ayush
ଭାରତର ଅଣ୍ଡର ୧୯ ଟିମର ଅଧିନାୟକ ହୋଇଛନ୍ତି ୧୭ ବର୍ଷୀୟ ଆୟୁଷ ମହାତ୍ରେ। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଆଜି ଜୁନିୟର କ୍ରିକେଟ କମିଟି ଆୟୁଷଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଭାରତର ଅଣ୍ଡର ୧୯ ଟିମ ଇଂଲଣ୍ଡ ଗସ୍ତ କରି ପ୍ରଥମେ ଗୋଟିଏ ୫୦ ଓଭର ବିଶିଷ୍ଟ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହାପରେ ଭାରତୀୟ ଅଣ୍ଡର ୧୯ କ୍ରିକେଟ ଟିମ ଓ ଇଂଲଣ୍ଡ ଅଣ୍ଡର ୧୯ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜ ଖେଳାଯିବ। ସେହିପରି ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଦୁଇ ଦେଶର ଯୁବ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେବ।
ଇଂଲଣ୍ଡ ଟୁର ପାଇଁ ଘୋଷଣା ହୋଇଥିବା ୧୬ ଜଣିଆ ସ୍କ୍ୱାଡରେ ୧୪ ବର୍ଷୀୟ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ରହିଛନ୍ତି। ନିକଟରେ ସୂର୍ଯ୍ୟବଂଶୀ ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଡେବ୍ୟୁ କରିବା ସହ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ରାଜସ୍ଥାନ ରୟାଲ୍ସ ପାଇଁ ଚଳିତ ଆଇପିଏଲରେ ୭ଟି ମ୍ୟାଚ୍ ଖେଳି ୨୦୬.୫୬ ଷ୍ଟ୍ରାଇକ ରେଟରେ ୨୫୨ ରନ କରିଛନ୍ତି। ମାସକ ତଳେ ସୂର୍ଯ୍ୟବଂଶୀ ନିଜର ୧୪ତମ ଜନ୍ମ ଦିନ ପାଳିଥିଲେ। କିନ୍ତୁ ଏହାପୂର୍ବରୁ ଅର୍ଥାତ ଗତବର୍ଷ ହୋଇଥିବା ଅକ୍ସନରେ ରାଜସ୍ଥାନ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିଲା।
ଆଇପିଏଲରେ ସୂର୍ଯବଂଶୀ ଲକ୍ଷ୍ନୌ ବିପକ୍ଷରେ ଡେବ୍ୟୁ କରିଥିଲେ। ପ୍ରଥମ ବଲରେ ହିଁ ସେ ଛକା ମାରି ନିଜ ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ। ଏହାପରେ ସେ ୩୫ ବଲରେ ଶତକ, ୧୫ ବଲରେ ୪୦ ଓ ଚେନ୍ନାଇ ବିପକ୍ଷ ଶେଷ ମ୍ୟାଚ୍ରେ ୩୩ ବଲରେ ୫୭ ରନର ଇନିଂସ ଖେଳିଥିଲେ। ଏହି କାରଣରୁ ତାଙ୍କୁ ଭାରତର ଅଣ୍ଡର ୧୯ ଟିମରେ ସୁଯୋଗ ମିଳିଛି।
ଅନ୍ୟପକ୍ଷରେ ମହାତ୍ରେ ମଧ୍ୟ ଚଳିତ ଆଇପିଏଲରେ ନିଜର ଛାପ ଛାଡ଼ିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ପାଇଁ ସେ ୬ଟି ଇନିଂସରେ ୨୦୬ ରନ କରିଛନ୍ତି। ଆରସିବି ବିପକ୍ଷରେ ସେ ୪୮ ବଲରେ ବିସ୍ଫୋରକ ୯୪ ରନର ଇନିଂସ ଖେଳିଥିଲେ। ଆଇପିଏଲ ୨୦୨୫ ଆରମ୍ଭରୁ ମହାତ୍ରେ କିମ୍ବା ସୂର୍ଯ୍ୟବଂଶୀ ଖେଳିବାର କୌଣସି ସୁଯୋଗ ପାଇ ନଥିଲେ। କିନ୍ତୁ ଉଭୟ ଟିମର ଅଧିନାୟକ ଆହତ ହେବାକୁ ସେମାନଙ୍କୁ ସୁଯୋଗ ମିଳିଥିଲା।
ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଆହତ ହେବାରୁ ସୂର୍ଯବଂଶୀ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଥିଲେ। ସେହିପରି ଅକ୍ସନରେ ଅନସୋଲ୍ଡ ରହିଥିବା ୧୭ ବର୍ଷୀୟ ମହାତ୍ରେଙ୍କୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଟୁର୍ଣ୍ଣାମେଣ୍ଟ ଅଧାରୁ ନିଜ ସହ ସାମିଲ କରିଥିଲା। ଏହି ସୁଯୋଗର ସେ ଫାଇଦା ଉଠାଇଥିବାରୁ ଏବେ ତାଙ୍କୁ ଭାରତୀୟ ଅଣ୍ଡର ୧୯ ଟିମର କମାଣ ଦିଆଯାଇଛି।
ଭାରତର ଅଣ୍ଡର ୧୯ ସ୍କ୍ୱାଡ: ଆୟୁଷ ମହାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଭିହାନ ମାଲହୋତ୍ରା, ମଳୟରାଜସିଂହ ଚାବଡା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ(ଉପ ଅଧିନାୟକ ଓ ୱିକେଟ କିପର), ହରବଂଶ ସିଂହ(ୱିକେଟ କିପର), ଆର ଏସ୍ ଅମ୍ବ୍ରିଶ, କନିଷ୍କ ଚୌହାନ, ଖିଲାନ ପଟେଲ, ହେନିଲ ପଟେଲ, ଯୁଦ୍ଧଜିତ ଗୁହା, ପ୍ରଣବ ରାଘଭେନ୍ଦ୍ର, ମହମ୍ମଦ ଇନାନ, ଆଦିତ୍ୟ ରାଣା ଓ ଅନମୋଲଜିତ ସିଂହ।
ଷ୍ଟାଣ୍ଡବାଇ ଖେଳାଳି: ନମନ ପୁଷ୍ପକ, ଡି ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳଙ୍କ୍ରିତ ରାପୋଲ(ୱିକେଟ କିପର)।
ମ୍ୟାଚ ସୂଚୀ
ଜୁନ ୨୪: ୫୦ ବିଶିଷ୍ଟ ଅଭ୍ୟାସ ମ୍ୟାନ
ଜୁନ ୨୭: ପ୍ରଥମ ଦିନିକିଆ
ଜୁନ ୩୦: ଦ୍ୱିତୀୟ ଦିନିକିଆ
ଜୁଲାଇ ୨: ତୃତୀୟ ଦିନିକିଆ
ଜୁଲାଇ ୫: ୪ର୍ଥ ଦିନିକିଆ
ଜୁଲାଇ ୭: ୫ମ ଦିନିକିଆ
ଜୁଲାଇ ୧୨ରୁ ୧୫ : ପ୍ରଥମ ଟେଷ୍ଟ
ଜୁଲାଇ ୨୦ରୁ ୨୩: ଦ୍ୱିତୀୟ ଟେଷ୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ayush_1747901417.jpg)