Advertisment

ବାଂଲାଦେଶକୁ ଘାଣ୍ଟିଲେ ଭାରତୀୟ ବୋଲର, ପୂରା ଟିମ ୧୪୯ରେ ସଫା

ପ୍ରଥମ ଇନିଂସରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ୩ ଦ୍ରୁତ ବୋଲର। ବୁମ୍ରା ଏକାକୀ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ, ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ୨ଟି ୱିକେଟ ନେଇଛନ୍ତି।

author-image
Hemant Lenka
Test

Test

ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ପରାକ୍ରମରେ ବାଂଲାଦେଶ ବିପକ୍ଷରେ କମାଲ କରିଛନ୍ତି ଭାରତୀୟ ବୋଲର। ବିଶେଷ କରି ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ବାଂଲା ଟାଇଗର। ଭାରତ ପ୍ରଥମ ଇନିଂସରେ ଅଶ୍ୱିନଙ୍କ ୧୧୩ ଓ ଜାଡେଜାଙ୍କ ୮୬ ରନ ବଳରେ ସମସ୍ତ ୱିକେଟ ହରାଇ ୩୭୬ ରନ କରିଥିଲା।

Advertisment

ଏହାର ଜବାବରେ ଭ୍ରମଣକାରୀ ବାଂଲାଦେଶ ତା’ର ପ୍ରଥମ ଇନିଂସରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଦଳ ଫଲୋଅନ ବରଣ କରିଛି। ତେବେ ଭାରତ ଫଲୋଅନ ନ ଦେଇ ପୁଣି ବ୍ୟାଟିଂ ଆରମ୍ଭ କରିଛନ୍ତି। ବାଂଲାଦେଶ ଏବେ ଭାରତର ପ୍ରଥମ ଇନିଂସ ଠାରୁ ୨୨୭ ରନ ପଛରେ ରହି ଯାଇଛି।

ପ୍ରଥମ ଇନିଂସରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ୩ ଦ୍ରୁତ ବୋଲର। ବୁମ୍ରା ଏକାକୀ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ, ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ୨ଟି ୱିକେଟ ନେଇଛନ୍ତି।

Advertisment

ଚେନ୍ନାଇର ଏମଏ ଚିଦାମ୍ବରମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ତା’ର ଅସମାପ୍ତ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଦିନରେ ୩୩୯ ରନ କରିଥିବା ଭାରତ ଆଜି ୩୭୬ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ବାଂଲାଦେଶ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲର ବାଂଲା ବ୍ୟାଟରଙ୍କୁ ଘାଇଲା କରିଥିଲେ।

ପ୍ରଥମେ ଯଶପ୍ରୀତ ବୁମ୍ରା ୨ ରନ କରିଥିବା ଶଦମାନ ଇସଲାମଙ୍କୁ ବୋଲ୍ଡ କରିଥିଲେ। ନବାଗତ ଆକାଶ ଦୀପ ଠିକ ଲଞ୍ଚ ପୂର୍ବରୁ ୨ଟି ବଲରେ ୨ଟି ୱିକେଟ ନେଇ ନିଜର ଜଲୱା ଦେଖାଇଥିଲେ। ଲଞ୍ଚ ସୁଦ୍ଧା ବାଂଲାଦେଶ ୩ ୱିକେଟ ହରାଇ ୨୬ ରନ କରିଥିଲା।

ଲଞ୍ଚ ପରେ ମଧ୍ୟ ଦଳ କ୍ରମାଗତ ଦୁଇଟି ୱିକେଟ ହରାଇଥିଲା। ମହମ୍ମଦ ସିରାଜ ୨୦ ରନ କରିଥିବା ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ବିରାଟ କୋହଲିଙ୍କ ହାତରେ କ୍ୟାଚ କରାଇଥିଲେ। ପରର୍ତ୍ତୀ ଓଭରରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ ଅଭିଜ୍ଞ ମୁଶଫିକର ରହିମ। ସେ ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ।

୪୦ ରନରେ ୫ ୱିକେଟ ହରାଇଥିବା ବାଂଲାଦେଶ ପାଇଁ ଏହି ସମୟରେ ସଙ୍କଟମୋଚକ ସାଜିଥିଲେ ଶାକିବ ଅଲ ହାସନ ଓ ଲିଟନ ଦାସ। ଉଭୟ ୬ଷ୍ଠ ୱିକେଟ ପାଇଁ ୫୧ ରନ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୧ ଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ଲିଟନ ଦାସ(୨୨) ବାଉଣ୍ଡରୀ ପାଖରେ କ୍ୟାଚ୍‌ ଆଉଟ ହୋଇଥିଲେ।

ଆଉ ଗୋଟିଏ ରନ ପରେ ଶାକିବ(୩୨) ରିଭର୍ସ ସୁଇପ ମାରିବାକୁ ଯାଇ ଜାଡେଜାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଉଭୟ ଆଉଟ ହେବା ପରେ ସବୁ କିଛି ମେହିଦ ହାସନ ମିରାଜଙ୍କ ଉପରେ ନିର୍ଭର କରୁଥିଲା। କିନ୍ତୁ ତାଙ୍କୁ ଟେଲେଣ୍ଡରଙ୍କ ସହାୟତା ମିଳି ନଥିଲା।

ହାସନ ମହମୁଦ(୯) ଓ ତସ୍କିନ ଅହମଦ(୧୧) ଙ୍କୁ ଆଉଟ କରି ବୁମ୍ରା ବାଂଲାଦେଶକୁ ଯଥାକ୍ରମେ ୮ମ ଓ ୯ମ ଝଟକା ଦେଇଥିଲେ। ଶେଷରେ ମହମ୍ମଦ ସିରାଜ ୧୧ ରନ କରିଥିବା ନାହିଦ ରାଣାଙ୍କୁ ବୋଲ୍ଡ କରି ବାଂଲାଦେଶର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ମିରାଜ ଶେଷ ଯାଏ ୨୭ ରନ କରି ଅପରାଜିତ ରହିଛନ୍ତି।

ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୧୪୯ ରନ କରିଥିବାରୁ ଭାରତ ୨୨୭ ରନର ବିଶାଳ ଲିଡ ହାସଲ କରି ନେଇଛି। ଏବେ ଦ୍ୱିତୀୟ ଇନିଂସରେ ଭାରତ କେମିତି ବ୍ୟାଟିଂ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Jasprit Bumrah Test Cricket Test Match India Vs Bangladesh