମାତ୍ର ୧ ରନ୍ ଲେଖାଏ କରି ଆଉଟ୍ ହୋଇଥିଲେ।

ଏହି ଦୁଇ ଖେଳାଳି ଆଉଟ୍ ହୋଇଯିବା ପରେ ପାଳିକୁ ସମ୍ଭାଳିଥିଲେ ମାର୍ନସ ଲାବୁସେନ ଓ ଷ୍ଟିଭେନ୍ ସ୍ମିଥ୍। ଏ ଦୁଇ ଜଣଙ୍କ ମଧ୍ୟରେ ୮୨ ରନ୍‌ର ଭାଗିଦାରୀ ହୋଇଥିଲା। ଲାବୁସେନ ୧୨୩ଟି ବଲ୍‌ରୁ ୪୯ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ଥିଲା ୮ଟି ଚୌକା। ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଶ୍ରୀକର ଭାରତଙ୍କ ଦ୍ୱାରା ଷ୍ଟମ୍ପ ହୋଇଥିଲେ। ସେହିପରି ଷ୍ଟିଭେନ୍ ସ୍ମିଥ୍ ୧୦୨ଟି ବଲ୍‌ରୁ ୩୭ ରନ୍ କରିଥିଲେ। ତା’ ମଧ୍ୟରେ ୭ଟି ଚୌକା ରହିଥିଲା।

Advertisment

୩୫.୫ ଓଭରରେ ପ୍ରଥମେ ଲାବୁସେନ୍ ଆଉଟ୍ ହୋଇଥିଲେ। ତା’ପର ବଲ୍‌ରେ ଅର୍ଥାତ୍ ୩୫.୬ ଓଭରରେ ଆଉଟ୍ ହୋଇଥିଲେ ୫ମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମାଟ୍ ରେନ୍‌ଶ। ସେ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ପ୍ରଥମ ବଲ୍‌ରେ ସେ ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡ଼େଜା ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ।

୪୧.୬ ଓଭରରେ ପଡ଼ିଥିଲା ଷ୍ଟିଭେନ୍ ସ୍ମିଥ୍‌ଙ୍କ ୱିକେଟ୍‌। ରବୀନ୍ଦ୍ର ଜାଡ଼େଜା ତାଙ୍କୁ ବୋଲ୍ଡ କରି ଦେଇଥିଲେ। ସ୍ମିଥ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଗଲା ବେଳକୁ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା। ଷ୍ଟିଭେନ୍ ଆଉଟ୍ ହେବା ପରେ ପିଟର ହ୍ୟାଣ୍ଡସ୍କମ ଓ ୱିକେଟ୍ କିପର ଆଲେକ୍ସ କ୍ୟାରୀ ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ଉଭୟଙ୍କ ମଧ୍ୟରୁ କେହି ଲମ୍ବା ଇନିଂସ ଖେଳିବାକୁ ସମର୍ଥ ହୋଇ ନଥିଲେ। ସେମାନଙ୍କ ମଧ୍ୟରେ ୫୩ ରନ୍‌ର ପାର୍ଟନରଶିପ୍ ହୋଇଥିଲା।

ପିଟର ୮୪ଟି ବଲ୍‌ରୁ ୪ଟି ଚୌକା ସହାୟତାରେ ୩୧ ରନ୍ କରିଥିବା ବେଳେ ଆଲେକ୍ସ ୩୩ଟି ବଲ୍‌ରୁ ୭ଟି ଚୌକା ସହାୟତାରେ ୩୬ ରନ୍ କରି ଆଉଟ୍ ହୋଇଥିଲେ। ୫୩.୧ ଓଭରରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଆଲେକ୍ସ। ତେବେ ପିଟର କ୍ରିଜ୍‌ରେ ରହିଥିଲେ। ୫୭.୩ ଓଭରରେ ଅଷ୍ଟ୍ରେଲିଆର ସପ୍ତମ ୱିକେଟ୍‌ର ପତନ ହୋଇଥିଲା। ମାତ୍ର ୬ ରନ୍ କରି ଅଶ୍ୱିନଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଅଧିନାୟକ ପ୍ୟାଟ୍ କମିନ୍ସ।

୫୮.୫ ଓଭରରେ ଦଳ ହରାଇଥିଲା ଆଉ ଗୋଟିଏ ୱିକେଟ୍। ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଟୋଡ୍ ମର୍ଫି। ସେ ଖାତା ଖୋଲି ପାରି ନଥିଲେ। ଦଳୀୟ ସ୍କୋର ୧୭୬ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଥିଲେ ପିଟର ହ୍ୟାଣ୍ଡସ୍କମ। ରବୀନ୍ଦ୍ର ଜାଡ଼େଜା ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଏହା ପର ଓଭରରେ ସ୍କଟ ବୋଲାଣ୍ଡଙ୍କୁ ବୋଲ୍ଡ କରି ଦେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ମାତ୍ର ଏକ ରନ୍ କରି ଆଉଟ୍ ହୋଇଯାଇଥିଲେ। ନାଥନ୍ ଲିୟନ କୌଣସି ରନ୍ ନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଓ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୭୭ ରନ୍ କରି ଗୋଟିଏ ୱିକେଟ୍ ହରାଇଛି। କେ.ଏଲ୍ ରାହୁଲ ୭୧ଟି ବଲ୍‌ରୁ ୨୦ ରନ୍ କରି ଆଉଟ୍ ହୋଇଛନ୍ତି। ଟୋଡ୍ ମର୍ଫିଙ୍କ ଦ୍ୱାରା ସେ କଟ୍ ଆଣ୍ଡ୍ ‍ବୋଲ୍ଡ ହୋଇଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ଅର୍ଦ୍ଧଶତକ କରି ଅପରାଜିତ ରହିଛନ୍ତି। ସେ ୬୯ଟି ବଲ୍‌ରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୬ ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ୫ଟି ବଲ୍ ଖେଳି କୌଣସି ରନ୍ କରି ନଥିବା ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଅପରାଜିତ ରହିଛନ୍ତି। ରୋହିତ ଓ ଅଶ୍ୱିନ ଆସନ୍ତାକାଲି ପୁଣି ମ୍ୟାଚ୍‌କୁ ଆଗେଇ ନେବେ।

Indian Cricket Team Cricket INDvsAUS