Advertisment

କ୍ୟାପ୍ଟେନ ଅକ୍ଷର ପଟେଲ

୨୦୨୪ ମେ’ ୧୨ରେ ଅକ୍ଷର ଗୋଟିଏ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ନେତୃତ୍ୱ ନେଇଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍‌କୁ ୪୭ ରନରେ ହାରି ଯାଇଥିଲା।

author-image
Hemant Lenka
Bapu

Bapu

ଟିମ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମିଳିଛି ନୂଆ ଦାୟିତ୍ୱ। ଟି-୨୦ରେ ଭାରତର ଉପ ଅଧିନାୟକ ପଦ ହାସଲ କରିଥିବା ଅକ୍ଷର ପଟେଲଙ୍କୁ ଆଇପିଏଲ ପ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପ୍ଟେଲ ବଡ଼ ସୁଯୋଗ ଦେଇଛି। ତାଙ୍କୁ ଆଇପିଏଲ ୨୦୨୫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କରାଯାଇଛି। ଅଲରାଉଣ୍ଡରରୁ ଏବେ ଅକ୍ଷର ପଟେଲ କ୍ୟାପ୍ଟେନ ହୋଇଛନ୍ତି। ପୂର୍ବରୁ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୪ ମେଗା ଅକ୍ସନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ରେକର୍ଡ ୨୭ କୋଟି ଟଙ୍କାରେ କିଣି ନେଇଥିଲା। ତାଙ୍କୁ ଲକ୍ଷ୍ନୌ ନିଜ ଦଳର କ୍ୟାପ୍ଟେନ ପଦ ଦେଇଛି। ଏବେ ଅକ୍ଷର ପଟେଲ ଦିଲ୍ଲୀର ଅଧିନାୟକ ହୋଇଛନ୍ତି।

Advertisment

ଅକ୍ସନ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୧୪ କୋଟି ଟଙ୍କାରେ କେଏଲ ରାହୁଲଙ୍କୁ କିଣିଥିଲା। ଲାଗୁଥିଲା ରାହୁଲ ଦିଲ୍ଲୀର କମାଣ ସମ୍ଭାଳିବେ। କିନ୍ତୁ ପ୍ରାଞ୍ଚାଇଜ ୨୦୧୯ରୁ ଦଳ ସହ ଯୋଡ଼ି ହୋଇ ରହିଥିବା ଅକ୍ଷରଙ୍କୁ କ୍ୟାପ୍ଟେନ କରିଛି। ଟି-୨୦ ଫର୍ମାଟରେ ଅଧିନାୟିକତ୍ୱ କରିବା ଅକ୍ଷରଙ୍କ ପାଇଁ ନୂଆ କଥା ନୁହେଁ। କାରଣ ସେ ୨୦୧୮ରୁ ୨୦୨୪ ଯାଏ ୧୬ଟି ଟି-୨୦ରେ ବରୋଦାର କମାଣ ସମ୍ଭାଳିଥିଲେ। ଏହି ୧୬ଟି ମ୍ୟାଚ୍‌ରୁ ବରୋଦା ୧୦ଟିରେ ଜିତିଥିଲା। ୨୦୨୪ ମେ’ ୧୨ରେ ଅକ୍ଷର ଗୋଟିଏ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ନେତୃତ୍ୱ ନେଇଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍‌କୁ ୪୭ ରନରେ ହାରି ଯାଇଥିଲା।

ଟି-୨୦ ଅଧିନାୟକ ଭାବେ ଅକ୍ଷର ୩୬.୪୦ ହାରରେ ୩୬୪ ରନ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୫୭। ସେ ଗତବର୍ଷ ଆରିସିବି ବିପକ୍ଷ ମ୍ୟାଚରେ ୫୭ ରନର ଇନିଂସ ଖେଳିଥିଲା। ବୋଲିଂ କଥା ଦେଖିଲେ ସେ ୨୯.୦୭ ହାରରେ ୧୩ଟି ୱିକେଟ ନେଇଛନ୍ତି।

Advertisment

ଦିଲ୍ଲୀର ଅଧିନାୟକ ହେବା ପରେ ଅକ୍ଷର ପଟେଲ କହିଛନ୍ତି, “ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବା ମୋ ପାଇଁ ସମ୍ମାନର ବିଷୟ। ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ମୁଁ ମାଲିକ ଓ ସପୋର୍ଟ ଷ୍ଟାଫଙ୍କୁ କୃତଜ୍ଞତା ଜଣାଉଛି। ଜଣେ କ୍ରିକେଟର ଭାବେ ମୁଁ କ୍ୟାପିଟାଲ୍ସରେ ଆଗକୁ ବଢ଼ିଛି। ଦଳକୁ ମୋ ନେତୃତ୍ୱରେ ଆଗକୁ ନେବା ପାଇଁ ମୁଁ ବେଶ ଉତ୍ସାହିତ।”

