Badoni
ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ସହ ଲଢ଼େଇ କରିଛୁ। ଲକ୍ଷ୍ନୌ ବ୍ୟାଟିଂ ବିପଯର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦଳ ପାଇଁ ଲଢ଼ିଛନ୍ତି ଯୁବ ତାରକା ଆୟୂଷ ବଦୋନି।
ସେ ଅପରାଜିତ ୫୫ ରନ(୩୫ ବଲ)ର ଇନିଂସ ଖେଳିବାରୁ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଛି। ଏବେ ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ପାଇଁ ଦିଲ୍ଲୀକୁ ୧୬୮ ରନର ଟାର୍ଗେଟ ମିଳିଛି।
ଲକ୍ଷ୍ନୌ ଖେଳା ଯାଉଥିବା ଆଜିର ମ୍ୟାଚ୍ରେ ଘରୋଇ ଦଳର ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତୃତୀୟ ଓଭରରେ ଦଳ କ୍ୱିଣ୍ଟନ ଡି’କକ(୧୯)ଙ୍କୁ ହରାଇଥିଲା। ଦେବଦତ୍ତ ପାଡିକ୍କଲ କେବଳ ୩ ରନ କରିଥିଲେ। ଉଭୟଙ୍କ ୱିକେଟ ଖଲୀଲ ଅହମଦ ନେଇଥିଲେ।
କେଏଲ ରାହୁଲ ଗୋଟିଏ ପଟେ ଛିଡ଼ା ହୋଇଥିଲେ ହେଁ କୁଲଦୀପ ଯାଦବ କ୍ରମାଗତ ଦୁଇଟି ବଲରେ ମାର୍କସ ଷ୍ଟୋଇନିସ(୮) ଓ ନିକୋଲସ ପୂରନ(୦)ଙ୍କୁ ଆଉଟ କରି ଲକ୍ଷ୍ନୌର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ଦଳୀୟ ସ୍କୋର ୭୭ ଥିବା ବେଳେ କୁଲଦୀପ ୨୨ ବଲରେ ୩୯ ରନ କରିଥିବା ରାହୁଲଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇଥିଲେ।
ଡି’କକଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ଦୀପକ ହୁଡ୍ଡା କେବଳ ୧୦ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଈଶାନ୍ତ ଶର୍ମା ନେଇଥିଲେ। କୃନାଲ ପାଣ୍ଡ୍ୟା ମାତ୍ର ୩ ରନ କରି ମୁକେଶ କୁମାରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବଦୋନି ଦମଦାର ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ଅର୍ଶଦ ଖାନ ଭରପୂର ସାଥ ଦେଇଥିଲେ। ଖାନଙ୍କୁ ସାଥୀ କରି ବଦୋନି ୩୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଓଭରରେ ସେ ଗୋଟିଏ ଚୌକା ମଧ୍ୟ ମାରିଥିଲେ।
ଶେଷ ଯାଏ ସେ ୫୫ ରନ କରି ଅପରାଜିତ ରହିଥିଲେ। ତାଙ୍କ ସହ ଅର୍ଶଦ ୧୬ ବଲରେ ଅପରାଜିତ ୨୦ ରନର ଇନିଂସ ଖେଳିଛନ୍ତି। ଫଳରେ ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିବାକୁ ସକ୍ଷମ ହୋଇଛି। ବଦୋନି ତାଙ୍କ ଇନିଂସରେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ବଦୋନି ଓ ଅର୍ଶଦ ୮ମ ୱିକେଟ ପାଇଁ ୭୩ ରନ ଯୋଡ଼ିଛନ୍ତି।
ଦିଲ୍ଲୀ ପକ୍ଷରୁ କୁଲଦୀପ ୪ ଓଭରରେ ୨୦ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ଖଲୀଲଙ୍କୁ ୨ଟି, ଈଶାନ୍ତ ଓ ମୁକେଶ କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Badoni_1712937771.jpg)