/odisha-reporter/media/post_attachments/uploads/2021/04/virat-kohli-and-babar-azam-2.jpg)
virat-kohli-and-babar-azam
ଦୁବାଇ: ଦିନିକିଆ କ୍ରିକେଟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଦବଦବାରେ ଲାଗିଛି ବ୍ରେକ୍। ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ହୋଇଛନ୍ତି ଦୁନିଆର ନୂଆ ଏକ ନମ୍ବର ବ୍ୟାଟ୍ସମ୍ୟାନ୍। ଆଇସିସି ପକ୍ଷରୁ ଆଜି ଜାରି ହୋଇଥିବା ଦିନିକିଆ ରାଙ୍କିଙ୍ଗରେ ପାକିସ୍ତାନର ବାବର ଆଜମ ଭାରତର ବିରାଟ୍ କୋହଲିଙ୍କୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛନ୍ତି। କୋହଲି ଦୀର୍ଘ ଦିନ ଧରି ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଉପରେ କବଜା ଜମାଇ ରହିଥିଲେ। କିନ୍ତୁ ଦମଦାର ବ୍ୟାଟିଂ ପ୍ରଦର୍ଶନ ଆଧାରରେ ବାବର ପ୍ରଥମଥର ଲାଗି ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ଶେଷଥର ଲାଗି ୨୦୦୩ରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଏହିପରି ଭାବେ ବାବର ପାକିସ୍ତାନ ତରଫରୁ ୧୮ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାବର ମଧ୍ୟ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବାରେ ପାକିସ୍ତାନର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
https://twitter.com/ICC/status/1382245584808005633?s=20
୨୬ ବର୍ଷୀୟ ବାବର ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଦିନିକିଆରେ ୮୨ ବଲରେ ୯୪ ରନ୍ କରିଥିଲେ। ଏହି ଇନିଂସ ଦ୍ୱାରା ସେ ୧୩ ରେଟିଂ ପଏଣ୍ଟ ହାସଲ କରିଛନ୍ତି ଏବଂ ଏବେ ତାଙ୍କର ମୋଟ ରେଟିଂ ପଏଣ୍ଟ ୯୬୫ ହୋଇଯାଇଛି। କୋହଲି ଏବେ ୮୫୮ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। କୋହଲି ୧୨୫୮ ଦିନ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଥିଲେ, ଯାହା ତିନି ବର୍ଷରୁ ଅଧିକ ହେବ।
ବାବରଙ୍କ ପୂର୍ବରୁ ପାକିସ୍ତାନର ଜାହିର୍ ଆବାସ୍ (୧୯୮୩-୮୪), ଜାଭେଦ୍ ମିଆଁଦାଦ (୧୯୮୮-୮୯) ଓ ମହମ୍ମଦ ୟୁସୁଫ୍ (୨୦୦୩) ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ବାବର ଟପ୍-୫ରେ ସ୍ଥାନ ହାସଲ କରିସାରିଛନ୍ତି। ହେଲେ ବର୍ତ୍ତମାନ ସେ ଟେଷ୍ଟ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଫଖର ଜମାନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ୧୦୧ ରନର ଇନିଂସ୍ ଖେଳିବା ପରେ ବାବରଙ୍କୁ ଏକାଥରକେ ୫ଟି ସ୍ଥାନର ଫାଇଦା ହୋଇଛି।
ଆଇସିସି ଦିନିକିଆ ରାଙ୍କିଙ୍ଗରେ ଭାରତର ରୋହିତ୍ ଶର୍ମା ୮୨୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଟପ୍-୧୦ ତାଲିକାରେ ନାହାନ୍ତି।
ବୋଲରଙ୍କ ମଧ୍ୟରେ ଭାରତର ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ୍ ବୋଲ୍ଟ ଶୀର୍ଷ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ମୁଜୀବ-ଉର୍- ରେହମାନ୍ ଦ୍ୱିତୀୟ ଓ କିୱି ଟିମର ପେସର୍ ମ୍ୟାଟ୍ ହେନରୀ ତୃତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ଏକମାତ୍ର ଭାରତୀୟ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ନବମ ସ୍ଥାନରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