ଅକ୍ଷର ପଟେଲ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ମଧ୍ୟ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଅକ୍ଷର ଚାମ୍ପିୟନ୍ସ ଟ୍ରଫିର ୫ଟି ମ୍ୟାଚ୍‌ରେ ୧୦୯ ରନ କରିବା ସହ ୪.୩୫ ହାରରେ ରନ ଦେଇ ୫ଟି ୱିକେଟ ନେଇଥିଲେ।

୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ୨୦୨୨, ୨୦୨୩ ଓ ୨୦୨୪ରେ ଦଳ ଫ୍ଲେଅଫକୁ ଯାଇ ପାରି ନଥିଲା। ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଅଭିଯାନ ମାର୍ଚ୍ଚ ୨୪ରୁ ଲକ୍ଷ୍ନୌ ସୁପର ଜାଏଣ୍ଟସଚ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ ଦଳ ବିଶାଖାପଟନମରେ ଖେଳିବ।

୨୦୨୪ ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ଷରଙ୍କୁ ରିଲିଜ କରି ନଥିଲା। ତାଙ୍କୁ ୧୬.୫୦ କୋଟି ଟଙ୍କା ବଳରେ ରିଟେନ କରିଥିଲା। ୩୧ ବର୍ଷୀୟ ଅକ୍ଷର ଦଳର ସବୁଠାରୁ ପୁରୁଣା ଓ ଦାମି ଖେଳାଳି ହୋଇଥିବାରୁ ତାଙ୍କ ଉପରେ ପ୍ରାଞ୍ଚାଇଜ ଭରସା ଦେଖାଇଛି। ଦିଲ୍ଲୀ ପାଇଁ ଆଇପିଏଲର ୬ଟି ସଂସ୍କରଣରେ ଅକ୍ଷର ୮୨ଟି ମ୍ୟାଚ୍‌ ଖେଳିଛନ୍ତି। ଗତବର୍ଷ ୩୦ ହାରରେ ସେ ୨୩୫ ରନ କରିବା ସହ ୧୧ଟି ୱିକେଟ ନେଇଥିଲେ। ଦିଲ୍ଲୀ ଟିମର କମାଣ ଅକ୍ଷର ସମ୍ଭାଳିବାକୁ ଯାଉଥିବା ବେଳେ ଦଳରେ କେଏଲ ରାହୁଲ, ଫାଫ ଡୁପ୍ଲେସିସ ଓ ମିଚେଲ ଷ୍ଟାର୍କଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି।

ଆଇପିଏଲ ପ୍ରଥମେ ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଦିଲ୍ଲୀ ରହିଥିଲା। ପୁରୁଣା ୮ଟି ଟିମ ମଧ୍ୟରୁ ଦିଲ୍ଲୀ ସହ ପଞ୍ଜାବ କିଙ୍ଗସ ଓ ଆରସିବି କେବେ ହେଲେ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହାନ୍ତି। ଆଇପିଏଲର ୧୮ତମ ସଂସ୍କରଣରେ ଦିଲ୍ଲୀ ତା’ର ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ରହିବ।

୨୦୨୪ ସଂସ୍କରଣରେ ଦିଲ୍ଲୀର ୬ଷ୍ଠ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା। ଦଳ ୭ଟି ମ୍ୟାଚ୍‌ ଜିତିଥିଲା ଓ ୭ଟିରେ ହାରିଥିଲା। ଚଳିତ ବର୍ଷ ଅକ୍ଷର ନୂଆ ଟିମ ମ୍ୟାନେଜମେଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କାମ କରିବେ। ଦିଲ୍ଲୀ ପୂର୍ବତନ ଖେଳାଳି ହେମାଙ୍ଗ ବଦାନିଙ୍କୁ ମୁଖ୍ୟ କୋଚ କରିଥିବା ବେଳେ ଭେନୁଗୋପାଲ ରାଓଙ୍କୁ ଡାଇରେକ୍ଟର ଅଫ କ୍ରିକେଟ ଓ ମାଥ୍ୟୁ ମୋଟ୍ଟଙ୍କୁ ଅତିରିକ୍ତ କୋଚ ଭାବେ ନିଯୁକ୍ତ କରିଛି।

ଚଳିତ ଆଇପିଏଲରେ ୫ଟି ଟିମ ନୂଆ କ୍ୟାପ୍ଟେନଙ୍କ ଅଧୀନରେ ଖେଳିବେ। ଦିଲ୍ଲୀ ଅକ୍ଷର ପଟେଲଙ୍କୁ ଅଧିନାୟକ କରିଥିବା ବେଳେ ଆରିସିବିର ନେତୃତ୍ୱ ରଜତ ପଟିଦାର ନେବେ। ସେହିପରି କୋଲକାତାର ଅଧିନାୟକ ପଦ ଅଜିଙ୍କ୍ୟ ରାହାଣେଙ୍କୁ ମିଳିଛି। ଲକ୍ଷ୍ନୌର କ୍ୟାପ୍ଟେନ ଋଷଭ ପନ୍ତ ହୋଇଥିବା ବେଳେ ପଞ୍ଜାବ କିଙ୍ଗସ କମାଣ ଶ୍ରେୟସ ଆୟର ସମ୍ଭାଳିବେ।

Axar Patel Delhi Capitals IPL 2025