Advertisment

ଏଲଗାରଙ୍କ ଦମଦାର ଶତକ, ଦୃଢ଼ ସ୍ଥିତିରେ ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି। ଦ୍ୱିତୀୟ ଖେଳର ଶେଷ ସୁଦ୍ଧା ଘରୋଇ ଟିମ ୫ ୱିକେଟ ହରାଇ ୨୫୬ ରନ କରି ନେଇଛି।

author-image
Hemant Lenka
Dean Elgar

Dean Elgar

ବିକ୍ସଂ ଡେ’ ଟେଷ୍ଟରେ ଚମକିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟରାନ ବ୍ୟାଟର ଡିନ ଏଲଗାର। ନିଜର ଟେଷ୍ଟ କ୍ୟାରିୟରର ଶେଷ ସିରିଜ ଖେଳୁଥିବା ଏଲଗାର ଭାରତ ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଭାରତ ପ୍ରଥମ ଇନିଂସରେ କେଏଲ ରାହୁଲଙ୍କ ଶତକ ବଳରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା।

Advertisment

ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି। ଦ୍ୱିତୀୟ ଦିନର ଖେଳର ଶେଷ ସୁଦ୍ଧା ଘରୋଇ ଟିମ ୫ ୱିକେଟ ହରାଇ ୨୫୬ ରନ କରି ନେଇଛି। ଏଥିସହ ଦଳ ବର୍ତ୍ତମାନ ସୁଦ୍ଧା ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୧ ରନର ଲିଡ ମଧ୍ୟ ପାଇ ସାରିଛି।

ଖରାପ ଆଲୁଅ ଯୋଗୁ ଦ୍ୱିତୀୟ ଦିନର ଖେଳକୁ ଆଗୁଆ ବନ୍ଦ କରାଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଏଲଗାର ୧୪୦ ରନ ଓ ମାର୍କୋ ୟାନସେନ ୩ ରନ କରି ଅପରାଜିତ ରହିଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ଆସନ୍ତାକାଲି ବଡ଼ ସ୍କୋର କରିବା ମୁଡରେ ରହିଛି। ଏଲଗାରଙ୍କ ବ୍ୟତୀତ ଡାଭିଡ ବେଡିଂହାମ ୫୬ ରନ ଇନିଂସ ଖେଳିଛନ୍ତି।

Advertisment

ଭାରତ ଆଜି ଦ୍ୱିତୀୟ ଦିନରେ ୨୦୮ରୁ ଇନିଂସ ଆରମ୍ଭ କରିଥିଲେ। କେଏଲ ରାହୁଲ ୭୦ ରନ କରି ଗତକାଲି ଠାରୁ ଅପରାଜିତ ରହିଥିଲେ। ଆଜି ସେ ଶତକ ହାସଲ କରିବା ସହ ଭାରତୀୟ ସ୍କୋରକୁ ୨୪୫ ରନରେ ପହଞ୍ଚାଇଥିଲେ। ସେ ଆଉଟ ହେବା ପରେ ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଏହାପରେ ଦକ୍ଷିଣ ଆଫ୍ରିକା ତା’ର ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୧ ଥିବା ବେଳେ ଏଡେନ ମାର୍କରମ ୫ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ଏଲଗାର ଓ ଟୋନି ଡେ ଜୋରଜି ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଦକ୍ଷିଣ ଆଫ୍ରିକା ୧୦୪ ରନ କରିଥିବା ବେଳେ ଜୋରଜି ୨୮ ରନ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ।

ସେହିପରି କୀଗାନ ପିଟରନସନ(୨) ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଦକ୍ଷିଣ ଆଫ୍ରିକା ଲଗାତର ଦୁଇଟି ୱିକେଟ ହରାଇବାରୁ ଭାରତ କମବ୍ୟାକ କରିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏଲଗାର ଓ ବେଡିଂହାମ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରିଥିଲେ। ଏଲଗାର ଶତକ ଓ ବେଡିଂହାମ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋରକୁ ୧୧୩ରୁ ନେଇ ଏହି ଦୁଇ ବ୍ୟାଟର ୨୪୪ ରନରେ ପହଞ୍ଚାଇ ଦେଇଥିଲେ।

ଏତିକି ବେଳେ ରୋହିତ ଶର୍ମା ବୋଲିଂରେ ପରିବର୍ତ୍ତନ କରିଥିଲେ। ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ଆଟାକ କରିଥିଲେ। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ପ୍ରଥମେ ସିରାଜ ୫୬ ରନ କରିଥିବା ବେଡିଂହାମଙ୍କୁ ଆଉଟ କରିଥିଲେ। ଏହାପରେ ୪ ରନ କରିଥିବା କାୟଲ ଭେରୀୟନେଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଦକ୍ଷିଣ ଆଫ୍ରିକା ଦୁଇଟି ୱିକେଟ ହରାଇଥିଲେ ହେଁ ଏଲଗାର ତାଙ୍କୁ ଯାଦୁ ଦେଖାଇ ଚାଲିଥିଲେ। ଏଥିସହ ଷ୍ଟମ୍ପ ଅପସାରଣ ଯାଏ ଘରୋଇ ଟିମକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ଏଲଗାର ତାଙ୍କର ୧୪୦ ରନର ଇନିଂସରେ ୨୩ଟି ଚୌକା ମାରିଛନ୍ତି। ୟାନସେନ ୧୩ ବଲରେ ୩ ରନ କରି ଅପରାଜିତ ରହିଛନ୍ତି।

ଭାରତ ପକ୍ଷରୁ ବୁମ୍ରା ଓ ସିରାଜ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ ଗୋଟିଏ ସଫଳତା ପାଇଛନ୍ତି।

Test Cricket Test Match Dean Elgar