Advertisment

T20 World Cup: ବାଂଲାଦେଶର ସ୍ଥାନ ନେଲା ସ୍କଟଲ୍ୟାଣ୍ଡ

ଆଇସିସି ବାରମ୍ବାର ବାଂଲାଦେଶକୁ ଏ ସପ୍ରସଙ୍ଗରେ ବୁଝାଇବା ସହ ଭାରତରେ ସୁରକ୍ଷା ଗ୍ୟାରେଣ୍ଟକୁ ନିଶ୍ଚିତ କରିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାର ଓ ପାକିସ୍ତାନ କଥାରେ ପଡ଼ି ଭାରତରେ ମ୍ୟାଚ୍‌ ଖେଳିବାକୁ ରାଜି ହୋଇ ନଥିଲା।

Bangladesh

ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ

Advertisment

ପାକିସ୍ତାନ କଥାରେ ଗଛରେ ଚଢ଼ି ନାମ ନେଇଥିବା ବାଂଲାଦେଶ କ୍ରିକେଟ ଟିମକୁ ଆଗାମୀ ଟି-୨୦ ବିଶ୍ୱକପ(T20 World Cup)ରୁ ବିଧିବଦ୍ଧ ଭାବେ ବାଦ ଦେଇଛି ଆଇସିସି। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ନୂଆ ଦେଶ ଭାବେ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ସାମିଲ କରାଯାଇଛି।

Advertisment

ଏ ସମ୍ପର୍କରେ ବାଂଲାଦେଶ କ୍ରିକେଟ ବୋର୍ଡକୁ ମଧ୍ୟ ଆଜି ଆଇସିସି ଅବଗତ କରାଇ ଦେଇଛି। ୨୦୨୬ ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ କରୁଛନ୍ତି। କିନ୍ତୁ ସୁରକ୍ଷାର ଆଳ ଦେଖାଇ ବିସିବି ନିଜ ଟିମକୁ ଭାରତ ପଠାଇବ ନାହିଁ ଓ ଭାରତ ବଦଳରେ ବିସିବି ଶ୍ରୀଲଙ୍କାରେ ମ୍ୟାଚ ଖେଳିବାକୁ ଆଇସିସିକୁ କହିଥିଲା।

ଆଇସିସି ବାରମ୍ବାର ବାଂଲାଦେଶକୁ ଏ ସପ୍ରସଙ୍ଗରେ ବୁଝାଇବା ସହ ଭାରତରେ ସୁରକ୍ଷା ଗ୍ୟାରେଣ୍ଟକୁ ନିଶ୍ଚିତ କରିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାର ଓ ପାକିସ୍ତାନ କଥାରେ ପଡ଼ି ଭାରତରେ ମ୍ୟାଚ୍‌ ଖେଳିବାକୁ ରାଜି ହୋଇ ନଥିଲା। ଶେଷରେ ଆଇସିସି ଆଜି ବିଧିବଦ୍ଧ ଭାବେ ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ବାଦ ଦେଇଛି। 

Advertisment

ଆଇସିସି ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ଏନେଇ ଗୋଟିଏ ଚିଠି କରାଯାଇଛି। ଏଥିରେ ବାଂଲାଦେଶର ସ୍ଥାନ ସ୍କଟଲ୍ୟାଣ୍ଡ ନେଉଥିବା ଉଲ୍ଲେଖ କରାଯାଇଛି। ଶୁକ୍ରବାର ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଂଲାଦେଶ ପ୍ରସଙ୍ଗ ଆଲୋଚନା କରାଯାଇଥିଲା।

ସେହିପରି ବାଂଲାଦେଶ ପକ୍ଷରୁ ଆଇସିସିର ବିବାଦ ସମାଧନ କମିଟି ନିକଟକୁ ନିଜର ଆବେଦନ ପଠାଇବାକୁ କୁହାଯାଇଥିଲା। କିନ୍ତୁ କମିଟି ଗୋଟିଏ ଆବେଦନ ଉପରେ କାର୍ଯ୍ୟ କରିବ ନାହିଁ ବୋଲି କହିବା ସହ ଆଇସିସିର ଚୂଡ଼ାନ୍ତ ନିଷ୍ପତ୍ତି ସହ ଆଗକୁ ବଢ଼ିବାକୁ କହିଥିଲା। 

