Advertisment

ଗର୍ଜିଲା ମଲାନଙ୍କ ବ୍ୟାଟ୍‌, ବାଂଲାଦେଶକୁ ୩୬୫ ରନର ଟାର୍ଗେଟ

ବାଂଲାଦେଶକୁ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୩୬୫ ରନର ଟାର୍ଗେଟ ମିଳିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇଥିଲା।

author-image
Hemant Lenka
Malan

Malan

ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପାଇଁ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଓପନର ଡାୱିଡ ମଲାନ। ବାଂଲାଦେଶ ବିପକ୍ଷରେ ମଲାନ ୧୦୭ ବଲରେ ୧୪୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୪ ରନ କରିଛନ୍ତି।

Advertisment

ଏବେ ବାଂଲାଦେଶକୁ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୩୬୫ ରନର ଟାର୍ଗେଟ ମିଳିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇଥିଲା।

ଧର୍ମଶାଳାରେ ଖେଳା ଯାଉଥିବା ବିଶ୍ୱକପର ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ଭୁଲ ପ୍ରମାଣିତ କରି ମଲାନ ଓ ଜନ୍ନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରିଥିଲେ।

Advertisment

ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୧୧୫ ରନ ଯୋଡ଼ି ଥିଲେ। ଏତିକି ବେଳେ ୫୯ ବଲରେ ୫୨ ରନ କରିଥିବା ବେୟାରଷ୍ଟୋଙ୍କୁ ସାକିବ ଆଉଟ କରି ଇଂଲଣ୍ତକୁ ପ୍ରଥମେ ଝଟକା ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଭିଜ୍ଞ ଜୋ ରୁଟ। ସେ ମଲାନଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ମଲାନ ଶତକ ହାସଲ କରିଥିବା ବେଳେ ରୁଟ୍‌ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୧୧୫ରୁ ନେଇ ୨୬୬ରେ ପହଞ୍ଚାଇଥିଲେ। ମଲାନ ଶତକ ହାସଲ କରିବା ପରେ ନିଜର ବିସ୍ଫୋରକ ରୂପ ମଧ୍ୟ ଦେଖାଇଥିଲେ।

ସେ ବାଂଲାଦେଶର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ୩୭.୨ ଓଭର୍‌ରେ ଦଳୀୟ ସ୍କୋର ୨୬୬ ଥିବା ବେଳେ ବ୍ୟକ୍ତିଗତ ୧୪୦ ରନ କରି ମଲାନ ବୋଲ୍ଡ ହୋଇଯାଇଥିଲେ। ୧୦୭ ବଲରେ ୧୪୦ ରନ କରିଥିବା ମଲାନ ୧୬ଟି ଚୌକା ଓ ୫ଟି ଛକା ମାରିଛନ୍ତି।

ଆଉ ୩୦ ରନ ପରେ ଜୋ ରୁଟ ମଧ୍ୟ ୬୮ ବଲରେ ୮୨ ରନ କରି ଶୋରିଫୁଲ ଇସଲାମଙ୍କ ବଲରେ ଆଉଟ ହୋଇଥିଲେ। ରୁଟ ଆଉଟ ହେବା ବେଳେ ଦଳୀୟ ସ୍କୋର ୨୯୬ ଥିଲା। ଶେଷ ଭାଗରେ ବଡ଼ ଶଟ ଖେଳିବାକୁ ଯାଇ ଅଧିନାୟକ ଜୋଶ ବଟଲର ୧୦ ବଲରେ ୨୦, ହ୍ୟାରୀ ବ୍ରୁକ ୧୫ ବଲରେ ୨୦, ଲିଆମ ଲିଭଙ୍ଗଷ୍ଟୋନ ପ୍ରଥମ ବଲରେ ଶୂନ, ସାମନ କୁରନ ୧୫ ବଲରେ ୧୧, ଆଦିଲ ରଶିଦ ୧୧ ବଲରେ ୧୪ ରନ କରିଥିଲେ।

ସେହିପରି ମାର୍କ ଉଡ ୫ ବଲରେ ଅପରାଜିତ ୬ ଓ ରିସ ଟପଲେ ୨ ବଲରେ ଅପରାଜିତ ୧ ରନ କରିବାରୁ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୪ ରନ କରିବାକୁ ସକ୍ଷମ ହୋଇଥିଲା।

ବାଂଲାଦେଶ ପକ୍ଷରୁ ମାହେଦି ହାସନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶୋରିଫୁଲ ଇସଲାମ ୩ଟି, ସାକିବ ଓ ତସ୍କିନ ଅହମଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023