/odisha-reporter/media/post_attachments/uploads/2021/10/shami.jpg)
shami
ଦୁବାଇ: ଜନ୍ନି ବେୟାରଷ୍ଟୋ ଓ ମୋଇନ୍ ଅଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ୍ କରିଛି। ମ୍ୟାଚରେ ମହମ୍ମଦ ଶାମି ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଛାଡ଼ି ଦେଳେ ବାକି ଭାରତୀୟ ବୋଲର ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ ୪୯ (୩୬ ବଲ୍, ୪ ଚୌକା, ୧ ଛକା) ଓ ମୋଇନ୍ ଅଲୀ ଅପରାଜିତ ୪୩ (୨୦ ବଲ୍, ୪ ଚୌକା, ୨ ଛକା) ରନ୍ କରିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଦମଦାର ଆରମ୍ଭ ଦେଇଥିଲେ ଜେସନ୍ ରୟ ଓ ଜୋସ ବଟଲରଙ୍କ ଓପନିଂ ଯୋଡ଼ି। ଇଆନ୍ ମୋର୍ଗାନଙ୍କ ସ୍ଥାନରେ କ୍ୟାପଟେନ୍ ପଦ ସମ୍ଭାଳୁଥିବା ବଟଲର୍ ଦ୍ରୁତ ୧୮ ରନ୍ କରି ମହମ୍ମଦ ଶାମିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଅନ୍ୟତମ ଓପ୍ନର ରୟ ୧୭ ରନ୍ କରି ଶାମିଙ୍କ ଶିକାର ହୋଇଥିଲେ। ଟି-୨୦ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଡାୱିଡ୍ ମଲାନ୍ (୧୮) ମଧ୍ୟ ବଡ଼ ସ୍କୋର କରିବାକୁ ବଞ୍ଚିତ ହୋଇଥିଲେ।
ତେବେ ବେୟାରଷ୍ଟୋ ଓ ଲିଆମ୍ ଲିଭିଙ୍ଗଷ୍ଟୋନ ଟିମର ରନ୍ ଗତିକୁ ବଢ଼ାଇଥିଲେ। ଲିଭିଙ୍ଗଷ୍ଟୋନ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୦ ବଲରେ ୩୦ (୪ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ। ତାଙ୍କୁ ଶାମି ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୋଇନ୍ ମଧ୍ୟ ଦ୍ରୁତ ରନ୍ କରିଥିଲେ। ଆଇପିଏଲ୍ ଫାଇନାଲରେ ଦମଦାର ବ୍ୟାଟିଂ କରି ଫର୍ମରେ ଥିବା ମୋଇନ୍ ସ୍ଲଗ୍ ଓଭରରେ ଭାରତୀୟ ବୋଲରଙ୍କୁ ଖୁବ୍ ଆଟାକ୍ କରିଥିଲେ।
ମୋଇନଙ୍କ ଦମଦାର ବ୍ୟାଟିଂ ବଳରେ ଇଂଲଣ୍ଡ ୧୮୮ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଛି। ବେୟାରଷ୍ଟୋ ମାତ୍ର ୧ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ। ମୋଇନ୍ ଓ କ୍ରିସ୍ ଓକ୍ସ ଶେଷ ୧୦ ବଲରେ ୨୫ ରନର ଭାଗିଦାରୀ କରିଥିଲେ। ଓକ୍ସ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଶାମି ୩ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ଓ ରାହୁଲ୍ ଚହର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
