Advertisment

IPL 2026: ଆଇପିଏଲ ପ୍ରସାରଣ ଉପରେ ବ୍ୟାନ ଲଗାଇଲା ବାଂଲାଦେଶ

ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ପ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ ବିବାଦ କାରଣରୁ ସ୍କ୍ୱାଡରୁ ରିଲିଜ କରି ଦେବାରୁ ୟୁନୁସ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

author-image
Hemant Lenka
Mustafizur

ମୁସ୍ତାଫିଜୁର

ଭାରତୀୟ ପ୍ରିମୟର ଲିଗ ବା ଆଇପିଏଲର ସମସ୍ତ ପ୍ରକାରର ପ୍ରସାରଣ ଓ ପ୍ରମୋସନ ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଇଛି ବାଂଲାଦେଶ ସରକାର। ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ପ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ ବିବାଦ କାରଣରୁ ସ୍କ୍ୱାଡରୁ ରିଲିଜ କରି ଦେବାରୁ ୟୁନୁସ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। 

Advertisment

ଜାନୁଆରୀ ୫ରେ ବାଂଲାଦେଶର ଅନ୍ତରୀଣ ସରକାର ଗୋଟିଏ ବିଜ୍ଞପ୍ତି ଜାରି କରି ଆଇପିଏଲ ସହ ଜଡ଼ିତ ସମସ୍ତ ବ୍ରଡକାଷ୍ଟ, ପ୍ରମୋସନ ଓ କାର୍ଯ୍ୟକ୍ରମର ପ୍ରସାରଣକୁ ତତ୍କାଳ ବାତିଲ କରିଛନ୍ତି। ଏହି ବ୍ୟାନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ। ଲୋକଙ୍କ ସ୍ୱାର୍ଥ ଓ ଉପଯୁକ୍ତ ଅଧିକାରୀଙ୍କ ଅନୁମତିକ୍ରମେ ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ବ୍ୟାନ ଲଗାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। 

୨୦୨୬ ଆଇପିଏଲ( IPL) ପୂର୍ବରୁ ଅନୁଷ୍ଠିତ ମିନି ଅକ୍ସନରେ କେକେଆର ୯ କୋଟିରୁ ଅଧିକ ଟଙ୍କା ଦେଇ ମୁସ୍ତାଫିଜୁରଙ୍କୁ କିଣିଥିଲା। କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଭାରତ ବିରୋଧୀ ନାରା ଦିଆଯାଉଛି। ଏପରି ସ୍ଥିତିରେ ବାଂଲାଦେଶର ଜଣେ ଖେଳାଳିଙ୍କୁ ଆଇପିଏଲରେ କୋଲକାତା କିଣିଥିବାରୁ ବିରୋଧର ସମ୍ମୁଖୀନ ହୋଇଥିଲା।

Advertisment

କେକେଆର ଓ ଏହାର ମାଲିକ ଶାହରୁଖ ଖାନଙ୍କୁ ବୟକଟ କରିବାକୁ କିଛି ଲୋକ ଦାବି କରିଥିଲେ। ମୁସ୍ତାଫିଜୁରଙ୍କ ପାଇଁ କେକେଆର ଓ ଶାହରୁଖଙ୍କ ଅଡ଼ୁଆ ବଢ଼ିଥିଲା। ବିବାଦ କାରଣରୁ କେକେଆର ମୁସ୍ତାଫିଜୁରଙ୍କୁ ଦିନକ ତଳେ ସ୍କ୍ୱାଡରୁ ବାଦ ଦେଇଥିଲା। 

ଏହାକୁ ବାଂଲାଦେଶ ସରକାର ଜୋରଦାର ବିରୋଧ କରିଥିବା ବେଳେ ଦେଶର ଲୋକଙ୍କୁ ବେଶ ଆଘାତ ଦେଇଥିବା କହିଥିଲେ। ଏବେ ବାଂଲାଦେଶ ସରକାର ଆଇପିଏଲର ପ୍ରସାରଣ ଓ ପ୍ରଚାର ଉପରେ ସଂପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ମୁସ୍ତା‍ଫିଜୁରଙ୍କୁ ଆଇପିଏଲରୁ ହଠାତ୍‌ ବାଦ ଦିଆଯିବାରୁ ଏହା ବାଂଲାଦେଶର ଲୋକଙ୍କୁ ବେଶ ମର୍ମାହତ କରିଛି। ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି। ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ବ୍ୟାନ ଲଗାଯାଇଥିବା ୟୁନୁସ ସରକାର କହିଛନ୍ତି। 

ମୁସ୍ତାଫିଜୁରଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ କେବଳ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇ ବାଂଲାଦେଶ ଚୁପ ରହି ନାହିଁ। ଦିନକ ତଳେ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ବାଂଲାଦେଶ ସରକାର ନିଜ ଟିମକୁ ପଠାଇବେ ନାହିଁ ବୋଲି କହି ସାରିଛନ୍ତି। ସରକାରଙ୍କ ପରାମର୍ଶ ଓ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଉଥିବା ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଆଇସିସିକୁ ଜଣାଇ ଦିଆଯାଇଛି। 

IPL