/odisha-reporter/media/post_attachments/uploadimage/library/16_9/16_9_0/Babar_azam_1700058764.jpg)
Babar azam
ଭାରତରେ ଚାଲିଥିବା ବିଶ୍ୱକପରେ ଲଜ୍ଜାଜନ ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ବାବର ଆଜମ। ପାକିସ୍ତାନ ବିଶ୍ୱକପର ୯ ମୁକାବିଲାରୁ କେବଳ ୪ଟିରେ ଜିତିବାକୁ ସକ୍ଷମ ହୋଇଥିଲା।
ଦଳ ସେମି ଫାଇନାଲରେ ପ୍ରବେଶ କରି ପାରି ନଥିଲା। ବିଶ୍ୱକପରେ ବାବରଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ନଥିଲା। ସେ ୯ଟି ମ୍ୟାଚ୍ରେ କେବଳ ୩୨୦ ରନ କରିବାକୁ ସକ୍ଷମ ହୋଇଥିଲେ।
ଏଥିପାଇଁ ବାବର ଓ ପାକିସ୍ତାନ ଟିମକୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ବିଶ୍ୱକପରେ ବାବରଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏସବୁ ଭିତରେ ଆଜି ବାବର ପାକିସ୍ତାନର ୩ଟି ଯାକ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।
ବିଶ୍ୱକପରେ ଶଦାବ ଖାନ ପାକିସ୍ତାନର ଉପ ଅଧିନାୟକ ଥିଲେ। ସେହିପରି ଶାହୀନ ଶାହ ଆଫ୍ରିଦି ମଧ୍ୟ ଠିକଠାକ ପ୍ରଦର୍ଶନ କରିଥିଲେ। ତେଣୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଧିନାୟକ ହୋଇପାରନ୍ତି।
ବାବର ତାଙ୍କ ଇସ୍ତଫା ପତ୍ରରେ ପାକିସ୍ତାନ କ୍ରିକେଟ ବୋର୍ଡ ପାଖକୁ ପଠାଇ ଦେଇଛନ୍ତି। ସେ ଏକ୍ସରେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, “୨୦୧୯ରେ ମୋତେ ପାକିସ୍ତାନକୁ ଲିଡ୍ କରିବା ପାଇଁ ପିସିବି ମୋତେ ଫୋନ କରିବାର କଥା ଏବେ ବି ମୋର ମନେଅଛି। ବିଗତ ୪ ବର୍ଷ ମଧ୍ୟରେ ମୁଁ ଫିଲ୍ଡ ଭିତରେ ଓ ବାହାରେ ଅନେକ ସଫଳତା ଏବଂ ବିଫଳତା ଦେଖିଛି।
କିନ୍ତୁ କ୍ରିକେଟ ୱାର୍ଲ୍ଡରେ ପାକିସ୍ତାନର ଗର୍ବ ଓ ସମ୍ମାନକୁ ସବୁବେଳେ ଉପରେ ରଖିବାକୁ ଚେଷ୍ଟା କରିଛି। କୋଚ, ମ୍ୟାନେଜମେଣ୍ଟ ଓ ଖେଳାଳିଙ୍କ ମିଳିତ ଉଦ୍ୟମରେ ସୀମିତ ଓଭର ଫର୍ମାଟରେ ପାକିସ୍ତାନ ବିଶ୍ୱର ୧ନଂ ସ୍ଥାନରେ ପହଞ୍ଚିଥିଲା।
ଏହି ଯାତ୍ରାରେ ପାକିସ୍ତାନ କ୍ରିକେଟ ଫ୍ୟାନ୍ସଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ଆଜି ମୁଁ ପାକିସ୍ତାନ କ୍ରିକେଟର ସବୁ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଉଛି। ମୁଁ ଜାଣିଛି ଏହା ଏକ କଠିନ ନିଷ୍ପତ୍ତି। କିନ୍ତୁ ଏପରି ନିଷ୍ପତ୍ତି ନେବା ପାଇଁ ଏହା ଉପଯୁକ୍ତ ସମୟ।”
— Babar Azam (@babarazam258) November 15, 2023
ବାବର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ପାକିସ୍ତାନ ପାଇଁ କ୍ରିକେଟ ଖେଳିବା ଜାରି ରଖିବେ। ଏଥିସହ ନୂଆ ଅଧିନାୟକଙ୍କୁ ସବୁ ପ୍ରକାରର ସମର୍ଥନ କରିବେ ବୋଲି କହିଛନ୍ତି। ପାକିସ୍ତାନ କ୍ରିକେଟ ଟିମର ନେତୃତ୍ୱ ନେବାକୁ ପିସିବି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ବୋର୍ଡକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
