Advertisment

ଅକଳରେ ସାକିବ ଅଲ ହାସନ: ବ୍ୟାନ ପାଇଁ ବୋର୍ଡକୁ ନୋଟିସ

ସାକିବଙ୍କୁ ତୁରନ୍ତ କ୍ରିକେଟର ସବୁ ଫର୍ମାଟରୁ ବ୍ୟାନ କରାଯାଉ ବୋଲି ନୋଟିସରେ କୁହାଯାଇଛି।

author-image
Hemant Lenka
Shakib

Shakib

ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଅଡ଼ୁଆ ବଢ଼ିଛି। ବର୍ତ୍ତମାନ ପାକିସ୍ତାନରେ ବାଂଲାଦେଶ ପାଇଁ ଟେଷ୍ଟ ସିରିଜ ଖେଳୁଥିବା ସାକିବଙ୍କୁ ବ୍ୟାନ କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ପାଖକୁ ଯାଇଛି ଗୋଟିଏ ଆଇନଗତ ନୋଟିସ। କିଛି ଦିନ ତଳେ ସାକିବଙ୍କ ନାଁରେ ବାଂଲାଦେଶ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା। ଏଥିପାଇଁ ତାଙ୍କୁ ତୁରନ୍ତ କ୍ରିକେଟର ସବୁ ଫର୍ମାଟରୁ ବ୍ୟାନ କରାଯାଉ ବୋଲି ନୋଟିସରେ କୁହାଯାଇଛି। 

Advertisment

ଅଗଷ୍ଟ ୭ରେ ବାଂଲାଦେଶରେ ଦେଖା ଦେଇଥିବା ହିଂସାରେ ରୁବେଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବାପା ରଫିକୁଲ ଇସଲାମ ଏନେଇ ସାକିବଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ସାକିବଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିବା ଢାକା ଟ୍ରିବ୍ୟୁନରେ ଖବର ପ୍ରକାଶ ପାଇଛି।

ଅଦାବୋରରେ ଥିବା ରିଙ୍ଗ ରୋଡରେ ଆୟୋଜିତ ରାଲିରେ ରୁବେଲ ସାମିଲ ହୋଇଥିଲେ। ଏହି ସମୟରେ ରୁବେଲଙ୍କ ଛାତି ଓ ତଳି ପେଟରେ ଗୁଳି ମାଡ଼ ହେବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପଛରେ ସାକିବ ଥିବା ରୁବେଲଙ୍କ ବାପା ଅଭିଯୋଗ କରିଥିଲେ।

Advertisment

ଏନେଇ ସେ ଢାକା ପୁଲିସ୍‌ ଷ୍ଟେସନରେ ସାକିବଙ୍କ ସମେତ ଅନେକ ଲୋକଙ୍କ ନାଁରେ ଏଫଆଇଆର ଦେଇଥିଲେ। ପୁଲିସ୍‌ ରୁଜୁ କରିଥିବା ମାମଲରେ ସାକିବ ହେଉଛନ୍ତି ୨୮ମ ଅଭିଯୁକ୍ତ। ସେହିପରି ବାଂଲାଦେଶ ଅଭିନେତା ଫେରଡସ ଅହମଦଙ୍କୁ ୫୫ତମ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି।

ଉଭୟ ଶେଖ ହସିନାଙ୍କ ଆବାମୀ ଲିଗର ସାଂସଦ ରହିଥିଲେ। ପୁଲିସ ମୋଟ ୧୫୫ ଜଣଙ୍କ ନାଁରେ ମାମଲା କରିଛି। ଏଥିରେ ସାକିବଙ୍କ ସମେତ ଶେଖ ହସିନାଙ୍କ ନାଁ ମଧ୍ୟ ରହିଛି।

ସାକିବ ବର୍ତ୍ତମାନ ପାକିସ୍ତାନ ବିପକ୍ଷ ୨ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ରାୱଲପିଣ୍ଡିରେ ରହିଛନ୍ତି। ପ୍ରଥମ ଟେଷ୍ଟରେ ବାଂଲାଦେଶ ଐତିହାସିକ ବିଜୟ ହାସଲ କରିଥିବା ବେଳେ ସାକିବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩୦ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ।

କିନ୍ତୁ ରଫିକୁଲଙ୍କ ଓକିଲ ଟେଷ୍ଟ ସିରିଜ ଅଧାରୁ ସାକିବଙ୍କୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି। ଏନେଇ ସେ ବାଂଲାଦେଶ କ୍ରିକେଟ ବୋର୍ଡକୁ ଗୋଟିଏ ଲିଗାଲ ନୋଟିସ ଜାରି କରିଛନ୍ତି।

ଆଇନଜୀବୀ ଜଣଙ୍କ ନୋଟିସରେ ସାକିବଙ୍କୁ ତୁରନ୍ତ କ୍ରିକେଟର ଅଲଫର୍ମାଟରେ ବ୍ୟାନ କରିବାକୁ କହିଛନ୍ତି। ଆଇନଜୀବୀ ନୋଟିସ ପଠାଇଥିଲେ ହେଁ ଏହା ପହଞ୍ଚି ନଥିବା ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଫାରୁକି ଅହମଦ କହିଛନ୍ତି। ଏଥିସହ ସାକିବଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ସାକିବଙ୍କ ସମ୍ପର୍କରେ କହୁଛି। ଗୋଟିଏ ମାମଲା ହୋଇଛି। ଆମେ ଏଯାଏ କୌଣସି ଲିଗାଲ ନୋଟିସ ପାଇ ନାହୁଁ। ଏଫଆଇଆର ପଞ୍ଜୀକୃତ ହୋଇଛି ଓ ପରବର୍ତ୍ତୀ ଅବସ୍ଥାରେ ତଦନ୍ତ ହେବ।

ତଦନ୍ତ ପରେ ମାମଲା ଗୋଟିଏ ଦିଗରେ କିମ୍ବା ଅନ୍ୟ ଦିଗରେ ଯିବ। ଆମେ ବର୍ତ୍ତମାନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଶେଷ ହୋଇଛି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆମେ ବସିବୁ ଓ ନିଷ୍ପତ୍ତି ନେବୁ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସବୁ କିଛି ସ୍ପଷ୍ଟ ହେବ।”

Cricket Bangladesh Shakib Al Hasan