ବାବରଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ପାକିସ୍ତାନର ଏହି ଯୁବ କ୍ରିକେଟର

ତୃତୀୟ ଟି-୨୦କୁ ଭ୍ରମଣକାରୀ ପାକିସ୍ତାନ ଶୁକ୍ରବାର ୯ ୱିକେଟରେ ଜିତି ନେଇଛି। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ବିଶାଳ ୨୦୫ ରନର ଟାର୍ଗେଟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ପାରିଛି।

Pakistan

ହାସନ ନୱାଜ

Hemant Lenka
  • Published: Friday, 21 March 2025
  • , Updated: 21 March 2025, 06:23 PM IST

ପାକିସ୍ତାନର ଭେଟରାନ ବ୍ୟାଟର ବାବର ଆଜମଙ୍କ ଦୀର୍ଘକାଳୀନ ରେକର୍ଡକୁ ଭାଙ୍ଗିଛନ୍ତି ଜଣେ ଯୁବ ବ୍ୟାଟର। ପାକିସ୍ତାନର ଯୁବ ବ୍ୟାଟର ହାସନ ନୱାଜ ୨୦୨୧ରୁ ବାବରଙ୍କ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି। ହାସନଙ୍କ ବିସ୍ଫୋରକ ଶତକ ଓ ଦ୍ରୁତ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ଜୀବିତ ରଖିବାକୁ ସକ୍ଷମ ହୋଇଛି ପାକିସ୍ତାନ। ତୃତୀୟ ଟି-୨୦କୁ ଭ୍ରମଣକାରୀ ପାକିସ୍ତାନ ଶୁକ୍ରବାର ୯ ୱିକେଟରେ ଜିତି ନେଇଛି। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ବିଶାଳ ୨୦୫ ରନର ଟାର୍ଗେଟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ପାରିଛି। ଏହି ବିଜୟ ପରେ ପାକିସ୍ତାନ ୫ ଟିକିଆ ଟି-୨୦ ସିରିଜକୁ ୧-୨ ସ୍ଥିତିକୁ ଆଣିବାକୁ ସକ୍ଷମ ହୋଇଛି। 

ତେବେ ବିଜୟର ବିନ୍ଧାଣୀ ହେଉଛନ୍ତି ଯୁବ ତାରକା ନୱାଜ। ୨୨ ବର୍ଷୀୟ ନୱାଜଙ୍କର ଏହା ହେଉଛି ଡେବ୍ୟୁ ଅନ୍ତର୍ଜାତୀୟ ଟି-୨୦ ସିରିଜ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ସେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ଏବେ ସିରିଜର ତୃତୀୟ ମ୍ୟାଚରେ ସେ ବିସ୍ଫୋରକ ଶତକ ମାରି ସମସ୍ତଙ୍କୁ ନିଜ ଜଲୱା ଦେଖାଇଛନ୍ତି। ମାତ୍ର ୪୪ ବଲରେ ନୱାଜ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି।

ଏହି ଶତକ ପରେ ସେ ବାବରଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ନୱାଜ ପାକିସ୍ତାନର ଦ୍ରୁତତମ ବ୍ୟାଟର ଭାବେ ଟି-୨୦ରେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବାବରଙ୍କ ନାଁରେ ଥିଲା। ସେ ୨୦୨୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ମାତ୍ର ୪୯ ବଲରେ ଶତକ ମାରିଥିଲେ। ହେଲେ ନୱାଜ ତାଙ୍କ ଠାରୁ କମ ବଲରେ ଶତକ ମାରିଛନ୍ତି। ଏଥିସହ ନୱାଜ ପାକିସ୍ତାନର ପ୍ରଥମ କ୍ରିକେଟର ଯିଏ ୪୫ରୁ କମ ବଲରେ ଟି-୨୦ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ନୱାଜ ମ୍ୟାଚ୍‌ରେ ୪୫ ବଲରେ ସାମ୍ନା କରି ଅପରାଜିତ ୧୦୫ ରନ କରିଛନ୍ତି। ଏହି ଇନିଂସରେ ସେ ୧୦ଟି ଚୌକା ଓ ୭ଟି ଛକା ମାରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ବି ମିଳିଛି। 

ମ୍ୟାଚ୍‌ କଥା ବିଚାରକୁ ନେଲେ ଅକଲ୍ୟାଣ୍ଡରେ ଖେଳା ଯାଉଥିବା ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଟିମ ସୈଫର୍ଟ(୧୯) ଓ ଫିନ ଆଲେନ(୦)ଙ୍କୁ ହ୍ୟାରିଶ ରୌଫ ଓ ଶାହୀନ ଶାହ ଆଫ୍ରିଦି ପ୍ୟାଭିଲିୟନ ପଠାଇ ଦେଇଥିଲେ। ୪.୧ ଓଭର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୪୩/୨ରେ ରହିଥିଲା। ଏତିକି ବେଳେ ମାର୍କ ଚାମ୍ପମାନ ଡାରେଲ ମିଚେଲ(୧୧ ବଲରେ ୧୭ ରନ) ୫୫ ରନର ଭାଗିଦାରୀ କରିଥିଲେ।

ଚାମ୍ପମାନ ୨୯ ବଲରେ ଅର୍ଦ୍ଧଶତକ ହାସଲ କରିବା ବେଳେ ଗିୟର ବଦଳାଇ ଦେଇଥିଲେ। ତେବେ ଶଦାବ ଖାନ ୧୭ ରନ କରିଥିବା ମିଚେଲଙ୍କୁ ଆଉଟ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ୯.୪ ଓଭରରେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲା। କିନ୍ତୁ ଗୋଟିଏ ପଟୁ ଚାମ୍ପମାନ କାଉଣ୍ଟର ଆଟାକ କରିଥିଲେ। ସେ ୪୪ ବଲରେ ୯୪ ରନ କରିଥିବା ବେଳେ ଅଧିନାୟକ ମାଇକେଲ ବ୍ରେସୱେଲ ୧୮ ବଲରେ ୩୧ ରନ କରିବାରୁ ନ୍ୟୁଜିଲ୍ୟାଣ୍ଡ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୪ ରନ କରିଥିଲା।

ପାକିସ୍ତାନ ଦମଦାର ଢଙ୍ଗରେ ୨୦୫ ରନର ପିଛା କରିଥିଲା। ପ୍ରଥମ ଓଭରରେ ମହମ୍ମଦ ହାରିଶ ୨ଟି ଛକା ମାରିଥିଲେ। ତେବେ ୨୦ ବଲରେ ୪୧ ରନ କରି ଜ୍ୟାକ ଡୁଫୀଙ୍କ ବଲରେ ସେ ଆଉଟ ହୋଇଯାଇଥିଲେ। ଏହାପରେ ନୱାଜ ଓ ସଲମାନ ଆଘା ସ୍ଥିତି ସମ୍ଭାଳି ଦଳକୁ ୧୬ ଓଭରରେ ବିଜୟ କରାଇ ଦେଇଥିଲେ।

୨୬ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ନୱାଜ ଗିୟର ବଦଳାଇ ବାକି ୧୮ ବଲରେ ଆଉ ୫୫ ରନ ଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ନୱାଜ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ସଲମାନ ଆଘା ଶେଷ ଯାଏ ୩୧ ବଲରେ ୫୧ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୨ଟି ଛକା ଓ ୬ଟି ଚୌକା ମାରିଛନ୍ତି।

Related story