ସେହି ଅନୁସାରେ ଆଇସିସି ବାଂଲାଦେଶକୁ ବିଶ୍ୱକପରୁ ବାଦ ଦେଇ ସ୍କଟଲ୍ୟାଣ୍ଡକୁ ସାମିଲ କରିଛି। ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିବା ଢାକା ପାଇଁ ଶକ୍ତ ଝଟକା। କାରଣ ଦଳ ବିଭିନ୍ନ ପ୍ରାୟୋଜକ ଓ ପ୍ରସାରଣ ସଂସ୍ଥା ପକ୍ଷରୁ ବିଶ୍ୱକପ ବାବଦରେ ପାଇବାକୁ ଥିବା ଟଙ୍କା ହରାଇଛି। ବିସିବିକୁ ନିଜର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ପ୍ରାୟ ୨୪୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। 

ବାଂଲାଦେଶ ବାଦ ପଡ଼ିବାରୁ ସ୍କଟଲ୍ୟାଣ୍ଡ ପାଇଁ ବିଶ୍ୱକପ ଖେଳିବାର ଦ୍ୱାର ଖୋଲି ଯାଇଛି। ସ୍କଟଲ୍ୟାଣ୍ଡ ଏଯାଏ ୫ଟି ଟି-୨୦ ବିଶ୍ୱକପ ଖେଳିଛି। ୨୦୨୨ ଓ ୨୦୨୪ ସଂସ୍କରଣରେ ମଧ୍ୟ ସ୍କଟଲ୍ୟାଣ୍ଡ ନଜର ଆସିଥିଲା। କିନ୍ତୁ ଦଳ ଭଲ ପ୍ରଦର୍ଶନ ସତ୍ତ୍ୱେ ସୁପର ୮କୁ ଯାଇ ପାରି ନଥିଲା। ୨୦୨୬ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟରେ ଦଳ ବିଜୟୀ ହୋଇ ନଥିଲେ ହେଁ ଏବେ ବାଂଲାଦେଶର ବହିଷ୍କାର ଯୋଗୁ ସ୍କଟଲ୍ୟାଣ୍ଡକୁ ଆଉ ଗୋଟିଏ ସୁଯୋଗ ମିଳିଛି।

ଟି-୨୦ ବିଶ୍ୱକପ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବ। ମାର୍ଚ୍ଚ ୮ ଯାଏ ଚାଲିବାକୁ ଥିବା ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରୁଛନ୍ତି। ନଭେମ୍ବର ମାସରେ ଆଇସିସି ଜାରି କରିଥିବା ମ୍ୟାଚ୍‌ ସୂଚୀ ଅନୁସାରେ ବାଂଲାଦେଶ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳିବାକୁ ଧାର୍ଯ୍ୟ ହୋଇଥିଲା।

କିନ୍ତୁ ଭାରତ ସହ ରାଜନୀତିକ ବିବାଦ କାରଣରୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାରଙ୍କ କଥାରେ ପରିଚାଳିତ ହୋଇ ଭାରତକୁ ଟିମ ପଠାଇବ ନାହିଁ ବୋଲି କହିଥିଲା। ଏଥିସହ ଭାରତ ବାହାରକୁ ନିଜର ମ୍ୟାଚ୍‌କୁ ସ୍ଥାନାନ୍ତର କରିବାକୁ କହିଥିଲା। ହେଲେ ଆଇସିସି ଆଜି ବିଧିବଦ୍ଧ ଭାବେ ବାଂଲାଦେଶର ସବୁ ଅନୁରୋଧକୁ ଅଗ୍ରାହ୍ୟ କରି ଦଳକୁ ବିଶ୍ୱକପରୁ ବାଦ ଦେଇଛି। 

ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିଥିବାରୁ ଏବେ ଗ୍ରୁପ ସିରେ ନୂଆଦଳ ଭାବେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯାଇଛି। ଏହି ଗ୍ରୁପରେ ପୂର୍ବରୁ ୱେଷ୍ଟଇଣ୍ଡିଜ, ଇଟାଲୀ, ଇଂଲଣ୍ଡ ଓ ନେପାଳ ରହିଛନ୍ତି।

ସ୍କଟଲ୍ୟାଣ୍ଡ ଫେବୃଆରୀ ୭ରେ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବେ। ଏହି ମ୍ୟାଚ୍‌ଟି ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହାପରେ ୯ ତାରିଖରେ ଇଟାଲୀ, ୫ ଦିନ ପରେ ଇଂଲଣ୍ତକୁ ଭେଟିବ। ଫେବୃଆରୀ ୧୭ରେ ଦଳ ନିଜର ଶେଷ ଗ୍ରୁପ ମ୍ୟାଚ୍‌ ନେପାଳ ବିପକ୍ଷରେ ମୁମ୍ବାଇରେ ଖେଳିବ। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe